ବଢ଼ିଲା ଚାମେଲି ଓଝାଙ୍କ ଅଡୁଆ, ଅନାସ୍ଥା ଭୋଟ୍ ନେଇ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ମାମଲାରେ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ଅନାସ୍ଥା ଭୋଟ୍ ପ୍ରକ୍ରିୟା ଜାରି ରହିବ, ହେଲେ ହାଇକୋର୍ଟଙ୍କ ଅନୁମତି ବିନା ଏହାର ଫଳାଫଳ ଘୋଷଣା କରାଯାଇପାରିବ ନାହିଁ। ଏହି ନିର୍ଦ୍ଦେଶ ପରେ ଚାମେଲି ଓଝାଙ୍କ ଅଡୁଆ ଆହୁରି ବଢ଼ିଛି।
ସୂଚନା ଅନୁସାରେ, ତିଖିରି ପଞ୍ଚାୟତର ମୋଟ ୨୨ ଜଣ ସଭ୍ୟଙ୍କ ମଧ୍ୟରୁ ୨୧ ଜଣ ଚାମେଲି ଓଝାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ଏହି ପ୍ରସଙ୍ଗରେ ଅନାସ୍ଥା ଭୋଟ୍ ଆୟୋଜନ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ମାମଲା ହାଇକୋର୍ଟରେ ବିଚାରାଧୀନ ଥିବାରୁ ଭୋଟ୍ ପରେ ଫଳାଫଳ ପ୍ରକାଶ ଉପରେ କୋର୍ଟ ରୋକ୍ ଲଗାଇଛନ୍ତି।
ଅନ୍ୟପକ୍ଷରେ, ଗତ ଜୁନ୍ ୧୧ ତାରିଖରେ ମହାକାଳପଡ଼ା ବ୍ଲକ୍ କାର୍ଯ୍ୟାଳୟରେ ଉନ୍ନୟନ କାର୍ଯ୍ୟ ସମ୍ପର୍କିତ ଆଲୋଚନା ବେଳେ ଚାମେଲିଙ୍କୁ କେତେକ ବ୍ୟକ୍ତି ବାଧା ଦେବା ସହ ଧମକ ଦେଇଥିବା ଅଭିଯୋଗ ହୋଇଥିଲା। ସେ ଘଟଣାର ଭିଡିଓ ରେକର୍ଡ କରିବାରୁ ପୁଲିସ ଗାଡ଼ିରେ ତାଙ୍କୁ ମାଡ଼ ମରାଯାଇଥିବା ନେଇ ମଧ୍ୟ ଅଭିଯୋଗ ଆସିଥିଲା। ପରେ ମହାକାଳପଡ଼ା ପୁଲିସ ତାଙ୍କୁ ଗିରଫ କରି ଏସ୍ଡିଜେଏମ୍ କୋର୍ଟରେ ହାଜର କରାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ କେନ୍ଦ୍ରାପଡ଼ା ଉପକାରାଗାରକୁ ପଠାଯାଇଥିଲା। ପରେ ଅସୁସ୍ଥତା କାରଣରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଏହି ଘଟଣାକୁ ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ ମଧ୍ୟ ଘଟଣାରେ ପ୍ରତିକ୍ରିୟା ଦେଇଥିଲେ। କଂଗ୍ରେସ ସମେତ ବିଭିନ୍ନ ସଂଗଠନ ପକ୍ଷରୁ ଥାନା ସମ୍ମୁଖରେ ପ୍ରତିବାଦ କରାଯିବା ସହ ଏସ୍ପିଙ୍କୁ ଦାବିପତ୍ର ଦିଆଯାଇଥିଲା। ଜୁନ୍ ୧୭ ତାରିଖରେ ତାଙ୍କୁ ଗୋଟିଏ ମାମଲାରେ ଜାମିନ ମିଳିଥିଲା।

