ଖରିଫ ଧାନ ସଂଗ୍ରହ ପାଇଁ ଆରମ୍ଭ ହେଲା ଚାଷୀ ପଞ୍ଜିକରଣ; ଉଭୟ ଅନ୍ଲାଇନ୍ ଓ ଅଫ୍ଲାଇନ୍ରେ କରିପାରିବେ ଆବେଦନ
ଭୁବନେଶ୍ୱର: ୨୦୨୬-୨୭ ଖରିଫ ବର୍ଷରେ ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାର ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି ପଞ୍ଜିକରଣ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଚାଲିବ। ଚାଷୀମାନେ ନିଜ ନିକଟସ୍ଥ ସମବାୟ ସମିତି କାର୍ଯ୍ୟାଳୟରେ ଅଫ୍ଲାଇନ୍ ମାଧ୍ୟମରେ କିମ୍ବା www.foododisha.in ପୋର୍ଟାଲରେ ଅନ୍ଲାଇନ୍ ମାଧ୍ୟମରେ ପଞ୍ଜିକରଣ କରିପାରିବେ।
ପଞ୍ଜିକରଣ ସମୟରେ ଚାଷୀଙ୍କୁ ବ୍ୟକ୍ତିଗତ ତଥ୍ୟ ସହ ଜମି ସମ୍ପର୍କିତ ସମସ୍ତ ବିବରଣୀ ଦାଖଲ କରିବାକୁ ପଡ଼ିବ। ସରକାର ପରାମର୍ଶ ଦେଇଛନ୍ତି ଯେ, ଗତବର୍ଷ ଯେଉଁ ସମବାୟ ସମିତିରେ ପଞ୍ଜିକରଣ କରିଥିଲେ, ସେହି ସମିତିରେ ହିଁ ଚାଷୀମାନେ ପୁନର୍ବାର ପଞ୍ଜିକରଣ କରନ୍ତୁ। ଏଥିରେ ଯାଞ୍ଚ ପ୍ରକ୍ରିୟା ସହଜ ହେବା ସହ ଧାନ କ୍ରୟରେ କୌଣସି ସମସ୍ୟା ସୃଷ୍ଟି ହେବ ନାହିଁ।
ସରକାରୀ ସୂଚନା ଅନୁସାରେ, ୨୦୨୬ ନଭେମ୍ବର ୧ରୁ ୨୦୨୭ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଖରିଫ ଧାନ ସଂଗ୍ରହ କରାଯିବ। ଧାନ ଅମଳକୁ ଦୃଷ୍ଟିରେ ରଖି ଜିଲ୍ଲାଭିତ୍ତିକ ଭାବେ ସଂଗ୍ରହ କାର୍ଯ୍ୟକ୍ରମ ପରିଚାଳିତ ହେବ। ଏଥିପାଇଁ ପି-ପିଏଏସ୍ (P-PAS) ପୋର୍ଟାଲରେ ୨୦୨୬-୨୭ ଖରିଫ ଋତୁର ଚାଷୀ ପଞ୍ଜିକରଣ ବ୍ୟବସ୍ଥା ସକ୍ରିୟ କରାଯାଇଛି। ଧାନ ବିକ୍ରି କରିବାକୁ ଇଚ୍ଛୁକ ସମସ୍ତ ଚାଷୀଙ୍କୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପଞ୍ଜିକରଣ ସମ୍ପୂର୍ଣ୍ଣ କରିବାକୁ ସରକାର ଅନୁରୋଧ କରିଛନ୍ତି।

