ଷଣ୍ଢପଥର ଏସ୍ଏସ୍ଡି ହାଇସ୍କୁଲ ଛାତ୍ର ନିଖୋଜ ଘଟଣାର ଦିଗ ବଦଳିଲା: ପୁଲିସ୍ର ‘ଉଦ୍ଧାର’ ଦାବି ଉପରେ ଉଠିଲା ପ୍ରଶ୍ନ; ପୀଡ଼ିତ ରାଗିଂ ଅଭିଯୋଗକୁ ଖଣ୍ଡନ କଲେ ସ୍କୁଲ କର୍ତ୍ତୃପକ୍ଷ ଓ ସହପାଠୀ
ଜମନକିରା : ଜମନକିରା ବ୍ଲକ୍ ଅନ୍ତର୍ଗତ ଷଣ୍ଢପଥର ଏସ୍ଏସ୍ଡି ହାଇସ୍କୁଲର ଜଣେ ନବମ ଶ୍ରେଣୀ ଛାତ୍ର ହଷ୍ଟେଲରୁ ନିଖୋଜ ହେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ତଦନ୍ତର ଦିଗ ବଦଳି ଯାଇଛି।ଏହି ଘଟଣାରେ ପୁଲିସ୍ର କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ରାଗିଂ ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଛନ୍ତି ସ୍କୁଲ କର୍ତ୍ତୃପକ୍ଷ ଓ ଦଶମ ଶ୍ରେଣୀର ଛାତ୍ରମାନେ। ଛାତ୍ର ଜଣକ ନିଖୋଜ ହେବା ପରେ ପୁଲିସ୍ ପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ତାଙ୍କୁ ସଫଳତାର ସହ ଉଦ୍ଧାର କରାଯାଇଥିବା ନେଇ ଗଣମାଧ୍ୟମ ଆଗରେ ପ୍ରେସ୍ ଇସ୍ତାହାର ମାଧ୍ୟମରେ ଜଣାଯାଇଥିଲା। ମାତ୍ର ପୁଲିସ୍ର ଏହି ଦାବିକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ପରିବାର ଲୋକଙ୍କ କହିବା ଅନୁଯାୟୀ, ପୁଲିସ୍ ନୁହେଁ, ବରଂ ସେମାନେ ନିଜେ ଖୋଜାଖୋଜି କରି ପିଲାଟିକୁ ଉଦ୍ଧାର କରିବା ପରେ ଆଣି ପୁଲିସ୍ ଆଗରେ ହାଜିର୍ କରିଥିବା କଥା କହିଥିବା ବେଳେ। ପୁଲିସ ନିଜେ ଉଦ୍ଧାର କରିଥିବା କଥା କହିଥିଲା। ଏଥିରୁ ପୁଲିସ୍ ନିଜର ବାହାବା ନେବା ପାଇଁ ମିଛ ଶ୍ରେୟ ନେଉଥିବା ଭଳି ଗୁରୁତର ଅଭିଯୋଗ ଉଠୁଛି। ପ୍ରକୃତରେ କିଏ ସତ କହୁଛି କିଏ ମିଛ କହୁଛି ଆଗକୁ ତଦନ୍ତରେ ଜଣାପଡ଼ିବ।ଅନ୍ୟପଟେ ପରିବାର ପକ୍ଷରୁ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ କୁଚିଣ୍ଡାଙ୍କ କାର୍ଯ୍ୟାଳୟରେ ଏକ ଅଭିଯୋଗ କରାଯାଇଥିବା ନେଇ ସୂଚନା ମିଳିଛି। ରାଗିଂ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କଲେ ଦଶମ ଶ୍ରେଣୀ ଛାତ୍ର ଅବିନାଶ ଓରାମ (୧୫)। ପୀଡ଼ିତ ଛାତ୍ର ଜଣକ ଦଶମ ଶ୍ରେଣୀର କିଛି ଛାତ୍ରଙ୍କ ବିରୋଧରେ ମାଡ଼ ମାରିବା, ରାଗିଂ କରିବା ଏବଂ ବିଭିନ୍ନ କାମ କରାଉଥିବା ନେଇ ଅଭିଯୋଗ କରିଥିଲେ। ତେବେ ଦଶମ ଶ୍ରେଣୀ ଛାତ୍ରମାନେ ଗଣମାଧ୍ୟମ ସମ୍ମୁଖରେ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ମନଗଢ଼ା ବୋଲି କହିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ଉକ୍ତ ନବମ ଶ୍ରେଣୀ ଛାତ୍ର ଜଣକ ପ୍ରାୟତଃ ବାଥ୍ରୁମ୍ ଭିତରେ ଘଣ୍ଟା