ଟିକିଲିପଡ଼ା ସରକାରୀ ଏସଏସଡି କନ୍ୟାଶ୍ରମ ଉଚ୍ଚ ବିଦ୍ୟାଳୟ ଭୋଜପୁର ରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ
ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ଟିକିଲିପଡ଼ା ସରକାରୀ ଏସଏସଡି କନ୍ୟାଶ୍ରମ ଉଚ୍ଚ ବିଦ୍ୟାଳୟରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଜାତୀୟ ଉତ୍ସବରେ ମୁଖ୍ୟଅତିଥି ଭାବେ ପରିଚାଳନା କମିଟି ସଭାନେତ୍ରୀ ପଦ୍ମିନୀ ପଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କମିଟିର ସଭ୍ୟ ଓ ସଭ୍ୟା ପ୍ରଶାନ୍ତ ପଧାନ, ବିଜୟ ପଟେଲ, ଭରତ ଓରାମ, ଦେବକି ଭୋଇ, ବର୍ଷା ଟପ୍ପୋ, ମିଖେଲ ଏକ୍କା ପୁଷ୍ପା ସେଠ୍ ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟାନ୍ୟ ସ୍ୱତନ୍ତ୍ର ଅତିଥି ଭାବେ ସରପଞ୍ଚ ଅଜିତ କୁମାର ନାୟକ, କିଶୋର କୁମାର ନାୟକ, କ୍ଷମାନିଧି ପ୍ରଧାନ, ପ୍ରଦୀପ କୁମାର ପ୍ରଧାନ, ବିନୟ କୁମାର ସାହୁ, କ୍ଷୀତିଶ କୁମାର ପଟେଲ ଗଣେଶ୍ଵର ଶାସନୀ, ଶ୍ରୀବଶ୍ଚ ପେଣ୍ଠେଇ, ପ୍ରସନ୍ନ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଲଜିତା ଧଳ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ଅତିଥି ଗଣ ଉଦ୍ବୋଧନ ଦେଇ କହିଥିଲେ ଯେ, “ସ୍ୱାଧୀନତା ଆମକୁ ଅନେକ ବଳିଦାନ ପରେ ମିଳିଛି। ଛାତ୍ରଛାତ୍ରୀମାନେ ହିଁ ଦେଶର ଭବିଷ୍ୟତ। ପ୍ରତ୍ୟେକ ଶିଶୁ ଭଲ ମଣିଷ ତଥା ଜଣେ ଆଦର୍ଶ ନାଗରିକ ହୋଇ ଦେଶର ପ୍ରଗତି ଓ ବିକାଶରେ ସହାୟକ ହେବା ଉଚିତ।” ଏଥିସହିତ ‘ବନ୍ଦେ ମାତରମ୍’ର ଗଭୀର ମହତ୍ତ୍ୱ, ତ୍ୟାଗ ଓ ଦେଶପ୍ରେମର ସାରମର୍ମ ଉପରେ ସେମାନେ ଆଲୋକପାତ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଲଜିତା ଧଳ ସ୍ୱାଧୀନତା ଦିବସର ମହନୀୟ ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ୧୯୪୭ ମସିହାର ସ୍ୱାଧୀନତା ସଂଗ୍ରାମର ଇତିହାସ, ଯୁବଶକ୍ତିର ଦାୟିତ୍ୱବୋଧ ଏବଂ ଏକ ସମୃଦ୍ଧ ତଥା ‘ବିକଶିତ ଭାରତ’ ଗଠନ ଦିଗରେ ଛାତ୍ରଛାତ୍ରୀମାନଙ୍କ ଭୂମିକା ସମ୍ପର୍କରେ ଉତ୍ସାହିତ କରିଥିଲେ। ଏହି ଉପଲକ୍ଷେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟର ଖେଳ ଶିକ୍ଷକ ପ୍ରିୟରଞ୍ଜନ ସାଥୁଆ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍କୁଲର ସହକାରୀ ଶିକ୍ଷକ ଶିବଶଙ୍କର ଦାଶ, ମୋହନ ଆହାଦର, ପ୍ରିୟ ରଞ୍ଜନ ସାଥୁଆ, ମଧୁସ୍ମିତା ଦାଶ, ଦୀପା ଗୁରୁ, ବିଷ୍ଣୁପ୍ରିୟା ସାହୁ, ଅଭିନାଶ ବାଘ, ଦେବାଶିଷ ପଟେଲ, ଦିପେଶ ପଟେଲ ପ୍ରମୁଖ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ କର୍ମଚାରୀବୃନ୍ଦ ଉପସ୍ଥିତ ଥିଲେ। ଏଥିରେ ବିଦ୍ୟାଳୟର ସମସ୍ତ ଛାତ୍ରୀ ପ୍ୟାରେଡରେ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମର ଶେଷରେ ସହକାରୀ ଶିକ୍ଷକ ନିରଞ୍ଜନ ସିଟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ପରିଶେଷରେ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ କରାଯାଇ କାର୍ଯ୍ୟକ୍ରମ ସାଙ୍ଗ ହୋଇଥିଲା।

