ମୋଡିଫାଏଡ୍ ସାଇଲେନ୍ସର ଲଗାଇ ଗାଡ଼ିରେ ବିକଟାଳ ଶବ୍ଦ କଲେ କଡା କାର୍ଯ୍ୟାନୁଷ୍ଠାନ! ରିପୋର୍ଟ ପାଇଁ ଜାରି ହେଲା ହ୍ଵାଟ୍ସଆପ୍ ନମ୍ବର
ଭୁବନେଶ୍ୱର: ମୋଡିଫାଏଡ୍ ସାଇଲେନ୍ସର ଲଗାଇ ଅତ୍ୟଧିକ ଶବ୍ଦ କରୁଥିବା ଗାଡ଼ି ବିରୋଧରେ କମିଶନରେଟ୍ ପୁଲିସ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଆଇନ ଉଲ୍ଲଂଘନ କରି ବିକଟାଳ ଶବ୍ଦ କରୁଥିବା ଗାଡ଼ି ଉପରେ ନଜର ରଖାଯାଉଥିବା ବେଳେ ଏଭଳି ଗାଡ଼ିକୁ ଜବତ କରିବା ସହ ଆବଶ୍ୟକ ଆଇନଗତ ପଦକ୍ଷେପ ନିଆଯିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।
ଏଭଳି ଗାଡ଼ି ଚିହ୍ନଟ କରିବାରେ ପୁଲିସକୁ ସହଯୋଗ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ମୋଡିଫାଏଡ୍ ସାଇଲେନ୍ସର ଲଗାଇ ଅତ୍ୟଧିକ ଶବ୍ଦ କରୁଥିବା କୌଣସି ଗାଡ଼ି ଦେଖିଲେ ତାହାର ଫଟୋ କିମ୍ବା ଭିଡିଓ ସହ ଗାଡ଼ିର ରେଜିଷ୍ଟ୍ରେସନ୍ ନମ୍ବର ପୁଲିସକୁ ପଠାଇପାରିବେ।
ଏଥିପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ‘୮୨୮୦୩ ୩୮୩୦୨’ ହ୍ଵାଟ୍ସଆପ୍ ନମ୍ବର ଜାରି କରାଯାଇଛି। ମିଳୁଥିବା ସୂଚନା ଆଧାରରେ ପୁଲିସ ଗାଡ଼ି ଚିହ୍ନଟ କରି ନିୟମ ଅନୁଯାୟୀ ପଦକ୍ଷେପ ନେବ। ସୂଚନାଦାତାଙ୍କ ପରିଚୟ ଗୋପନୀୟ ରଖାଯିବ ବୋଲି ମଧ୍ୟ ପୁଲିସ ପକ୍ଷରୁ କୁହାଯାଇଛି।