ଘଣ୍ଟା ଧରି ମୋବାଇଲ୍ରେ ଜଣେ ଝିଅ ସହ କଥା ହେଉଥିଲେ। ଏଥିସହ ଉକ୍ତ ଛାତ୍ର ନିକଟସ୍ଥ ମାର୍କେଟ୍ ୟାର୍ଡକୁ ଯାଇ ଜଣେ କଲେଜ ପଢୁଥିବା ଉକ୍ତ ଝିଅଙ୍କୁ ମଧ୍ୟ ବାରମ୍ବାର ସାକ୍ଷାତ୍ କରୁଥିଲେ ବୋଲି ସମସ୍ତ ହଷ୍ଟେଲ ଛାତ୍ର ମାନେ ପ୍ରକାଶ କରିଛନ୍ତି। ଏହି ବିଶୃଙ୍ଖଳିତ ଆଚରଣ ବିଷୟରେ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜଣାଇ ଦେବୁ ବୋଲି ଦଶମ ଶ୍ରେଣୀ ଛାତ୍ରମାନେ ଚେତାବନୀ ଦେଇଥିଲେ ଓ ରୋହିତ ଧରିଥିବା ମୋବାଇଲ କୁ ଆଣି ହଷ୍ଟେଲ ଦାୟିତ୍ୱରେ ଥିବା ଶିକ୍ଷକଙ୍କ ଜିମା ଦେଇଥିଲେ। ନିଜର ଦୋଷ ଧରା ପଡ଼ିଯିବା ଭୟରେ ଏବଂ ଉକ୍ତ ଝିଅକୁ ଭେଟିବା ପାଇଁ ସେ ହଷ୍ଟେଲରୁ ଲୁଚି ଚାଲିଯାଇଥିବା ସେମାନେ ସ୍ପଷ୍ଟ କରିଛନ୍ତି। ଏହି ମାମଲାରେ ସ୍କୁଲର ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା ଶିକ୍ଷୟତ୍ରୀ ଲକ୍ଷ୍ମୀପ୍ରିୟା ସାହୁଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକ-ଶିକ୍ଷୟତ୍ରୀ ମାନେ ମଧ୍ୟ ଆଗକୁ ଆସି ରାଗିଂ ଅଭିଯୋଗକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି। ସେମାନେ କହିଛନ୍ତି ଯେ, ଛାତ୍ର ଜଣକ ଗତ ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଏହି ସ୍କୁଲରେ ପଢ଼ୁଛନ୍ତି। ସ୍କୁଲ କିମ୍ବା ହଷ୍ଟେଲ ପରିସରରେ କୌଣସି ପ୍ରକାର ରାଗିଂ ଘଟଣା ଘଟିନାହିଁ। ସ୍କୁଲ ପରିଚାଳନାରେ କୌଣସି ତ୍ରୁଟି ନାହିଁ। ଏହି ଘଟଣାକୁ ନେଇ ପୁଲିସ୍ର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠୁଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷ ଓ ପରିବାର ଲୋକଙ୍କ ବିପରୀତମୁଖୀ ଅଭିଯୋଗକୁ ଆଧାର କରି ପୁଲିସ୍ ଏବଂ ମଙ୍ଗଳ ବିଭାଗ ପକ୍ଷରୁ ନିରପେକ୍ଷ ତଦନ୍ତ ଜାରି ରହିଛି। ତଦନ୍ତ ପରେ ହିଁ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି। ଅନ୍ୟପଟେ ଆଜି ରୋହିତ୍ ୧୦ମ ଶ୍ରେଣୀ ପଢୁଥିବା ଅବିନାଶ ଓରାମ ବିରୋଧରେ ଆଣିଥିବା ଅଭିଯୋଗ କୁ ନେଇ ଅବିନାଶ ର ମାତା ପିତା( ରମାକାନ୍ତ ଓରାମ) ଆଜି ସ୍କୁଲ କୁ ଆସି ବାଝାବୁଝି କରି ପ୍ରଥମେ ଥାନା ଓ ପରେ ଅତିରିକ୍ତ ମଙ୍ଗଳ ଅଧିକାରୀଙ୍କ ପାଖକୁ ଯାଇ ଓଲଟା ଅଭିଯୋଗ କରିଥିବା ଜଣା ଯାଇଛି।
ଏସଂକ୍ରାନ୍ତରେ ଥାନା ଅଧିକାରୀ ରଞ୍ଜନ ନାଗଙ୍କୁ ପଚାରିବାରୁ ତଦନ୍ତ ଠିକ୍ ରେ କରାଯାଇଛି, ପୀଡ଼ିତ ରୋହିତ୍ କୌଣସି ବ୍ୟକ୍ତିଙ୍କ ପ୍ରରୋଚନାରେ ପଡ଼ି ମତ ବଦଳାଉଥିବା ର ମନେ ହୁଏ।

