କଟକରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ:ଅଭିଯୁକ୍ତ ନାବାଳକଙ୍କ ନାମରେ ବାଦାମବାଡ଼ି ଥାନାରେ ମାମଲା ରୁଜୁ
କଟକ: କଟକର ବାଦାମବାଡ଼ି ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଇ ନାବାଳକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ବାଦାମବାଡ଼ି ଥାନାରେ ମାମଲା ରୁଜୁ ପରେ ପୁଲିସ ଦୁଇ ଅଭିଯୁକ୍ତ ନାବାଳକଙ୍କୁ ଧରିଛି। ଘଟଣା ସାମ୍ନାକୁ ଆସିବା ପରେ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
ସୂଚନା ଅନୁସାରେ, କଟକର ଏକ କଲେଜରେ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ପଢ଼ୁଥିବା ୧୬ ବର୍ଷୀୟା ନାବାଳିକାଙ୍କ ସହ ଜଣେ ୧୬ ବର୍ଷୀୟ ନାବାଳକଙ୍କର ବନ୍ଧୁତା ହୋଇଥିଲା। ଅଭିଯୋଗ ଅନୁସାରେ, ଗତ ମାସରେ ନାବାଳକ ଜଣକ ନାବାଳିକାଙ୍କୁ ବାଦାମବାଡ଼ି ଅଞ୍ଚଳର ଏକ ହୋଟେଲକୁ ଡାକିଥିଲେ। ସେଠାରେ ତାଙ୍କର ଜଣେ ୧୭ ବର୍ଷୀୟ ବନ୍ଧୁ ମଧ୍ୟ ପହଞ୍ଚିଥିଲେ। ପୁଲିସରେ ହୋଇଥିବା ଅଭିଯୋଗ ଅନୁସାରେ, ଦୁଇ ନାବାଳକ ହୋଟେଲ ରୁମ୍ରେ ନାବାଳିକାଙ୍କୁ ପର୍ଯ୍ୟାୟକ୍ରମେ ଦୁଷ୍କର୍ମ କରିଥିଲେ।
ଘଟଣା ପରେ ନାବାଳିକା ମାନସିକ ଭାବେ ଭାଙ୍ଗିପଡ଼ିଥିବା ଜଣାପଡ଼ିଛି। ନିକଟରେ ସେ ମହାନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା। ତେବେ ସେ ସୌଭାଗ୍ୟବଶତଃ ବଞ୍ଚିଯାଇଥିଲେ। ପରେ ପୁଲିସ ପଚରାଉଚରା କରିବା ସମୟରେ ଗଣଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଥିଲା। ଏନେଇ ବାଦାମବାଡ଼ି ଥାନା ପୁଲିସ ମାମଲା ରୁଜୁ କରି ଦୁଇ ନାବାଳକଙ୍କୁ ଧରିଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।

