ଭୂତ ବଙ୍ଗଳା’ରେ ହତ୍ୟାକାଣ୍ଡର ପର୍ଦ୍ଦାଫାସ, ଯୁବକ ଗିରଫ; ଦୁର୍ଘଟଣାର ମିଥ୍ୟା କାହାଣୀ ରଚିଥିଲା ଅଭିଯୁକ୍ତ
ଭୁବନେଶ୍ୱର: ଭୁବନେଶ୍ୱର ଚନ୍ଦକା ଥାନା ଅଞ୍ଚଳର ପାଇକରାପୁରରେ ଥିବା ‘ଭୂତ ବଙ୍ଗଳା’ ନାମରେ ପରିଚିତ ଏକ ପରିତ୍ୟକ୍ତ କୋଠାରେ ଘଟିଥିବା ହତ୍ୟାକାଣ୍ଡର ରହସ୍ୟ ଖୋଲିଛି ପୁଲିସ। ଏହି ଘଟଣାରେ ମହନୀ ଦାସଙ୍କ ମୃତ୍ୟୁ ହୋଇଥିବାବେଳେ ଚନ୍ଦକା ଥାନା ପୁଲିସ ଅଭିଯୁକ୍ତ ବ୍ରଜକିଶୋର ଭୋଇ ଓରଫ ବାପିକୁ ଗିରଫ କରିଛି। ତାକୁ କୋର୍ଟ ଚାଲାଣ କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।
ପୁଲିସ ସୂଚନା ଅନୁସାରେ, ଗତ ୧ ତାରିଖରେ ଶୋଇବାକୁ ନେଇ ମହନୀ ଦାସ ଓ ବାପିଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ବାପି ଗାଳିଗୁଲଜ କରିବା ସହ ବାଉଁଶ ଲାଠିରେ ମହନୀଙ୍କ ମୁଣ୍ଡକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ବିଷ୍ଣୁ ବେହେରା ଓ ବଳରାମ ଭୋଇ ମଧ୍ୟ ଆହତ ହୋଇଥିଲେ। ଘଟଣା ପରେ ହତ୍ୟାକୁ ଦୁର୍ଘଟଣାର ରୂପ ଦେବାକୁ ବାପି ଏକ ମିଥ୍ୟା କାହାଣୀ ଗଢ଼ିଥିବା ପୁଲିସ କହିଛି। ମହନୀ ଛାତରୁ ଖସିପଡ଼ିଥିବା କହି ତାଙ୍କୁ ହସ୍ପିଟାଲ ନେବା ସହ ଡାକ୍ତରଙ୍କୁ ମଧ୍ୟ ସେହି ସୂଚନା ଦେଇଥିଲା। ପରେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନରୁ ଘଟଣାର ପ୍ରକୃତ ତଥ୍ୟ ସାମ୍ନାକୁ ଆସିଥିଲା।
ମହନୀଙ୍କ ପତ୍ନୀ କବିତା ଦାସଙ୍କ ଅଭିଯୋଗ ପରେ ଚନ୍ଦକା ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଏମ୍ସରୁ ଏସ୍ସିବି ମେଡିକାଲକୁ ସ୍ଥାନାନ୍ତର ହେବା ପରେ ଚିକିତ୍ସାଧୀନ ଅବସ୍ଥାରେ ମହନୀଙ୍କ ମୃତ୍ୟୁ ହୋଇଥିଲା। ପଚରାଉଚରା ସମୟରେ ବାପି ନିଜ ଦୋଷ ସ୍ୱୀକାର କରିଥିବା ପୁଲିସ କହିଛି। ଏହାପରେ ତାକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବାବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଛି।

