ଭୋଜପୁର ରେଙ୍ଗାଳବେଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟରେ ‘ହର୍ ଘର୍ ତିରଙ୍ଗା’ ଶୋଭାଯାତ୍ରା ଅନୁଷ୍ଠିତ
ଜମନକିରା : ଜମନକିରା ବ୍ଲକ୍ ଭୋଜପୁର ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ, ଭୋଜପୁର (ରେଙ୍ଗାଲବେଡ଼ା) ପରିସରରେ ରବିବାର ଦିନ ‘ହର୍ ଘର୍ ତିରଙ୍ଗା-୨୦୨୬’ କାର୍ଯ୍ୟକ୍ରମ ଅବସରରେ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମଟି ବିଦ୍ୟାଳୟର କ୍ରୀଡ଼ା ଶିକ୍ଷୟିତ୍ରୀ ଚାରୁଲତା ମାଝୀ ଏବଂ ଜୁନିୟର ରେଡକ୍ରସ୍ ର ମୁଖ୍ୟ ଇସମିଲେ ମିଞ୍ଜଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସଫଳତାର ସହ ପରିଚାଳିତ ହୋଇଥିଲା। ଏହି ଶୋଭାଯାତ୍ରାରେ ବିଦ୍ୟାଳୟର ଅଷ୍ଟମ, ନବମ ଏବଂ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ଉତ୍ସାହର ସହିତ ଭାଗ ନେଇଥିଲେ।
ଛାତ୍ରଛାତ୍ରୀମାନେ ହାତରେ ଜାତୀୟ ପତାକା ଧରି ଦେଶପ୍ରେମୀ ନାରାବାଜି ସହ ଗ୍ରାମ ଓ ଆଖପାଖ ଅଞ୍ଚଳ ପରିକ୍ରମା କରିଥିଲେ। ଦେଶପ୍ରେମର ଭାବନା ସୃଷ୍ଟି କରିବା ଏବଂ ପ୍ରତ୍ୟେକ ଘରେ ଜାତୀୟ ପତାକା ଉତ୍ତୋଳନ ପାଇଁ ସଚେତନତା ସୃଷ୍ଟି କରିବା ଏହି ଶୋଭାଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ।

