ଶ୍ରେଣୀ କୋଠରୀ ଅଭାବ, ୩ ଟି କୋଠରୀରେ ୯ ଟି ଶ୍ରେଣୀର ଛୁଆ; ଅଧାପନ୍ତରିଆ ଘର ନିର୍ମାଣ ହୋଇ ପଡ଼ିରହିଛି, ୨ବର୍ଷ ହେଲା କର୍ଣ୍ଣପାତ କରୁନି ପ୍ରଶାସନ
ଜମନକିରା : ଦେଶ ଓ ରାଜ୍ୟରେ ଶିକ୍ଷାର ବିକାଶ ପାଇଁ କୋଟି କୋଟି ଟଙ୍କାର ଯୋଜନା ପ୍ରଣୟନ କରାଯାଉଥିବା ବେଳେ ଗ୍ରାମାଞ୍ଚଳରେ ଏହାର ବାସ୍ତବ ଚିତ୍ର ଅତ୍ୟନ୍ତ ନିରାଶାଜନକ। ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଟିକିବା ପଞ୍ଚାୟତ ଅନ୍ତର୍ଗତ କ୍ରୀମାଲୋଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଆସିଛି ଏଭଳି ଏକ ଚିନ୍ତାଜନକ ଖବର, ଯେଉଁଠି ଶ୍ରେଣୀ କୋଠରୀ ଅଭାବ ଯୋଗୁଁ କୋମଳମତି ଛାତ୍ରଛାତ୍ରୀମାନେ ଅକଥନୀୟ ଅବସ୍ଥାରେ ଶିକ୍ଷା ଗ୍ରହଣ କରିବାକୁ ବାଧ୍ୟ ହେଉଛନ୍ତି।
୮୫ ପିଲାଙ୍କ ପାଇଁ ରହିଛି ମାତ୍ର ୩ଟି କୋଠରୀ। ବିଦ୍ୟାଳୟରେ ଶିଶୁବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୮୫ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ନିୟମାନୁସାରେ ଏଠାରେ ଅନ୍ତତଃ ୯ଟି ଶ୍ରେଣୀ କୋଠରୀ ରହିବା ଆବଶ୍ୟକ। ମାତ୍ର ବିଦ୍ୟାଳୟରେ ରହିଛି ମାତ୍ର ୩ଟି କୋଠରୀ। ଫଳରେ ଗୋଟିଏ ଗୋଟିଏ କୋଠରୀରେ ଏକାଧିକ ଶ୍ରେଣୀର ପିଲାଙ୍କୁ ବସାଇ ଶିକ୍ଷାଦାନ କରିବାକୁ ପଡ଼ୁଛି। ଶ୍ରେଣୀ କୋଠରୀର ଏଭଳି ଘୋର ଅଭାବ ଯୋଗୁଁ ପ୍ରାୟ ୫୦ରୁ ଅଧିକ ଛାତ୍ରଛାତ୍ରୀ କେତେ ବେଳେ ବାରଣ୍ଡାରେ କେତେ ବେଳେ ୪ଟି ଶ୍ରେଣୀର ଛୁଆ ଗୋଟିଏ କୋଠରୀରେ ପାଠ ପଢୁଛନ୍ତି। ଗତ ୨ ବର୍ଷ ହେଇଯିବ ବ୍ଲକ ପ୍ରଶାସନ ପକ୍ଷରୁ ନିର୍ମାଣାଧୀନ ଥିବା ଏକ ଅଧାପନ୍ତରିଆ କୋଠରୀରେ ଟି ଛାତ ପର୍ଯ୍ୟନ୍ତ ନିର୍ମାଣ କରି ଛାଡ଼ି ଦେଇଛନ୍ତି।ବସି ପାଠ ପଢୁଛନ୍ତି। ଶ୍ରେଣୀ କୋଠରୀ ଅଭାବ ଯୋଗୁଁ ଖରା, ବର୍ଷା ଓ ଶୀତରେ ପିଲାମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଦ୍ୟାଳୟର ଏହି ଗୁରୁତର ସମସ୍ୟା ନେଇ ସ୍କୁଲ ପରିଚାଳନା କମିଟି (SMC) ଏବଂ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତରଫରୁ ବ୍ଲକ ପ୍ରଶାସନ ଓ ଶିକ୍ଷା ବିଭାଗ ନିକଟରେ ବାରମ୍ବାର ଗୁହାରି କରାଯାଇଛି। ମାତ୍ର ଦୁଇ ବର୍ଷ ବିତିଯାଇଥିଲେ ବି ଏହାର କୌଣସି ପ୍ରତିକାର ବ୍ୟବସ୍ଥା କରାଯାଇ ନାହିଁ। ପ୍ରଶାସନିକ ଅବହେଳା ଯୋଗୁଁ ନିର୍ମାଣାଧୀନ କୋଠରୀଟି ଦୀର୍ଘ ଦିନ ହେଲା ଅଧାପନ୍ତରିଆ ହୋଇ ପଡ଼ିରହିଛି। ସମସ୍ୟା ବାବଦରେ ବାରମ୍ବାର ଜଣାଯାଉଥିଲେ ବି କୌଣସି ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି। ତୁରନ୍ତ ପଦକ୍ଷେପ ନେବାକୁ ଦାବି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ତୁରନ୍ତ ଏହାର ପ୍ରତିକାର ବ୍ୟବସ୍ଥା କରୁ। ଅଧାପନ୍ତରିଆ ହୋଇ ପଡ଼ିଥିବା ଘରର ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବା ସହ ବିଦ୍ୟାଳୟ ପାଇଁ ଆବଶ୍ୟକ ହେଉଥିବା ଅତିରିକ୍ତ ଶ୍ରେଣୀ କୋଠରୀ ଯୋଗାଇ ଦେବାକୁ ଗ୍ରାମବାସୀ, ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି ଦୃଢ଼ ଦାବି କରିଛନ୍ତି।

