ନଦୀବନ୍ଧ ଭାଙ୍ଗି ଆବାସିକ ଅଞ୍ଚଳରେ ପଶିଲା ମାଲବାହୀ ଜାହାଜ, ଅଳ୍ପକେ ବର୍ତ୍ତିଲେ ଲୋକେ
କୋଲକାତା: କୋଲକାତା ବନ୍ଦର ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ହୁଗଳି ନଦୀରେ ନିୟନ୍ତ୍ରଣ ହରାଇ ନଦୀବନ୍ଧକୁ ଧକ୍କା ଦେଇଛି। ଦକ୍ଷିଣ ୨୪ ପରଗଣାର ନୁରପୁର ଜେଟି ଘାଟ ନିକଟରେ ଘଟିଥିବା ଏହି ଘଟଣାରେ ନଦୀବନ୍ଧର ଏକ ବଡ଼ ଅଂଶ କ୍ଷତିଗ୍ରସ୍ତ ହୋଇଥିବା ବେଳେ ନିକଟସ୍ଥ ରାସ୍ତା ଓ ବିଦ୍ୟୁତ୍ ଖୁଣ୍ଟି ମଧ୍ୟ ଭାଙ୍ଗିଯାଇଛି। ତେବେ ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କୌଣସି ଜୀବନହାନି ହୋଇନଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ସିଙ୍ଗାପୁରର ଏହି ମାଲବାହୀ ଜାହାଜ ପ୍ରାୟ ୯ ଦିନ ପୂର୍ବରୁ ମାଲେସିଆର ଏକ ବନ୍ଦରରୁ ସାମଗ୍ରୀ ନେଇ କୋଲକାତା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ନୁରପୁର ନିକଟରେ ହଠାତ୍ ଜାହାଜଟି ନିୟନ୍ତ୍ରଣ ହରାଇ ନଦୀକୂଳ ଆଡ଼କୁ ଚାଲିଆସିଥିଲା। ପରେ ଏହା ସିଧାସଳଖ ନଦୀବନ୍ଧରେ ଧକ୍କା ଦେବାରୁ ବନ୍ଧର ବ୍ୟାପକ କ୍ଷତି ହୋଇଥିଲା। ଜାହାଜଟି ଦ୍ରୁତ ଗତିରେ ଆସିଥିବାରୁ ଘଟଣାସ୍ଥଳ ନିକଟରେ ଥିବା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା।
ଘଟଣାର ଖବର ପାଇ ସ୍ଥାନୀୟ ପୁଲିସ ଓ ପ୍ରଶାସନ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ପ୍ରାଥମିକ ଭାବେ ଜାହାଜରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ନିୟନ୍ତ୍ରଣ ହରାଇଥିବା ଆଶଙ୍କା କରାଯାଉଛି। ତେବେ ନାବିକଙ୍କ ତ୍ରୁଟି କିମ୍ବା ଅନ୍ୟ କୌଣସି କାରଣରୁ ଏହି ଦୁର୍ଘଟଣା ଘଟିଛି କି ନାହିଁ, ସେନେଇ ତଦନ୍ତ ଜାରି ରହିଛି।

