ଅବପାତରେ ପରିଣତ ହେବ ଲଘୁଚାପ, ପ୍ରବଳ ବର୍ଷା ନେଇ ଏହି ସବୁ ଜିଲ୍ଲାକୁ ସତର୍କତା…
ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଆହୁରି ଘନୀଭୂତ ହେବ। ପାଣିପାଗ ବିଭାଗର ଆକଳନ ଅନୁସାରେ, ଗୁରୁବାର ଏହା ଅବପାତର ରୂପ ନେଇପାରେ। ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷାର ପରିମାଣ ବଢ଼ିବା ସମ୍ଭାବନା ରହିଛି।
ଗୁରୁବାର କେନ୍ଦୁଝରରେ ପାଇଁ ପ୍ରବଳ ବର୍ଷା ହେବା ନେଇ ଆଲର୍ଟ ଜାରି କରାଯାଇଛି। ସେହିପରି ବାଲେଶ୍ୱର, ଯାଜପୁର, କଟକ, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ ଓ ମୟୂରଭଞ୍ଜରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା ରହିଛି। ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗୀର, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ।
ଆସନ୍ତାକାଲି ଅର୍ଥାତ ଶୁକ୍ରବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହାସହ ୧୫ ଓ ୧୬ ଅଗଷ୍ଟରେ ଉତ୍ତର ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିପାରେ। ଗତ ୨୪ ଘଣ୍ଟାରେ ପାରଳାଖେମୁଣ୍ଡିରେ ୨୯.୪ ମିମି, ଫୁଲବାଣୀରେ ୨୬.୮ ମିମି, ମାଲକାନଗିରିରେ ୨୬.୬ ମିମି ଏବଂ ନବରଙ୍ଗପୁରରେ ୨୧.୨ ମିମି ବର୍ଷା ରେକର୍ଡ ହୋଇଛି।

