Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଫାଶିମାଲ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆଣ୍ଠୁଏ ପାଣି: ପ୍ରଶାସନର ଚରମ ଅବହେଳା ଓ ଉଦାସୀନତାକୁ ନେଇ ତୀବ୍ର ଅସନ୍ତୋଷ

ଜମନକିରା : ଗତକାଲି ରାତିରୁ ହୋଇଥିବା ଲଗାଣ ବର୍ଷା ଯୋଗୁଁ ଫାଶିମାଲ ଉଚ୍ଚ ବିଦ୍ୟାଳୟ ପରିସର ସମ୍ପୂର୍ଣ୍ଣ ଜଳମଗ୍ନ ହୋଇପଡ଼ିଛି। ବିଦ୍ୟାଳୟ ପରିସରରେ ଆଣ୍ଠୁଏ ଉଚ୍ଚର ବର୍ଷା ପାଣି ଜମି ରହିଥିବାରୁ ଏକ ପ୍ରକାର କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରଶାସନିକ ସ୍ତରରେ ସାଧାରଣ ଜଳ ନିଷ୍କାସନ (ଡ୍ରେନେଜ୍) ବ୍ୟବସ୍ଥା ନଥିବାରୁ ଆଜି କୋମଳମତି ଛାତ୍ରଛାତ୍ରୀମାନେ ବାଧ୍ୟ ହୋଇ ଜୋତା-ମୋଜା ହାତରେ ଧରି, ବିପଦପୂର୍ଣ୍ଣ ଭାବେ ଗୋଳିଆ ପାଣିରେ ପଶି ବିଦ୍ୟାଳୟକୁ ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଏହି ସମସ୍ୟା କୌଣସି ନୂଆ ଘଟଣା ନୁହେଁ। ବିଗତ ବର୍ଷ ମାନଙ୍କରେ ମଧ୍ୟ ପ୍ରତି ବର୍ଷା ଦିନେ ବିଦ୍ୟାଳୟ ପରିସର ଏହିପରି ପାଣି ଘେରରେ ରହୁଥିଲା। ଏହାକୁ ନେଇ ପୂର୍ବତନ ପ୍ରଧାନ ଶିକ୍ଷୟତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ଜମନକିରା ଗୋଷ୍ଠୀ ଉନ୍ନୟନ ଅଧିକାରୀ (BDO)ଙ୍କୁ ଡ୍ରେନେଜ୍ ନିର୍ମାଣ ପାଇଁ ଲିଖିତ ଭାବେ ବାରମ୍ବାର ଅଭିଯୋଗ କରାଯାଇଥିଲା। କିନ୍ତୁ ଅତ୍ୟନ୍ତ ପରିତାପର ବିଷୟ, ଗୋଷ୍ଠୀ ଅଧିକାରୀ ଏହାକୁ ସମ୍ପୂର୍ଣ୍ଣ କାନ ଫୋଡ଼ା ନୀତି ଅବଲମ୍ବନ କରି ଏଡ଼ାଇ ଦେଇଛନ୍ତି। ପ୍ରଶାସନର ଏହିଭଳି ଦାୟିତ୍ୱହୀନତା ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା କାରଣରୁ ଆଜି କୋମଳମତି ଶିଶୁମାନଙ୍କ ଭବିଷ୍ୟତ ଓ ଜୀବନ ବିପନ୍ନ ହେବାକୁ ବସିଛି। ବିଦ୍ୟାଳୟ ଚାରିପାଖରେ ପାଣି ଜମି ରହିବା ଫଳରେ କେବଳ ଯେ ପାଠ ପଢ଼ାରେ ଗୁରୁତର ବ୍ୟାଘାତ ସୃଷ୍ଟି ହୋଇଛି ତାହା ନୁହେଁ, ବରଂ ଜମି ରହିଥିବା ପାଣିରେ ସାପ, ବିଷାକ୍ତ କୀଟପତଙ୍ଗ ଏବଂ ଚର୍ମରୋଗ ଭଳି ସଂକ୍ରମଣର ଭୟ ଛାତ୍ରଛାତ୍ରୀଙ୍କୁ ଘାରିଛି। ବିଦ୍ୟାଳୟ ପରିସରରେ ଯଦି କୌଣସି ଅପ୍ରୀତିକର ଘଟଣା ଘଟେ, ତେବେ ଏଥିପାଇଁ କେବଳ ଓ କେବଳ ଜମନକିରା ବ୍ଲକ୍ ପ୍ରଶାସନ ଦାୟୀ ରହିବ ବୋଲି ସ୍ଥାନୀୟ ଅଭିଭାବକ ମାନେ ଚେତାବନୀ ଦେଇଛନ୍ତି। ସ୍ଥାନୀୟ ଜନପ୍ରତିନିଧି ଏହି ଗୁରୁତର ସମସ୍ୟାର ସ୍ଥିତି ଅନୁଧ୍ୟାନ କରି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଟେକ ମଞ୍ଜରୀ କୁସୁମ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଏବଂ ଗ୍ରାମ ପଞ୍ଚାୟତର ନାଏବ ସରପଞ୍ଚଙ୍କ ସହ ଆଲୋଚନା କରିଛନ୍ତି। ପ୍ରଧାନ ଶିକ୍ଷୟତ୍ରୀ କୁସୁମ ପ୍ରକାଶ କରିଛନ୍ତି ଯେ, ଖୁବ୍ ଶୀଘ୍ର ପରିଚାଳନା କମିଟିର ଜରୁରୀ ବୈଠକ ଡକାଯାଇ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବଡ଼ ଧରଣର ପଦକ୍ଷେପ ଗ୍ରହଣ କରାଯିବ। ଯଦି ଜମନକିରା ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ତୁରନ୍ତ କୁମ୍ଭକର୍ଣ୍ଣ ନିଦ୍ରାରୁ ସଚେତନ ହୋଇ ଜଳ ନିଷ୍କାସନ ପାଇଁ ପକ୍କା ଡ୍ରେନ୍ ନିର୍ମାଣ ନକରନ୍ତି, ତେବେ ଆଗାମୀ ଦିନରେ ସ୍ଥାନୀୟ ଗ୍ରାମବାସୀ, ଅଭିଭାବକ ଓ ଛାତ୍ରଛାତ୍ରୀ ମିଶି ରାଜପଥକୁ ଓହ୍ଲାଇବା ସହ ପ୍ରଶାସନ ବିରୋଧରେ ଦୃଢ଼ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ।
ଏସଂକ୍ରାନ୍ତରେ ବିଡ଼ିଓ ରବୀନ୍ଦ୍ର କୁମାର ସେଠୀଙ୍କୁ ଯୋଗାଯୋଗ କରି ପଚାରିବାରୁ ସେ ଖୁବ୍ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି କହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories