କାଦୁଅ ପଚପଚ ଜମନକିରା ଡାକ୍ତରଖାନା ପରିସର ପ୍ୟାରେଡ୍ ପ୍ରସ୍ତୁତି ଏକ ପ୍ରହସନ: ବ୍ଲକ ପ୍ରଶାସନର ଜିଦ୍ ଆଗରେ ବଳି ପଡ଼ିବ ରୋଗୀଙ୍କ ସ୍ୱାର୍ଥ
ଜମନକିରା : ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଭଳି ଅସହାୟ ରୋଗୀଙ୍କ ହୋଇପାରେ ସ୍ଥିତି, ଆଉ ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ପ୍ୟାରେଡ୍ର ଆୟୋଜନ। ଏଭଳି ଏକ ଚରମ ସମ୍ବେଦନହୀନ ତଥା ଖାମଖିଆଲି ମନୋଭାବ ଏବେ ବ୍ଲକ ପ୍ରଶାସନ ଓ ଉତ୍ସବ ଆୟୋଜନ କମିଟିର କାର୍ଯ୍ୟଦକ୍ଷତା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
* ପ୍ରସ୍ତୁତି ବୈଠକରେ ବିରୋଧ ସତ୍ତ୍ୱେ ଜାଗା ବଦଳାଇଲାନି କମିଟି
* ବର୍ଷାରେ ବେହାଲ ପଡ଼ିଆ; ପାଣି, କାଦୁଅ ଓ ନିର୍ମାଣ ସାମଗ୍ରୀ ଭିତରେ କେମିତି ହେବ ପ୍ୟାରେଡ୍?
* ଡାକ୍ତରଖାନା ଭିତରେ ହେବ କୋଳାହଳ: ପ୍ରଶାସନର ସମ୍ବେଦନହୀନତା ନିଷ୍ପତି ଚରମ ସୀମାରେ….
ପ୍ରାପ୍ତ ସୂଚନା ଅନୁସାରେ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ପଡ଼ିଆରେ ପ୍ୟାରେଡ୍ କରାଇବା ପାଇଁ ପ୍ରଶାସନ ଓ ଆୟୋଜକ କମିଟି ଜିଦ୍ ଧରି ବସିଛି। ପୂର୍ବରୁ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଡାକ୍ତରଖାନା ଭଳି ଏକ ଶାନ୍ତ ଓ ସମ୍ବେଦନଶୀଳ ପରିବେଶରେ, ଏପରି କାର୍ଯ୍ୟକ୍ରମ ନକରି ଅନ୍ୟ କୌଣସି ଉପଯୁକ୍ତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ସ୍ପଷ୍ଟ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ବିଡ଼ମ୍ବନାର ବିଷୟ, ସମସ୍ତ ଯୁକ୍ତିଯୁକ୍ତ ପରାମର୍ଶକୁ ଜାଣିଶୁଣି ପାଣିଫୋଟକା ଭଳି ଉଡ଼ାଇ ଦେଲେ ବ୍ଲକ ପ୍ରଶାସନ ଓ ଆୟୋଜକ କମିଟି। ଭବିଷ୍ୟତ କୁ ଦୃଷ୍ଟିରେ ଦେଖି ଡାକ୍ତରଖାନା ପଡ଼ିଆରେ ନକରି ଅନ୍ୟ ଏକ ଉଚିତ୍ ସ୍ଥାନରେ କରିବା ପାଇଁ କେତେକ ବୁଦ୍ଧିଜୀବୀ ପ୍ରସ୍ତୁତି ବୈଠକରେ ପ୍ରସ୍ତାବ ଦେଇଥିଲେ। ଏବେ ତାହା ସ୍ପଷ୍ଟ ପ୍ରମାଣିତ ହେବାକୁ ଯାଉଛି। ଲଗାଣ ବର୍ଷା ଯୋଗୁଁ ସ୍ଥିତି ଏବେ ଅଣାୟତ୍ତ ହୋଇପଡ଼ିଛି। ସମଗ୍ର ପଡ଼ିଆ ଏବେ ପଚ ପଚ୍ କାଦୁଅ ଓ ନାଳିଆ ପାଣିରେ ଭର୍ତ୍ତି ହୋଇ ରହିଛି। ପରିସର ମଝିରେ ପେଭର ବ୍ଲକ, ବାଲି, ଗୋଡ଼ି ଜମା ହୋଇ ପଡ଼ିରହିଥିବା ବେଳେ ଗାଡ଼ିମୋଟର ଚଳାଚଳ ଯୋଗୁଁ ପଡ଼ିଆର ଚାରିଆଡ଼େ ଖାଲଖମାରେ ପରିଣତ ହୋଇଛି। ଏଭଳି ବିପଜ୍ଜନକ ଓ ଅସ୍ୱାସ୍ଥ୍ୟକର ପରିବେଶରେ ଛାତ୍ରଛାତ୍ରୀ ଏବଂ ପ୍ୟାରେଡ୍ ଦଳ କିଭଳି ଭାଗ ନେବେ, ତାହା ବୁଝାପଡ଼ୁନାହିଁ। ଅନ୍ୟପଟେ ଡାକ୍ତରଖାନା ହେଉଛି ଏକ ‘ସାଇଲେନ୍ସ ଜୋନ୍’ ବା ଶାନ୍ତ ପରିବେଶ। ଏଠାରେ ଚିକିତ୍ସିତ ହେଉଥିବା ଗୁରୁତର ରୋଗୀଙ୍କ ପାଇଁ ଶାନ୍ତି ଓ ବିଶ୍ରାମ ଏକାନ୍ତ ଆବଶ୍ୟକ। କିନ୍ତୁ ହସ୍ପିଟାଲ୍ ଆଗରେ ଲାଉଡ୍ସ୍ପିକରର କର୍କଶ ଶବ୍ଦ, ଲୋକଙ୍କ ଭିଡ଼ ଏବଂ ପ୍ୟାରେଡ୍ର କୋଳାହଳ ରୋଗୀଙ୍କ ମାନସିକ ଓ ଶାରୀରିକ ସ୍ଥିତି ଉପରେ କି ପ୍ରଭାବ ପକାଇବ, ତାହା ଭାବିବାକୁ ପ୍ରଶାସନ ପାଖରେ ବିବେକ ନାହିଁ ବୋଲି ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପ୍ରଶାସନର ଏହି ଏକଜିଦିଆ ନିଷ୍ପତ୍ତିକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରତିକ୍ରିୟା ପ୍ରକାଶ ପାଇଛି। ଯଦି କୌଣସି ଅଘଟଣ ଘଟେ କିମ୍ବା ରୋଗୀ ସେବାରେ ବ୍ୟାଘାତ ସୃଷ୍ଟି ହୁଏ, ତେବେ ଏଥିପାଇଁ ସିଧାସଳଖ ବ୍ଲକ ପ୍ରଶାସନ ଦାୟୀ ରହିବ ବୋଲି ସ୍ଥାନୀୟ ଲୋକେ ଚେତାବନୀ ଦେଉଛନ୍ତି।
ଏସଂକ୍ରାନ୍ତରେ ପ୍ୟାରେଡ୍ ପଡ଼ିଆ ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ପଚାରିବାରୁ ପଡ଼ିଆ ର ଚାରିପଟେ ଟେଣ୍ଟ ମରାଯାଇ ପ୍ୟାରେଡ୍ କାର୍ଯ୍ୟ କରାଯିବ ବୋଲି ବିଡ଼ିଓ କହିଛନ୍ତି ବୋଲି କହିଥିଲେ।

