ମଣିଷର ମସ୍ତିଷ୍କ ଉପରେ ବଡ଼ ଗବେଷଣା, ଲାବରେଟୋରୀରେ ତିଆରି ହେଉଛି ‘ମିନି ବ୍ରେନ୍’; କିପରି ହେବ ଏହାର ବ୍ୟବହାର…
ନୂଆଦିଲ୍ଲୀ: ବିଜ୍ଞାନ ଜଗତରେ ମାନବ ମସ୍ତିଷ୍କକୁ ବୁଝିବା ପାଇଁ ଏକ ନୂଆ ଦିଗରେ ପରୀକ୍ଷା କରୁଛନ୍ତି ବୈଜ୍ଞାନିକମାନେ। ବୈଜ୍ଞାନିକମାନେ ଲାବରେଟୋରୀରେ ମାନବ ଷ୍ଟେମ୍ ସେଲ୍ରୁ ଛୋଟ ୩-ଡି ମସ୍ତିଷ୍କ ଭଳି ଗଠନ ତିଆରି କରୁଛନ୍ତି। ଏଗୁଡ଼ିକୁ ବ୍ରେନ୍ ଅର୍ଗାନଏଡ୍ ବା ସାଧାରଣ ଭାଷାରେ ‘ମିନି ବ୍ରେନ୍’ ବୋଲି କୁହାଯାଏ। ଏହା ଆକାରରେ ମଣିଷର ପ୍ରକୃତ ମସ୍ତିଷ୍କଠାରୁ ଅତ୍ୟନ୍ତ ଛୋଟ ଏବଂ ଏଥିରେ ପୂର୍ଣ୍ଣ ମସ୍ତିଷ୍କ ଭଳି ସମସ୍ତ କାର୍ଯ୍ୟ ହୁଏ ନାହିଁ। ତଥାପି ଏଥିରେ ଥିବା ନ୍ୟୁରନ୍ ଓ ଅନ୍ୟ ସ୍ନାୟୁ କୋଷ ପରସ୍ପର ସହ ସଙ୍କେତ ଆଦାନପ୍ରଦାନ କରିପାରନ୍ତି।
ଏହି ‘ମିନି ବ୍ରେନ୍’ ତିଆରି କରିବା ପାଇଁ ଷ୍ଟେମ୍ ସେଲ୍କୁ ନିୟନ୍ତ୍ରିତ ପରିବେଶରେ ବଢ଼ାଯାଏ। ବିଶେଷ ପୋଷକ ଓ ରାସାୟନିକ ପରିବେଶ ମାଧ୍ୟମରେ କୋଷଗୁଡ଼ିକୁ ଧୀରେ ଧୀରେ ନ୍ୟୁରନ୍ ଓ ଅନ୍ୟ ସ୍ନାୟୁ କୋଷରେ ପରିଣତ କରାଯାଏ। ଏହାର ସବୁଠାରୁ ବଡ଼ ଉପଯୋଗ ହେଉଛି ମସ୍ତିଷ୍କ ସମ୍ପର୍କିତ ରୋଗ ଉପରେ ଗବେଷଣା। ଆଲଜାଇମର୍ସ, ପାର୍କିନ୍ସନ୍ସ, ଅଟିଜମ୍ ଓ ସ୍କିଜୋଫ୍ରେନିଆ ଭଳି ରୋଗରେ ମସ୍ତିଷ୍କ କୋଷରେ କ’ଣ ପରିବର୍ତ୍ତନ ହୁଏ, ତାହା ବୁଝିବାରେ ଏହି ଅର୍ଗାନଏଡ୍ ବୈଜ୍ଞାନିକଙ୍କୁ ସାହାଯ୍ୟ କରୁଛି। ଏହା ସହ ନୂଆ ଔଷଧର ପ୍ରଭାବ ମସ୍ତିଷ୍କ କୋଷ ଉପରେ କିପରି ପଡ଼ୁଛି, ତାହା ମଧ୍ୟ ଲାବରେଟୋରୀରେ ଅଧ୍ୟୟନ କରାଯାଇପାରୁଛି।
ଏହି ପ୍ରଯୁକ୍ତିର ଆଉ ଏକ ରୋଚକ ଦିଗ ହେଉଛି ବାୟୋ-କମ୍ପ୍ୟୁଟିଂ। କିଛି ଗବେଷଣାରେ ଜୀବନ୍ତ ସ୍ନାୟୁ କୋଷକୁ ଇଲେକ୍ଟ୍ରୋନିକ୍ ଚିପ୍ ସହ ଯୋଡ଼ି ତଥ୍ୟ ପ୍ରକ୍ରିୟାକରଣର ସମ୍ଭାବନା ଖୋଜାଯାଉଛି। ଭବିଷ୍ୟତରେ ଏହା AI ଓ କମ୍ପ୍ୟୁଟିଂ କ୍ଷେତ୍ରକୁ ନୂଆ ଦିଗ ଦେଇପାରେ। ତେବେ ଏହାକୁ ନେଇ କିଛି ନୈତିକ ପ୍ରଶ୍ନ ମଧ୍ୟ ରହିଛି। ବର୍ତ୍ତମାନର ମିନି ବ୍ରେନ୍ ମଣିଷ ଭଳି ଚିନ୍ତା କରେ କିମ୍ବା ଚେତନା ରଖେ ବୋଲି ପ୍ରମାଣ ନାହିଁ। ତେଣୁ ଗବେଷଣା ଆଗକୁ ବଢ଼ିବା ସହ ଏହାର ବ୍ୟବହାର ପାଇଁ ନିରାପଦ ଓ ନୈତିକ ନିୟମ ତିଆରି କରିବା ମଧ୍ୟ ସେତିକି ଜରୁରୀ।

