Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିନା ଦୋଷରେ ୨୨ ବର୍ଷ ଜେଲ୍‌; ଫେରିଲା ବେଳକୁ ନାହିଁ ଘର, ନାହିଁ ପରିବାର, ଅର୍ଜୁନଙ୍କ କୋହଭରା କାହାଣୀ

ନବରଙ୍ଗପୁର: ଯେଉଁ ଅପରାଧ ସେ କରିନଥିଲେ, ସେହି ମାମଲାରେ ୨୨ ବର୍ଷ ଜେଲ୍‌ରେ କାଟିବାକୁ ପଡ଼ିଲା। ଜେଲ୍‌ରୁ ମୁକ୍ତି ପାଇ ଗାଁକୁ ଫେରିବା ପରେ ଅର୍ଜୁନ ଜାନୀଙ୍କ ପାଇଁ ଅପେକ୍ଷା କରୁଥିଲା ଏକ ନିଷ୍ଠୁର ସତ୍ୟ। ମାଟିରେ ମିଶିଯାଇଛି ତାଙ୍କ ଝାଟିମାଟିର ଘର, ଆଉ ପରିବାରରେ ବଞ୍ଚିନାହାନ୍ତି କେହି। ମୁଣ୍ଡ ଗୁଞ୍ଜିବାକୁ ଆଶ୍ରୟ ନାହିଁ, ଜୀବନ ଚଳାଇବାକୁ ସ୍ଥାୟୀ ରୋଜଗାର ମଧ୍ୟ ନାହିଁ। ସୁପ୍ରିମକୋର୍ଟ ତାଙ୍କୁ ନିର୍ଦ୍ଦୋଷ ବୋଲି ଘୋଷଣା କରିବା ପରେ ନବରଙ୍ଗପୁରର ହିର୍ଲିଡଙ୍ଗର ଗାଁର ୪୭ ବର୍ଷୀୟ ଅର୍ଜୁନଙ୍କ ଏହି ହୃଦୟବିଦାରକ କାହାଣୀ ସାମ୍ନାକୁ ଆସିଛି।

ଅର୍ଜୁନ କହିଛନ୍ତି, ସେ ଗିରଫ ହେବାବେଳେ ତାଙ୍କ ମା’ ପଦ୍ମା ଜାନୀ ଜୀବିତ ଥିଲେ। କିନ୍ତୁ ଜେଲ୍‌ରେ ଥିବା ସମୟରେ ମା’ଙ୍କ ମୃତ୍ୟୁ ହୋଇଥିଲା। ଏହା ପୂର୍ବରୁ ବାପା ଏବଂ ବଡ଼ଭାଇଙ୍କୁ ମଧ୍ୟ ହରାଇଥିଲେ। ଆଜି ସେ କେବେ ମନ୍ଦିର ପିଣ୍ଡାରେ ତ କେବେ ପଡ଼ୋଶୀଙ୍କ ବାରଣ୍ଡାରେ ରାତି କାଟୁଛନ୍ତି। ଜେଲ୍‌ରେ ରହିବା ସମୟରେ ପୋଷାକ ଇସ୍ତ୍ରୀ କରିବା କାମ ଶିଖିଥିଲେ ଏବଂ ବିଭିନ୍ନ କାମ କରି ପ୍ରାୟ ୬୦ ହଜାର ଟଙ୍କା ରୋଜଗାର କରିଥିଲେ। ତାଙ୍କ ଅଭିଯୋଗ ଅନୁଯାୟୀ, ୨୦୦୪ ମସିହାରେ ତିନି ଜଣ ମହିଳାଙ୍କ ହତ୍ୟା ମାମଲାରେ ପୁଲିସ ତାଙ୍କୁ ୧୬ ଦିନ ଥାନାରେ ରଖି ଥାର୍ଡ ଡିଗ୍ରୀ ପ୍ରୟୋଗ କରି ଜୋରଜବରଦସ୍ତି ଦୋଷ ସ୍ୱୀକାର କରାଇଥିଲା ଏବଂ ମିଛ ମାମଲାରେ ଫସାଇଥିଲା।

ଅର୍ଜୁନଙ୍କ ପକ୍ଷର ଆଇନଜୀବୀ ନରସିଂହ ତ୍ରିପାଠୀ କହିଛନ୍ତି, ପୁଲିସର ତ୍ରୁଟିପୂର୍ଣ୍ଣ ତଦନ୍ତ ଯୋଗୁଁ ଜଣେ ନିର୍ଦ୍ଦୋଷ ବ୍ୟକ୍ତିଙ୍କୁ ଦୁଇ ଦଶନ୍ଧିରୁ ଅଧିକ ସମୟ କାରାଦଣ୍ଡ ଭୋଗିବାକୁ ପଡ଼ିଛି। ଏହି ଘଟଣା ଆଇନ ବ୍ୟବସ୍ଥା ପାଇଁ ଏକ ଗୁରୁତର ପ୍ରଶ୍ନ ସୃଷ୍ଟି କରିଛି। ଅନ୍ୟପକ୍ଷରେ ନବରଙ୍ଗପୁର ବ୍ଲକ୍ ପ୍ରଶାସନ ତାଙ୍କୁ ସରକାରୀ ଆବାସ ଯୋଗାଇବା ଦିଗରେ ପଦକ୍ଷେପ ନେବାକୁ ଆଶ୍ୱାସନ ଦେଇଥିବା ବେଳେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବିଧାୟକ ଗୌରୀଶଙ୍କର ମାଝୀ ମଧ୍ୟ ଅର୍ଜୁନଙ୍କୁ ଭେଟି ସମସ୍ତ ପ୍ରକାର ସହଯୋଗର ପ୍ରତିଶ୍ରୁତି ଦେଇଛନ୍ତି। ସୁପ୍ରିମକୋର୍ଟ ମଧ୍ୟ ଜିଲ୍ଲା ଆଇନସେବା ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନକୁ ତାଙ୍କର ତୁରନ୍ତ ଥଇଥାନ ଏବଂ ପୁନର୍ବାସ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏବେ ସମସ୍ତଙ୍କ ନଜର ରହିଛି, ଅର୍ଜୁନଙ୍କୁ ଯଥୋଚିତ କ୍ଷତିପୂରଣ ଓ ସମ୍ମାନଜନକ ଜୀବନ ବଞ୍ଚିବାର ସୁଯୋଗ କେବେ ମିଳୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories