ବଡ଼ମାଲ ପଞ୍ଚାୟତ ଜାମୁମାଲ ସ୍କୁଲରେ କୁଚିଣ୍ଡା ଆଇଟିଡିଏ ପକ୍ଷରୁ ଚାଲିଥିବା ଶ୍ରେଣୀ କୋଠରୀ ନିର୍ମାଣରେ ଅନିୟମିତତା: ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା କୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ
ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ବଡ଼ମାଲ ପଞ୍ଚାୟତ ଅନ୍ତର୍ଗତ ଜାମୁମାଲ ସ୍କୁଲରେ କୁଚିଣ୍ଡା ଆଇଟିଡିଏ (ITDA) ପକ୍ଷରୁ ଚାଲିଥିବା ଶ୍ରେଣୀ କୋଠରୀ ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଛି। ସରକାରୀ ଯୋଜନାର ଲକ୍ଷ ଲକ୍ଷ ଟଙ୍କା ହେରଫେର କରି ଅତି ନିମ୍ନମାନର ଗୃହ ନିର୍ମାଣ କରାଯାଉଥିବାରୁ ଏହାର ସ୍ଥାୟିତ୍ୱ ଓ ସ୍ୱଚ୍ଛତାକୁ ନେଇ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ଗଭୀର ଉଦବେଗ ପ୍ରକାଶ ପାଇଛି।
ସୂଚନାଯୋଗ୍ୟ ଯେ, ଶ୍ରେଣୀ କୋଠରୀ ନିର୍ମାଣ ପାଇଁ ନିର୍ଦ୍ଧାରିତ ନିୟମ ଓ ନକ୍ସା ଅନୁଯାୟୀ ସ୍ତମ୍ଭ (Column) ନିର୍ମାଣ କରାଯିବା କଥା। ମାତ୍ର ସ୍ଥାନୀୟ ଠିକାଦାର ଓ ସମ୍ପୃକ୍ତ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ନିର୍ମାଣ କାର୍ଯ୍ୟରେ ଖୋଲାଖୋଲି ଭାବେ ତ୍ରୁଟି ଛଡ଼ା ଯାଇଛି। ଘଟଣାସ୍ଥଳରୁ ମିଳିଥିବା ଫଟୋ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ମାପ ଅନୁଯାୟୀ, କୋଠରୀର ସ୍ତମ୍ଭ ଗୁଡ଼ିକ ମାତ୍ର ୭ ଇଞ୍ଚ୍ ୯ ସେଣ୍ଟିମିଟର ରହିଛି, ଯାହାକି ସୁରକ୍ଷା ଓ ମଜବୁତି ଦୃଷ୍ଟିରୁ ସମ୍ପୂର୍ଣ୍ଣ ନିମ୍ନମାନର ବୋଲି ସ୍ପଷ୍ଟ ହେଉଛି। ନିୟମ ଅନୁଯାୟୀ କଲମ ର ଚଉଡ଼ା ଓ ଓସାର ଅତିକମ୍ ରେ ୯ ଇଞ୍ଚ୍ ରୁ ୧୦ ଇଞ୍ଚ୍ ରହିବା ମାତ୍ର ଏହାର ସମ୍ପୂର୍ଣ୍ଣ ଖିଲାପ ହୋଇଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସରକାରୀ ଅର୍ଥ ଆତ୍ମସାତ୍ କରିବା ପାଇଁ ଏଭଳି ଚଞ୍ଚକତା କରାଯାଇଥିବା ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ଚକିତ ହୋଇପଡ଼ିଛନ୍ତି। ଏଥି ସହିତ ନିର୍ମାଣ ସ୍ଥଳରେ କୌଣସି ସରକାରୀ ସୂଚନା ଫଳକ ଲଗାଯାଇ ନଥିବାରୁ ଏହି କାର୍ଯ୍ୟର ଅଟକଳ ଅର୍ଥ, ବିଭାଗୀୟ ତଥ୍ୟ, ଓ ପ୍ରକଳ୍ପର ଅବଧି ସମ୍ପର୍କରେ ଲୋକେ ଅନ୍ଧାରରେ ରହିଛନ୍ତି। ସୂଚନା ଫଳକ ଗାୟବ ରହିବା ଗ୍ରାମବାସୀଙ୍କ ମନରେ କାର୍ଯ୍ୟର ସ୍ୱଚ୍ଛତା ଏବଂ ସ୍ଥାୟିତ୍ୱ କୁ ନେଇ ଆହୁରି ଅଧିକ ସନ୍ଦେହ ସୃଷ୍ଟି କରିଛି।
ଏହି ସଂକ୍ରାନ୍ତରେ କୁଚିଣ୍ଡା ଆଇଟିଡିଏ ସହକାରୀ ଯନ୍ତ୍ରୀ ଗୋପୀନାଥ କାଲଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି ଯେ, “ସମ୍ପୃକ୍ତ ନିର୍ମାଣ କାର୍ଯ୍ୟର ତୁରନ୍ତ ତଦନ୍ତ କରାଯିବ। ତଦନ୍ତ ପରେ ଯଦି କଲମ (Column) ର ଆକାର କମ୍ ଥିବା ବା ଅନିୟମିତତା ପ୍ରମାଣିତ ହୁଏ, ତେବେ ସେହି କଲମ ଗୁଡ଼ିକୁ ଭାଙ୍ଗି ନୂତନ ଭାବେ ନିୟମାନୁଯାୟୀ ତିଆ କରାଯିବ।” ବୋଲି କହିଥିଲେ। ତେବେ ଏଠାରେ ଏକ ପ୍ରଶ୍ନ ଉଠୁଛି— କୋଠରୀ ନିର୍ମାଣ ଚାଲିଥିବା ସମୟରେ ବିଭାଗୀୟ ଯନ୍ତ୍ରୀଙ୍କ ତଦାରଖ କୁଆଡ଼େ ଯାଇଥିଲା? କୋମଳମତି ଶିଶୁମାନେ ପଢ଼ିବାକୁ ଥିବା କୋଠରୀର ସୁରକ୍ଷା ସହ ଏଭଳି ଖେଳ ଖେଳୁଥିବା ଦୋଷୀ ଠିକାଦାର ଓ ଯନ୍ତ୍ରୀଙ୍କ ବିରୋଧରେ କେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ତାହା ଏବେ ଦେଖିବାକୁ ବାକି ରହିଲା।

