Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଲାଙ୍ଗିର ବ୍ୟବସାୟୀ ଅପହରଣ ମାମଲାରେ ବଢ଼ିଲା ଗିରଫଦାରୀ, ମହିଳା SIଙ୍କ ସହ ସାମ୍ବାଦିକ ଗିରଫ

ବଲାଙ୍ଗିର: ବଲାଙ୍ଗିର ବ୍ୟବସାୟୀ ନରେନ୍ଦ୍ର ସାହୁ ଅପହରଣ ମାମଲାରେ ପୁଲିସର ତଦନ୍ତ ଆଗକୁ ବଢ଼ିବା ସହ ଆଉ ଦୁଇଜଣଙ୍କୁ ଗିରଫ କରାଯାଇଛି। ଭୁବନେଶ୍ୱରରୁ ମହିଳା ପୁଲିସ ସବ୍‌-ଇନ୍ସପେକ୍ଟର ସ୍ନେହା ମଞ୍ଜରୀ ସାହୁ ଏବଂ ସାମ୍ବାଦିକ ସଞ୍ଜୟ ଜେନାଙ୍କୁ ବଲାଙ୍ଗିର ପୁଲିସ ଗିରଫ କରିଛି। ପୁଲିସର ସୂଚନା ଅନୁସାରେ, ମୁଖ୍ୟ ଅଭିଯୁକ୍ତ କ୍ଷିତୀଶ ସାହୁଙ୍କ ସହ ଉଭୟଙ୍କ ସମ୍ପୃକ୍ତି ନେଇ ପ୍ରମାଣ ମିଳିବା ପରେ ଏହି ପଦକ୍ଷେପ ନିଆଯାଇଛି। ଗିରଫ ପରେ ଉଭୟଙ୍କୁ ବଲାଙ୍ଗିର ନିଆଯାଇଛି। ଏହାସହ କ୍ଷିତୀଶ ରହୁଥିବା ଏକ ଘରୋଇ ହୋଟେଲରେ ପୁଲିସ ଚଢ଼ାଉ କରି ସିସିଟିଭିର ହାର୍ଡଡିସ୍କ ଜବତ କରିଛି।

ପୁଲିସ ଅନୁସାରେ, ଅପହରଣ ଘଟଣା ପଛରେ ଟଙ୍କା କାରବାର ରହିଛି। ଅଭିଯୁକ୍ତ ସଞ୍ଜିତ ବେହେରା ବ୍ୟବସାୟୀ ନରେନ୍ଦ୍ରଙ୍କୁ ଘରୁ ଡାକି ଆଣିବା ପରେ ତାଙ୍କୁ ଅପହରଣ କରାଯାଇଥିଲା ଏବଂ ପରେ ମାଷ୍ଟରମାଇଣ୍ଡ କ୍ଷିତୀଶ ସାହୁ ୫୦ ଲକ୍ଷ ଟଙ୍କା ଦାବି କରିଥିବା ପୁଲିସ କହିଛି। ଗତ ୧୪ ତାରିଖ ଅପରାହ୍ଣରେ ବଲାଙ୍ଗିର-ସୋନପୁର ରାସ୍ତାର ଜାତୀୟ ରାଜପଥ-୫୭ରୁ ନରେନ୍ଦ୍ରଙ୍କୁ ଅପହରଣ କରାଯାଇଥିଲା। ପରଦିନ ଖଣ୍ଡଗିରି ଥାନା ପୁଲିସ ତାଙ୍କୁ ଉଦ୍ଧାର କରିଥିଲା। ଉଦ୍ଧାର ପରେ ନରେନ୍ଦ୍ରଙ୍କୁ ପରିବାର ଲୋକଙ୍କ ହସ୍ତାନ୍ତର କରାଯାଇଛି। ତେବେ ସେ ମୁଖ୍ୟ ଅଭିଯୁକ୍ତ କ୍ଷିତୀଶଙ୍କୁ ଚିହ୍ନି ନଥିବା କହିଛନ୍ତି।

ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ବଲାଙ୍ଗିର ଏସ୍‌ପି କାର୍ଯ୍ୟାଳୟରେ ପହଞ୍ଚି ତଦନ୍ତର ସମୀକ୍ଷା କରିଛନ୍ତି। ଅଭିଯୋଗକାରୀ ଓ ଅଭିଯୁକ୍ତମାନଙ୍କୁ ପଚରାଉଚରା କରି ଘଟଣାର ବିଭିନ୍ନ ଦିଗରୁ ତଥ୍ୟ ସଂଗ୍ରହ କରାଯାଉଛି। ଆଇଜିଙ୍କ କହିବା ଅନୁସାରେ, ଅପହରଣ ପଛରେ ଆର୍ଥିକ କାରବାର ଥିବା ସ୍ପଷ୍ଟ ହୋଇଥିବା ବେଳେ ‘ହନୁମାନ ପଇସା’କୁ ନେଇ ଅପହରଣ ହୋଇଥିଲା କି ନାହିଁ, ତାହାର ମଧ୍ୟ ତଦନ୍ତ ଚାଲିଛି। ଘଟଣାରେ ସମ୍ପୃକ୍ତ କାହାରିକୁ ଛଡ଼ାଯିବ ନାହିଁ ଏବଂ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories