Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାଦୁଅ ପଚପଚ ଡାକ୍ତରଖାନା ପରିସର ପଡ଼ିଆରେ ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ୍; ଅସ୍ୱାସ୍ଥ୍ୟକର ପରିବେଶ, କାଦୁଅ ଓ ଖୋଲା ଆକାଶ ତଳେ ଛାତ୍ରଛାତ୍ରୀ

ଜମନକିରା: ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ସ୍ୱାଧୀନତା ଦିବସ ପାଳନ ଏକ ପ୍ରହସନ;
* ପ୍ରସ୍ତୁତି ବୈଠକରେ ବିରୋଧ ସତ୍ତ୍ୱେ ଜାଗା ବଦଳାଇଲାନି କମିଟି
* ‘ସାଇଲେନ୍ସ ଜୋନ୍’ରେ ମାଇକ୍ କୋଳାହଳ: ବଳି ପଡ଼ିଲା ରୋଗୀଙ୍କ ସ୍ୱାର୍ଥ
* ଅସ୍ୱାସ୍ଥ୍ୟକର ପରିବେଶ ଓ ନିର୍ମାଣ ସାମଗ୍ରୀ ଭିତରେ ସ୍ୱାଧୀନତା ଦିବସ ପାଳନ: କାର୍ଯ୍ୟକ୍ରମ କୁ ନେଇ ସାଧାରଣରେ ଅସନ୍ତୋଷ
ଜମନକିରା; ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସର କାର୍ଯ୍ୟକ୍ରମ। ଜନପ୍ରତିନିଧି ଓ ଅଧିକାରୀ ମାନେ ୱାଟରପ୍ରୁଫ ଟେଣ୍ଟ ତଳେ ଉତ୍ତୋଳନ କଲେ ଜାତୀୟ ପତାକା। ଅନ୍ୟପଟେ ଖୋଲା ଆକାଶ ତଳେ କାଦୁଅ ପଚ୍ ପଚ୍, ନାଳିଆ ପାଣି, ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଦୀର୍ଘ ସମୟ ଛିଡ଼ା ହୋଇ ରହିଲେ ଛାତ୍ରୀ ଛାତ୍ର, ସାଧାରଣ ଲୋକେ ଓ ପରିଚାଳକ। ବ୍ଲକ ପ୍ରଶାସନର ଏଭଳି ଚରମ ସମ୍ବେଦନହୀନ ଓ ଖାମଖିଆଲି ମନୋଭାବ ଯୋଗୁଁ ଚଳିତ ସ୍ୱାଧୀନତା ଦିବସ ପାଳନ ସମାରୋହ ଏକ ପ୍ରହସନରେ ପରିଣତ ହୋଇଛି। ପ୍ରଶାସନର ଜିଦ୍ ଆଗରେ ଡାକ୍ତରଖାନାର ନିରବତା ଭଙ୍ଗ ହେବା ସହ କଅଁଳ ଶିଶୁ ଓ ଛାତ୍ରଛାତ୍ରୀମାନେ ଅକଥନୀୟ ଦୁର୍ଦ୍ଦଶାର ଶିକାର ହୋଇଛନ୍ତି।
ପ୍ରାପ୍ତ ସୂଚନା ଅନୁଯାୟୀ, ଜମନକିରା ବ୍ଲକ ସଦର ମହକୁମାସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରସ୍ଥ ପଡ଼ିଆରେ ଉତ୍ସବ ପାଳନ କରିବାକୁ ବ୍ଲକ ପ୍ରଶାସନ ଓ ଆୟୋଜକ କମିଟି ନିଷ୍ପତ୍ତି ନେଇଥିଲେ। ପୂର୍ବରୁ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ବୁଦ୍ଧିଜୀବୀ ଓ ସ୍ଥାନୀୟ ଲୋକେ ପରୋକ୍ଷରେ ହେଉ କିମ୍ବା ପ୍ରତୀକ୍ଷାରେ ହେଉ, ଡାକ୍ତରଖାନା ଭଳି ଏକ ଶାନ୍ତ ତଥା ସମ୍ବେଦନଶୀଳ ପରିବେଶରେ ଏପରି କାର୍ଯ୍ୟକ୍ରମ ନକରି ଅନ୍ୟ ଏକ ଉପଯୁକ୍ତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ସ୍ପଷ୍ଟ ପ୍ରସ୍ତାବ ଦେଇଥିଲେ। କିନ୍ତୁ ବିଡ଼ମ୍ବନାର ବିଷୟ, ସମସ୍ତ ଯୁକ୍ତିଯୁକ୍ତ ପରାମର୍ଶକୁ ବ୍ଲକ ପ୍ରଶାସନ ଫୁସ୍ କିନି ଉଡ଼ାଇ ଖାମ୍ ଖିଆଲି ଢଙ୍ଗରେ ନେଇଥିଲା। ଲଗାଣ ବର୍ଷା ଯୋଗୁଁ ପଡ଼ିଆର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଥିଲା। ସମଗ୍ର ପରିସରରେ ପେଭର ବ୍ଲକ, ବାଲି, ଗୋଡ଼ି ଜମା ହୋଇ ପଡ଼ିରହିଥିବା ବେଳେ ବର୍ଷା ପାଣି ଜମି ଚାରିଆଡ଼େ ପଚପଚ କାଦୁଅ ଓ ଖାଲଖମା ସୃଷ୍ଟି ହୋଇଥିଲା। ଏଭଳି ବିପଜ୍ଜନକ ସ୍ଥିତିରେ ପ୍ରଶାସନିକ ଅଧିକାରୀ ଓ ଅତିଥିମାନଙ୍କ ପାଇଁ ସୁରକ୍ଷିତ ତଥା ଶୁଖିଲା