ପୁରୀ ଷ୍ଟେସନ୍ ନିକଟରେ ଲାଇନଚ୍ୟୁତ ହେଲା ତାଳଚେର-ପୁରୀ ଟ୍ରେନ୍, ବଡ଼ ଅଘଟଣରୁ ବର୍ତ୍ତିଲେ ଯାତ୍ରୀ
ପୁରୀ ଷ୍ଟେସନ୍ ନିକଟରେ ଅଳ୍ପକେ ବଡ଼ ଦୁର୍ଘଟଣାରୁ ବର୍ତ୍ତିଛି ତାଳଚେର-ପୁରୀ ଟ୍ରେନ୍। ପୁରୀ ଷ୍ଟେସନ୍ଠାରୁ ପ୍ରାୟ ୫୦୦ ମିଟର ଦୂରରେ ଟ୍ରେନ୍ଟି ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି। ତାଳଚେରରୁ ପୁରୀ ଅଭିମୁଖେ ଆସୁଥିବା ସମୟରେ ଷ୍ଟେସନ୍ ନିକଟରେ ହଠାତ୍ ଏହି ଘଟଣା ଘଟିଥିଲା। ଟ୍ରେନ୍ ଲାଇନଚ୍ୟୁତ ହେବା ପରେ ଯାତ୍ରୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଥିଲା। ତେବେ ଏଥିରେ କୌଣସି ଯାତ୍ରୀ ମୃତାହତ ହୋଇନଥିବା ସୂଚନା ମିଳିଛି।
ଘଟଣା ପରେ ରେଳ ବିଭାଗ ପକ୍ଷରୁ ତତ୍ପରତା ବଢ଼ାଯାଇଛି। ଲାଇନଚ୍ୟୁତ ଟ୍ରେନ୍କୁ ପୁଣି ଟ୍ରାକ୍କୁ ଆଣିବା ସହ ରେଳ ଚଳାଚଳ ସ୍ୱାଭାବିକ କରିବା ପାଇଁ କାମ ଆରମ୍ଭ ହୋଇଛି। ଘଟଣାସ୍ଥଳରେ ରେଳ କର୍ମଚାରୀମାନେ ପହଞ୍ଚି ଉଦ୍ଧାର ଓ ମରାମତି କାର୍ଯ୍ୟ ଜାରି ରଖିଛନ୍ତି।
ତେବେ ଟ୍ରେନ୍ଟି କେଉଁ କାରଣରୁ ଲାଇନଚ୍ୟୁତ ହେଲା, ସେନେଇ ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ। ଷ୍ଟେସନ୍ଠାରୁ ମାତ୍ର କିଛି ଦୂରରେ ଘଟଣା ଘଟିଥିବାରୁ ବଡ଼ ଅଘଟଣ ଟଳିଯାଇଥିବା କୁହାଯାଉଛି।

