Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଦୁର୍ଘଟଣାସ୍ଥଳରେ ଜାରି ରହିଛି ମରାମତି କାମ, ଟ୍ରାକକୁ ଠିକ୍ କରିବାରେ ଜୁଟିଛନ୍ତି ୧୦୦୦ରୁ ଅଧିକ କର୍ମଚାରୀ

ବାଲେଶ୍ଵର: ବାହାନଗାରେ ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ମୃତ ସଂଖ୍ୟା ୩୦୦ ଟପିଥିବା ବେଳେ ବର୍ତ୍ତମାନ ୫୦୦ରୁ ଉର୍ଦ୍ଧ୍ଵ ଆହତଙ୍କ ଚିକିତ୍ସା ବିଭିନ୍ନ ହସ୍ପିଟାଲରେ ଜାରି ରହିଛି। ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ବାଲେଶ୍ଵରରେ ରହି ସ୍ଥିତି ତଦାରଖ କରୁଛନ୍ତି। ଉଦ୍ଧାର କାର‌୍ୟ୍ୟ ସରିବା ପରେ କ୍ଷତିଗ୍ରସ୍ତ ବଗିକୁ ହଟାଇବା ଏବଂ ଦୁର୍ଘଟଣାଗ୍ରସ୍ତ ଟ୍ରାକର ମରାମତି କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ୧୦୦୦ରୁ ଅଧିକ କର୍ମଚାରୀ ମରାମତି କାମରେ ଜଟିଛନ୍ତି।

ଟ୍ରାକର ମରାମତି ପାଇଁ ୭ରୁ ଅଧିକ ପୋକଲେନ ମେସିନ, ୨ ଦୁର୍ଘଟଣା ରିଲିଫ ଟ୍ରେନ, ୩-୪ ଟ୍ରେନ ସହ ରୋଡ୍ କ୍ରେନ ନିୟୋଜିତ ରହିଛି। ଦକ୍ଷିଣ ପୂର୍ବ ରେଲଓ୍ଵେର ସିପିଆରଓ କହିଛନ୍ତି, ଯେତେ ବଗି ଓଲଟିଥିଲା ସବୁ ଟ୍ରାକରୁ ହଟା ଯାଇଛି। ମାଲଗାଡ଼ିର ୩ରୁ ୨ଟି ବଗିକୁ ମଧ୍ୟ ଟ୍ରାକ ଉପରୁ ହଟା ଯାଇଥିବା ବେଳେ ତୃତୀୟକୁ ହଟାଯିବାର କାମ ଜାରି ରହିଛି। ଏଥିସହ ଦୁର୍ଘଟଣାସ୍ଥଳରେ ପୁନରୁଦ୍ଧାର କାମ ତଦାରଖ କରିଛନ୍ତି ରେଳ ମନ୍ତ୍ରୀ। ଆଜି ସୁଦ୍ଧା ଗୋଟିଏ ଟ୍ରାକ ପ୍ରସ୍ତୁତ ହୋଇଯିବ। ବିଦ୍ୟୁତୀକରଣ କାମ ଜୋରସୋରରେ ଚାଲିଛି। ବୁଧବାର ସକାଳ ସୁଦ୍ଧା ଟ୍ରେନ ଚଳାଚଳ ସ୍ଵାଭାବିକ ହୋଇଯିବ ବୋଲି ସେ ସୂଚନା ଦେଇଛନ୍ତି।

ଦକ୍ଷିଣ ପୂର୍ବ ରେଲଓ୍ଵେର ମୁଖ୍ୟ ଜନସଂପର୍କ ଅଧିକାରୀ ଆଦିତ୍ୟ କୁମାର କହିଛନ୍ତି ଆମେ ଖୁବ୍ ଶୀଘ୍ର ମରାମତି କାମ ସାରିବାକୁ ଉଦ୍ୟମ କରିବୁ। ଏଠାରେ ୪-୫ ଡିବିଜନ ଏବଂ ୨-୩ ଜୋନର ଟିମ କାମରେ ଲାଗିଛନ୍ତି। ରେଲଓ୍ଵେର ସମସ୍ତ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି। ଯେତେ ଶୀଘ୍ର ସମ୍ଭବ ଚଳାଚଳ ସ୍ଵାଭାବିକ କରିବାକୁ ଉଦ୍ୟମ କରିବୁ।

ରେଳ ଅଧିକାରୀ କହିଛନ୍ତି, ବୁଲଡୋଜର ଏବଂ କ୍ରେନ ସାହାଯ୍ୟରେ ଶନିବାର ରାତି ସାରା ଟ୍ରେନ ଲାଇନରୁ କ୍ଷତିଗ୍ରସ୍ତ ବଗିକୁ ହଟା ଯାଇଛି। ଦୁର୍ଘଟଣା ସମୟରେ କ୍ଷତିଗ୍ରସ୍ତ ଇଲେକ୍ଟ୍ରିକ ଲାଇନ ଏବଂ ଟ୍ରାକର ମରାମତି କାମ ଜାରି ରହିଛି। ରେଳ ବିଭାଗର କର୍ମଚାରୀ ଦିନ ରାତି ୨୪ ଘଣ୍ଟା କାମରେ ଜୁଟିଛନ୍ତି। ଟ୍ରାକରୁ ହଟାଯାଇଥିବା ବଗିଗୁଡ଼ିକୁ ତନ୍ନ ତନ୍ନ ଯାଞ୍ଚ କରାଯାଉଛି ଯଦ୍ଵାରା ସୁନିଶ୍ଚିତ କରାଯାଇ ପାରିବ ଯେ, ବଗି ଭିତରେ କୌଣସି ମୃତଦେହ ଫସି ନରହୁ।