Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବନ୍ୟା ଆଶଙ୍କାରେ ଓଡ଼ିଶାର ୩ ଜିଲ୍ଲା, ବାଲେଶ୍ୱରରେ ସ୍ଥାନାନ୍ତରଣ ଆରମ୍ଭ; ମୁତୟନ ୧୦ ଓଡ୍ରାଫ ଓ ୭ ଏନ୍‌ଡିଆର୍‌ଏଫ୍ ଟିମ୍

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଥିବା ନଦୀ ଜଳସ୍ତରକୁ ନେଇ ବନ୍ୟା ଆଶଙ୍କା ବଢ଼ିଛି। ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଥିବା ବେଳେ ସ୍ଥିତି ଉପରେ ପ୍ରଶାସନ ନଜର ରଖିଛି। ବିଶେଷକରି ବାଲେଶ୍ୱରରେ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏପଟେ ଜଳକା, ସାଳନ୍ଦୀ, ବୈତରଣୀ, ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀର ଜଳସ୍ତର ଆହୁରି ବଢ଼ିବାର ଆଶଙ୍କା ରହିଛି।

ସ୍ୱତନ୍ତ୍ର ରିଲିଫ କମିଶନର ରାଜେଶ ପ୍ରଭାକର ପାଟିଲ କହିଛନ୍ତି ଯେ, ବନ୍ୟା ସ୍ଥିତି ଉପରେ ନିରନ୍ତର ନଜର ରହିଛି ଏବଂ ଗ୍ରାଉଣ୍ଡରେ ଅଧିକାରୀମାନେ ମୁତୟନ ଅଛନ୍ତି। ବୁଢ଼ାବଳଙ୍ଗ ନଦୀରେ ବର୍ଷା ଯୋଗୁଁ ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରିଥିବାରୁ ଏହାର ପ୍ରଭାବ ବାଲେଶ୍ୱରରେ ପଡ଼ିବାର ଆଶଙ୍କା ରହିଛି। ବାଲେଶ୍ୱର ସଦର ଓ ରେମୁଣାର ପ୍ରାୟ ୧୫ଟି ପଞ୍ଚାୟତ ପ୍ରଭାବିତ ହେବାର ଆଶଙ୍କା ଥିବା ବେଳେ ଭୋଗରାଇ ଓ ବସ୍ତା ବ୍ଲକକୁ ମଧ୍ୟ ସତର୍କ କରାଯାଇଛି। ଝାଡ଼ଖଣ୍ଡରେ ଅଧିକ ବର୍ଷା ହୋଇଥିବାରୁ ସୁବର୍ଣ୍ଣରେଖା ସମେତ କିଛି ନଦୀରେ ଜଳସ୍ତର ବଢ଼ିଥିବା ସୂଚନା ମିଳିଛି।

ତେବେ ସ୍ଥିତିର ମୁକାବିଲା ପାଇଁ ରାଜ୍ୟରେ ୧୦ଟି ଓଡ୍ରାଫ ଓ ୭ଟି ଏନ୍‌ଡିଆର୍‌ଏଫ୍ ଟିମ୍ ମୁତୟନ ହୋଇଛନ୍ତି। ଆହୁରି ୪ଟି ଟିମ୍‌କୁ ପ୍ରସ୍ତୁତ ରଖାଯାଇଛି। ବାଲେଶ୍ୱରରେ ୮ଟି ଟିମ୍, ଯାଜପୁରରେ ୨ଟି ଓଡ୍ରାଫ ଓ ଗୋଟିଏ ଏନ୍‌ଡିଆର୍‌ଏଫ୍ ଟିମ୍ ଏବଂ ଭଦ୍ରକରେ ୨ଟି ଟିମ୍ ମୁତୟନ ଅଛନ୍ତି। ଯାଜପୁର, କେନ୍ଦୁଝର ଓ ମୟୂରଭଞ୍ଜର ପ୍ରଭାବିତ ଅଞ୍ଚଳରେ ମଧ୍ୟ ପ୍ରଶାସନିକ ଟିମ୍ ଓ ଜିଲ୍ଲାପାଳମାନେ ସ୍ଥିତି ଉପରେ ନଜର ରଖିଛନ୍ତି। ଆନନ୍ଦପୁରରେ ଜଳସ୍ତର ବିପଦ ସଙ୍କେତ ଉପରେ ରହିଥିବା ବେଳେ ବାରିପଦାରେ ବୁଢ଼ାବଳଙ୍ଗର ଜଳସ୍ତର କମିଥିବା ଜଣାପଡ଼ିଛି। ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଏସ୍‌ଆର୍‌ସି କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories