ଚିନିମହୁଲ ଡାକଘରରୁ ତାଲା ଭାଙ୍ଗି ଲୁଟ୍; ବାଇପାସ୍ କଡ଼ରୁ ଲକର ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ
ଜମନକିରା : ଜମନକିରା ଥାନା ଅନ୍ତର୍ଗତ ଚିନିମହୁଲ ଉପ ଡାକଘରୁ ବିଳମ୍ବିତ ରାତିରେ ଏକ ବଡ଼ ଧରଣର ଚୋରି ହୋଇଛି। ଦୁର୍ବୃତ୍ତମାନେ ଡାକଘରର ତାଲା ଭାଙ୍ଗି କିଛି ନଗଦ ଟଙ୍କା, ଦୁଇଟି ଆଇରନ୍ ଲକର ସମେତ ଅନେକ ଆବଶ୍ୟକୀୟ ସରକାରୀ ସାମଗ୍ରୀ ଲୁଟି ନେଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ପୋଷ୍ଟମାଷ୍ଟର ସୌଭାଗ୍ୟ ଚନ୍ଦ୍ର ସାହୁ ଜମନକିରା ଥାନାରେ ଏକ ଲିଖିତ ଅଭିଯୋଗ ଦାୟର କରିଛନ୍ତି।
ଘଟଣାର କିଛି ଘଣ୍ଟା ପରେ ଆଜି ଅପରାହ୍ନରେ ଜମନକିରା ବାଇପାସ୍ ରାସ୍ତା କଡ଼ ବୁଦା ମଧ୍ୟରେ କିଛି ସରକାରୀ କାଗଜପତ୍ର ଓ ଗୋଟିଏ ଆଇରନ୍ ଲକର ପଡ଼ିଥିବା ଜଣେ ସ୍ଥାନୀୟ ଗାଈ ଚରାଳି ଦେଖିବାକୁ ପାଇଥିଲେ। ସେ ତୁରନ୍ତ ଏବିଷୟରେ ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ।
ସାମ୍ବାଦିକଙ୍କ ଜରିଆରେ ଖବର ପାଇ ଜମନକିରା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଫିଙ୍ଗା ଯାଇଥିବା ଆଇରନ୍ ଲକର ଓ କାଗଜପତ୍ର ଗୁଡ଼ିକୁ ଜବତ କରିଛି। ଡାକଘରୁ ମୋଟ କେତେ ପରିମାଣର ନଗଦ ଟଙ୍କା ଓ ଅନ୍ୟାନ୍ୟ କେଉଁ ସାମଗ୍ରୀ ଚୋରି ହୋଇଛି, ସେନେଇ ପୋଲିସ ପକ୍ଷରୁ ଛାନ୍ଭିନ୍ ଜାରି ରହିଛି। ଜମନକିରା ବାଇପାସ୍ କଡ଼ରୁ ଫିଙ୍ଗା ହୋଇଥିବା ଲକର ଓ ସରକାରୀ କାଗଜପତ୍ର କୁ ଜବତ କରି ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

