କୁଚିଣ୍ଡା-ଫାଶିମାଲ ରାସ୍ତାରେ ବନ୍ୟାଜଳ: ତିହାଡ଼ିପାଲି ଶିବ ମନ୍ଦିର ନିକଟ ପୋଲ ଉପରେ ଚାଲିଛି ପାଣି, ଯାତାୟାତ ବାଧାପ୍ରାପ୍ତ
ଜମନକିରା : ଚଳିତ ବର୍ଷ ଅତ୍ୟଧିକ ବର୍ଷା ଜଳ ଯୋଗୁଁ କୁଚିଣ୍ଡା-ଲାଡ- ଫାଶିମାଲ ଭାୟା ଧୁଡ଼ିପାଲି PWD ରାସ୍ତାରେ ଗମ୍ଭୀର ସମସ୍ୟା ସୃଷ୍ଟି ହୋଇଛି। ତିହାଡ଼ିପାଲି ଶିବ ମନ୍ଦିର ନିକଟରେ ଥିବା ନାଳର ପୋଲଟି ସୁରକ୍ଷିତ ଓ ଠିକ୍ ଥିଲେ ହେଁ, ପ୍ରବଳ ବର୍ଷା ହେତୁ ଜଳସ୍ତର ହଠାତ୍ ବୃଦ୍ଧି ପାଇ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ଏହି ମୁଖ୍ୟ ମାର୍ଗରେ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଉପର ମୁଣ୍ଡରେ ଅବିଶ୍ରାନ୍ତ ବର୍ଷା ହେତୁ ନାଳରେ ପ୍ରବଳ ଜଳସ୍ରୋତ ସୃଷ୍ଟି ହୋଇ ପୋଲ ଉପରେ ବହିବାରେ ଲାଗିଛି। ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ଯାନବାହନ ଅଟକି ରହିବା ସହ ସ୍ଥାନୀୟ ଅଞ୍ଚଳବାସୀ, ନିତ୍ୟ ଦିନିଆ ଯାତ୍ରୀ, ସ୍କୁଲ-କଲେଜ ଛାତ୍ରଛାତ୍ରୀ ଓ ଜରୁରୀକାଳୀନ ସେବା ପାଇଁ ଆସୁଥିବା ଲୋକେ ଘୋର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏଭଳି ବିପଜ୍ଜନକ ପରିସ୍ଥିତି ସତ୍ତ୍ୱେ କେତେକ ଦୁଃସାହସୀ ଚାଳକ ଓ ସ୍ଥାନୀୟ ଲୋକେ ପ୍ରବଳ ପାଣିର ସ୍ରୋତ ମଧ୍ୟରେ ଜୀବନକୁ ବାଜି ଲଗାଇ ବାଇକ୍ ଓ ଅନ୍ୟାନ୍ୟ ଗାଡ଼ି ଠେଲି ପାର୍ କରୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ଏହା ଯେକୌଣସି ମୁହୂର୍ତ୍ତରେ ବଡ଼ ଧରଣର ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛି। ପ୍ରବଳ ବର୍ଷା ସମୟରେ ଏହିପରି ଜଳପ୍ଲାବନ ସମସ୍ୟା ସୃଷ୍ଟି ହେଉଥିବାରୁ, ଭବିଷ୍ୟତରେ ଯାତାୟାତ ସୁଗମ କରିବା ଏବଂ ବିପଦ ଏଡ଼ାଇବା ପାଇଁ ଏହି ସ୍ଥାନରେ ରାସ୍ତା ଓ ସେତୁର ଉଚ୍ଚତା ବୃଦ୍ଧି କରିବାକୁ ସ୍ଥାନୀୟ ଜନସାଧାରଣ ପ୍ରଶାସନ ନିକଟରେ ଦାବି କରିଛନ୍ତି।

