ପେଟ୍ରୋଲ ଢାଳି ଯୁବକଙ୍କୁ ଜାଳିଦେଲେ! ପୂର୍ବ ଶତ୍ରୁତାରୁ ଆକ୍ରମଣ ସନ୍ଦେହ
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ଅଞ୍ଚଳର ଗଣିଘଷା ଗାଁରେ ଜଣେ ଯୁବକଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେବା ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଘଟଣାରେ ୩୫ ବର୍ଷୀୟ କାନ୍ହୁ ମହାନ୍ତ ଗୁରୁତର ଭାବେ ଜଳିଯାଇଥିଲେ | ପ୍ରଥମେ ତାଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ଅବସ୍ଥା ଅତ୍ୟନ୍ତ ଗୁରୁତର ହେବାରୁ ତାଙ୍କୁ ରାଉରକେଲା ଆର୍ଜିଏଚ୍କୁ ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁସାରେ, କାନ୍ହୁ ଶୌଚ ପାଇଁ ଘର ବାହାରକୁ ଯାଇଥିବା ସମୟରେ ଦୁଇଜଣ ଯୁବକ ବାଇକ୍ରେ ଆସି ତାଙ୍କ ନିକଟରେ ପହଞ୍ଚିଥିଲେ। ଅଭିଯୋଗ ଅନୁଯାୟୀ, ସେମାନେ କାନ୍ହୁଙ୍କ ଉପରେ ପେଟ୍ରୋଲ ଢାଳିବା ପରେ ଲାଇଟରରେ ନିଆଁ ଲଗାଇଦେଇଥିଲେ। ଏହି ଆକ୍ରମଣରେ କାନ୍ହୁ ଗୁରୁତର ଭାବେ ଜଳିଯାଇଥିଲେ। ଗ୍ରାମବାସୀଙ୍କ କହିବା ଅନୁସାରେ, ଏହି ଆକ୍ରମଣ ପଛରେ ପୂର୍ବ ଶତ୍ରୁତା ଥାଇପାରେ। ଦଲମକୁଚା ଗାଁର ଏକ ପେଟ୍ରୋଲ ପମ୍ପ ମାଲିକଙ୍କ ସହ କାନ୍ହୁଙ୍କର ପୂର୍ବରୁ ବିବାଦ ଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି।
ଘଟଣା ସମ୍ପର୍କରେ ଖବର ପାଇ ଲହୁଣିପଡ଼ା ପୁଲିସ ତଦନ୍ତ ଆରମ୍ଭ କରିଛି। ଆକ୍ରମଣରେ କେଉଁମାନେ ସାମିଲ ଥିଲେ, ଆକ୍ରମଣର ପ୍ରକୃତ କାରଣ କ’ଣ ଏବଂ ପୂର୍ବ ବିବାଦର ଏହି ଘଟଣା ସହ କୌଣସି ସମ୍ପର୍କ ରହିଛି କି ନାହିଁ, ସେନେଇ ପୁଲିସ ବିଭିନ୍ନ ଦିଗରୁ ଛାନଭିନ୍ କରୁଛି। ତେବେ ତଦନ୍ତ ଶେଷ ହେବା ପରେ ହିଁ ଘଟଣାର ପ୍ରକୃତ କାରଣ ଓ ଅଭିଯୁକ୍ତଙ୍କ ସମ୍ପର୍କରେ ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସିବ।

