ଓଡ଼ିଶା ଡିଜିପି ନିଯୁକ୍ତିକୁ ନେଇ ସୁପ୍ରିମକୋର୍ଟରେ ମାମଲା, ଆସନ୍ତାକାଲି ଜରୁରୀ ଶୁଣାଣି
ଭୁବନେଶ୍ୱର: ଓଡ଼ିଶା ପୋଲିସ୍ ଡିଜି ନିଯୁକ୍ତିକୁ ନେଇ ସୁପ୍ରିମକୋର୍ଟରେ ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାର ଜରୁରୀ ଶୁଣାଣି ପାଇଁ ସର୍ବୋଚ୍ଚ ଅଦାଲତ ରାଜି ହୋଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଏବଂ ଜଷ୍ଟିସ୍ ଭି. ମୋହନଙ୍କୁ ନେଇ ଗଠିତ ବେଞ୍ଚ ଏହି ମାମଲାକୁ ଆସନ୍ତାକାଲି ତାଲିକାଭୁକ୍ତ କରି ଶୁଣାଣି କରିବାକୁ ସମ୍ମତି ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ୍ ସୁପ୍ରିମକୋର୍ଟରେ ମାମଲା ଉପସ୍ଥାପନ କରିଛନ୍ତି।
ଦାୟର PILରେ ଅଭିଯୋଗ କରାଯାଇଛି ଯେ, ଓଡ଼ିଶା ସରକାର ଡିଜିପି ନିଯୁକ୍ତି ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶକୁ ଏଡ଼ାଇବାକୁ ଚେଷ୍ଟା କରୁଛନ୍ତି। ଏଥିପାଇଁ ଚୟନ ପ୍ୟାନେଲରେ ଅଯୋଗ୍ୟ ଅଧିକାରୀଙ୍କୁ ସାମିଲ କରାଯାଉଥିବା ଆବେଦନରେ ଦାବି କରାଯାଇଛି। ଆଇନଜୀବୀ ଚିଦାମ୍ବରମ୍ ଯୁକ୍ତି ଦେଇଛନ୍ତି ଯେ, ରାଜ୍ୟ ସରକାର UPSCକୁ ପଠାଇଥିବା ଅଧିକାରୀଙ୍କ ପୂର୍ବ ପ୍ୟାନେଲକୁ ପ୍ରତ୍ୟାହାର କରି ଏବେ ଏକ ନୂଆ ତାଲିକା ପ୍ରସ୍ତୁତ କରୁଛନ୍ତି। ଏଥିସହ ଦୁଇଜଣ ADG ରାଙ୍କର ପୋଲିସ୍ ଅଧିକାରୀଙ୍କୁ ପଦୋନ୍ନତି ଦେଇ ନୂଆ ପ୍ୟାନେଲରେ ସାମିଲ କରିବାକୁ ଉଦ୍ୟମ ହେଉଥିବା ସେ ଅଭିଯୋଗ କରିଛନ୍ତି।
ଶୁଣାଣି ସମୟରେ ମୁଖ୍ୟ ବିଚାରପତି କହିଥିଲେ ଯେ, କେଉଁ ଅଧିକାରୀ ଯୋଗ୍ୟ ଏବଂ କାହାର ନାଁ ବିଚାରକୁ ନିଆଯିବା ଆବଶ୍ୟକ, ସେ ସମ୍ପର୍କରେ UPSC ଅବଗତ ଅଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ UPSC କାର୍ଯ୍ୟ କରିବ ବୋଲି ଅଦାଲତ ଆଶା ପ୍ରକାଶ କରିଛନ୍ତି। ଏହି ମଧ୍ୟରେ ଆସନ୍ତା ୧୩ ତାରିଖରେ ଓଡ଼ିଶା ଡିଜିପି ଚୟନ ପ୍ରକ୍ରିୟା ନେଇ UPSCର ବୈଠକ ବସିବାକୁ ଥିବା ସୂଚନା ମିଳିଛି। ତେଣୁ ଏହି ମାମଲାର ଆଗାମୀ ଶୁଣାଣି ଉପରେ ଏବେ ସମସ୍ତଙ୍କ ନଜର ରହିଛି।