ମଞ୍ଚ ଉପରେ ୱାଟରପ୍ରୁଫ୍ ଟେଣ୍ଟ୍‌ର ବ୍ୟବସ୍ଥା କରାଯାଇଥିବା ବେଳେ, ଶହ ଶହ ନିଷ୍ପାପ ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କୁ ଖୋଲା ଆକାଶ ତଳେ କାଦୁଅ ପଚ୍ ପଚ୍ ଓ ନାଳିଆ ପାଣି ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଭୋର୍ ପ୍ରାୟ ସାଢ଼େ ୮ଟା ରୁ ୧୦ ଟା ପର୍ଯ୍ୟନ୍ତ ଅତିକମରେ ଦେଢ଼ ଘଣ୍ଟା ଧରି ଠିଆ କରାଯାଇଥିଲା। ତେବେ ପ୍ରତିକୂଳ ପରିବେଶ ଯୋଗୁଁ ପ୍ୟାରେଡ୍ କାର୍ଯ୍ୟକ୍ରମ ହୋଇ ପାରିନଥିଲା। ଅନେକ ଛାତ୍ରଛାତ୍ରୀ କାଦୁଅ ଯୋଗୁଁ ଅତିଷ୍ଟ ହୋଇ ସ୍କୁଲ କର୍ତ୍ତୃପକ୍ଷଙ୍କ ତାଗିଦ୍ କୁ ଡରି ଛିଡ଼ା ହେବା ପାଇଁ ବାଧ୍ୟ ହୋଇଥିଲେ। ଅନ୍ୟପଟେ
ଡାକ୍ତରଖାନା ଏକ ‘ସାଇଲେନ୍ସ ଜୋନ୍’ (ନିରବତା ଅଞ୍ଚଳ) ହୋଇଥିବା ସତ୍ତ୍ୱେ ହସ୍ପିଟାଲ୍ ବାଉଣ୍ଡ୍ରି ମଧ୍ୟରେ ଚାଲିଥିବା ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ, ଉଚ୍ଚ ଶବ୍ଦ ବିଶିଷ୍ଟ ଲାଉଡ୍‌ସ୍ପିକର ଲଗାଯାଇଥିଲା। କୋଳାହଳ ଓ ମାଇକ୍‌ର କର୍କଶ ଶବ୍ଦ ଚିକିତ୍ସିତ ହେଉଥିବା ଗୁରୁତର ରୋଗୀଙ୍କ ଶାରୀରିକ ଓ ମାନସିକ ସ୍ଥିତି ଉପରେ ଗମ୍ଭୀର ପ୍ରଭାବ ପକାଇଥିଲା। ସ୍ୱାଧୀନତା ଦିବସ ଦିନ ଡାକ୍ତରଖାନାରେ କୌଣସି ଡାକ୍ତର ନଥାଇ ମଧ୍ୟ ପ୍ରାୟ ୫୦ ରୁ ଅଧିକ ଜଣ ରୋଗୀ ସ୍ୱାସ୍ଥ୍ୟ ସେବା ପାଇଁ ଆସିଥିବା କୁହା ଯାଇଥିବା ବେଳେ ସ୍ୱାଧୀନତା ଦିବସ ପ୍ୟାରେଡ୍ ପଡ଼ିଆର କାର୍ଯ୍ୟକ୍ରମ ଥିବା ସୂଚନା ଯୋଗୁଁ ଅନେକ ରୋଗୀ ଆସିନଥିବା ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି।ପ୍ରଶାସନର ଏହି ଏକଜିଦିଆ ଏବଂ ଅବିବେକୀ ନିଷ୍ପତ୍ତିକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଇଛି।
ଏହି ସ୍ୱାଧୀନତା ଦିବସ ପାଳନ ଅବସରରେ ବ୍ଲକ ଅଧ୍ୟକ୍ଷା ଆଶ୍ରୀତା ଭୋଇ ପତାକା ଉତ୍ତୋଳନ କରିଥିବା ବେଳେ ବିଡିଓ ରବିନ୍ଦ୍ର କୁମାର ସେଠୀ, ତହସିଲଦାର ପ୍ରବୀଣା ବିଲୁଙ୍ଗ, ଏବିଡିଓ ମହିମା ସାହୁ, ଅତିରିକ୍ତ ତହସିଲଦାର ସୌରଭ ସାହୁ, ଏବିଇଓ ଦେବକୀ ନାଏକ, ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟପ୍ରିୟ ସାହୁ, ସାଂସଦ ପ୍ରତିନିଧିଙ୍କ ସମେତ ବ୍ଲକ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ମଞ୍ଚାସିନ ଓ ଉପସ୍ଥିତ ଥିଲେ। ପ୍ରଥମେ ଛାତ୍ରୀଙ୍କ ଦ୍ଵାରା ଜାତୀୟ ସଙ୍ଗୀତ ପରିବେଷଣ ହୋଇଥିଲା। ପରେ ପୂର୍ବରୁ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା କୃତି ପ୍ରତିଯୋଗୀଙ୍କୁ ମାନପତ୍ର ସହ ସମ୍ମାନିତ କରାଯାଇଥିଲା। ନାରାୟଣ ପ୍ରଧାନ ଓ ରଞ୍ଜନ କୁମାର ମହାକୁଲ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ତେବେ ଛାତ୍ରୀ ଛାତ୍ରଙ୍କୁ ମିଷ୍ଟାନ୍ନ ସଠିକ୍ ଭାବେ ବଣ୍ଟନ ହୋଇନଥିବା ଯୋଗୁଁ ଶିକ୍ଷାର୍ଥୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories