Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା ବ୍ଲକ ପ୍ରଶାସନର ଦୂର ଦୃଷ୍ଟିହୀନତା: ବନ୍ଧ ନିର୍ମାଣ ସାଜିଲା କାଳ, ଘର ବାଡ଼ ଭିତରେ ଆଣ୍ଠୁଏ ପାଣି;ଜଳବନ୍ଦୀ ଜୀବନ ବିତାଉଛନ୍ତି ବୃଦ୍ଧ ଦମ୍ପତି

ଜମନକିରା : ଜମନକିରା ବ୍ଲକ ପ୍ରଶାସନର ବେପରୁଆ ମନୋଭାବ ଏବଂ ଦୂରଦୃଷ୍ଟିର ଅଭାବ ଯୋଗୁଁ ଆଜି ଟିକିଲିପଡ଼ା ଅଞ୍ଚଳର ଏକ ବୃଦ୍ଧ ଦମ୍ପତିଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଏହି ଘଟଣା ସମ୍ପୃକ୍ତ ଅଞ୍ଚଳରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିବା ସହିତ ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନଚିହ୍ନ ଲଗାଇଛି। ଏକ ଖବର ସରବରାହ ସଂସ୍ଥାକୁ ମିଳିଥିବା ସୂଚନା ଅନୁଯାୟୀ, ୮୦ ବର୍ଷୀୟ ପୂର୍ଣ୍ଣଚନ୍ଦ୍ର ପଟେଲ ଏବଂ ତାଙ୍କ ପତ୍ନୀ ସେମାନଙ୍କ ଘରେ ଏକାକୀ ବସବାସ କରୁଛନ୍ତି। କିଛି ଦିନ ତଳେ ବ୍ଲକ ପ୍ରଶାସନ ପକ୍ଷରୁ ତାଙ୍କ ଘର ବାଡ଼କୁ ଲାଗି ଏକ ବନ୍ଧ ଖନନ କରି ହିଡ ଦିଆଯାଇଥିଲା। କିନ୍ତୁ, ଯୋଜନା ଓ କାର୍ଯ୍ୟକାରିତାରେ ଥିବା ତ୍ରୁଟି ଯୋଗୁଁ, ଏହି ନୂତନ ନିର୍ମାଣ ବର୍ତ୍ତମାନ ଏକ ବଡ଼ ସମସ୍ୟାର କାରଣ ପାଲଟିଛି। ପ୍ରତିଥର ବର୍ଷା ହେଲେ, ପାଣି ନିଷ୍କାସନ ହୋଇ ନ ପାରି ବୃଦ୍ଧ ଦମ୍ପତିଙ୍କ ବାଡ଼ ଭିତରେ ଆଣ୍ଠୁଏ ପାଣି ଜମି ରହୁଛି। ଫଟୋ ଗୁଡିକରେ ଜଳମଗ୍ନ ପରିବେଶ ଓ କଷ୍ଟରେ ବଢୁଥିବା ପନିପରିବା ଗଛ ଗୁଡ଼ିକ ଏହାର ଜ୍ଵଳନ୍ତ ଉଦାହରଣ। ବୃଦ୍ଧ ଦମ୍ପତିଙ୍କ ଅଭିଯୋଗ ଅନୁଯାୟୀ, ଯଦି ବର୍ଷାର ପରିମାଣ ବୃଦ୍ଧି ପାଏ, ତେବେ ପାଣି ଘର ଭିତରକୁ ପଶିବା ଏବଂ ଘର ଭାଙ୍ଗି ଯିବାର ବେଶି ଆଶଙ୍କା ରହିଛି। ସେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଡ଼ମ୍ବନାର ବିଷୟ ଏହି ଯେ, ୧୫ ଦିନରୁ ଅଧିକ ସମୟ ଧରି କନିଷ୍ଟ ଯନ୍ତ୍ରୀ ବିଦ୍ୟାଧର ଟୁଡୁଙ୍କୁ ଫୋନ କଲେ ମଧ୍ୟ ସେ ଫୋନ ଉଠାଉ ନାହାଁନ୍ତି କିମ୍ବା କୌଣସି ଉତ୍ତର ଦେଉ ନାହାଁନ୍ତି। ଫଳରେ, ସେମାନଙ୍କ ସମସ୍ୟାର ସମାଧାନ ହୋଇପାରୁ ନାହିଁ। ବୃଦ୍ଧ ଦମ୍ପତି ବ୍ଲକ ଉନ୍ନୟନ ଅଧିକାରୀ (ବିଡ଼ିଓ) ରବୀନ୍ଦ୍ର କୁମାର ସେଠୀଙ୍କୁ ଜଣାଇଲେ ମଧ୍ୟ ସେ କେବଳ ପ୍ରତିକାରର ପ୍ରତିଶୃତି ଦେଉଛନ୍ତି। ବାସ୍ତବରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ପ୍ରଶାସନର ଏଭଳି ଉଦାସୀନତା ଏବଂ ଦାୟିତ୍ୱହୀନତା ବୃଦ୍ଧ ଦମ୍ପତିଙ୍କ ଜୀବନକୁ ବିପଦସଙ୍କୁଳ କରିଦେଇଛି। ଏହି ଘଟଣା ଜଣାପଡିବା ପରେ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସେମାନେ ପ୍ରଶାସନର ଦାୟିତ୍ୱହୀନ କାର୍ଯ୍ୟକୁ କଡା ସମାଲୋଚନା କରିବା ସହିତ ତୁରନ୍ତ ଉଚ୍ଚ କର୍ତ୍ତୃପକ୍ଷ ଶୀଘ୍ର ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି। ବୃଦ୍ଧ ଦମ୍ପତିଙ୍କୁ ନ୍ୟାୟ ପ୍ରଦାନ କରିବା ଏବଂ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନେବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories