ପୂର୍ବ ଶତ୍ରୁତାରୁ ବିଜେପି ନେତା ଫକୀର ରଣାଙ୍କୁ ହତ୍ୟା; ୨୪ ଘଣ୍ଟାରେ ୩ ଅଭିଯୁକ୍ତ ଗିରଫ
କଳାହାଣ୍ଡି: ବିଜେପି ନେତା ଫକୀର ରଣା ହତ୍ୟାକାଣ୍ଡରେ କଳାହାଣ୍ଡି ପୋଲିସକୁ ବଡ଼ ସଫଳତା ମିଳିଛି। ଘଟଣାର ମାତ୍ର ୨୪ ଘଣ୍ଟା ମଧ୍ୟରେ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ଏସ୍ପି ସୂଚନା ଦେଇଛନ୍ତି।
ପୋଲିସ ସୂଚନା ଅନୁସାରେ, ଗତ ୫ ତାରିଖ ରାତି ପ୍ରାୟ ୮ଟା ୩୦ ମିନିଟ୍ ସମୟରେ ଫକୀର ରଣାଙ୍କ ସହ ଅଭିଯୁକ୍ତମାନଙ୍କର କୌଣସି କଥା କଟାକାଟି ହୋଇଥିଲା। ପରେ ସେମାନେ ସଂଘବଦ୍ଧ ଭାବେ ତାଙ୍କ ଉପରେ ଆକ୍ରମଣ କରିଥିଲେ। ଗୁରୁତର ଆହତ ହୋଇଥିବା ଫକୀର ରଣାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା।
ଖବର ପାଇବା ପରେ କଳାହାଣ୍ଡି ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ତଦନ୍ତ ଆଧାରରେ ୨୪ ଘଣ୍ଟା ମଧ୍ୟରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପୋଲିସ ସେମାନଙ୍କ ବିରୋଧରେ ସମ୍ପର୍କିତ ଧାରାରେ ମାମଲା ରୁଜୁ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି। ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ମଧ୍ୟ ପୋଲିସ ଅଧିକ ତଦନ୍ତ କରୁଛି।

