Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା ବ୍ଲକ ସ୍ତରୀୟ ‘ଭିବି-ଜି ରାମ ଜି’ ଜନ ଶୁଣାଣୀ: ଅଧିକାରୀଙ୍କ ବିଳମ୍ବ ଓ ସ୍ଥାନାଭାବକୁ ନେଇ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ

ଜମନକିରା : ଜମନକିରା ବ୍ଲକ ପଞ୍ଚାୟତ ସମିତି ସଭାଗୃହରେ ଆୟୋଜିତ କେନ୍ଦ୍ର ସରକାରଙ୍କ ଗ୍ରାମୀଣ ରୋଜଗାର ଯୋଜନା ‘ଭିବି-ଜି ରାମ ଜି’ (VB-G RAM G) ଏବଂ ସମଗ୍ର ଶିକ୍ଷା ଅଭିଯାନର ବ୍ଲକ ସ୍ତରୀୟ ଜନ ଶୁଣାଣୀ ଶିବିରରେ ବିଭ୍ରାଟ ଦେଖିବାକୁ ମିଳିଛି। ଗୋଟିଏ ପଟେ ଦାୟିତ୍ୱରେ ଥିବା ପ୍ରମୁଖ ଅଧିକାରୀମାନେ ନିର୍ଦ୍ଧାରିତ ସମୟର ପ୍ରାୟ ଦେଢ଼ ଘଣ୍ଟାରୁ ଅଧିକ ବିଳମ୍ବରେ ପହଞ୍ଚିଥିବା ବେଳେ ଅନ୍ୟପଟେ ବୈଠକ କୋଠରୀରେ ସ୍ଥାନାଭାବ ଯୋଗୁଁ ଉପସ୍ଥିତ କର୍ମଚାରୀ ଓ ଅଭିଯୋଗକାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମରେ ବ୍ଲକର ପ୍ରାୟ ୩୨ଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ, ବନ ବିଭାଗ, ମୃତ୍ତିକା ସଂରକ୍ଷଣ ବିଭାଗ, ଉଦ୍ୟାନ କୃଷି ବିଭାଗର ଅଧିକାରୀ, ଭିଆରପି (VRP), ପିଇଓ (PEO), ଏଡିଇଓ (ADEO)ଙ୍କ ସମେତ ବହୁ ସଂଖ୍ୟାରେ ସ୍ଥାନୀୟ ଅଭିଯୋଗକାରୀ ଯୋଗ ଦେଇଥିଲେ। ବିଭିନ୍ନ ବର୍ଗ ଓ ବିଭାଗର ଏତେ ସଂଖ୍ୟକ କର୍ମଚାରୀଙ୍କ ଉପସ୍ଥିତି ତୁଳନାରେ ନିର୍ଦ୍ଧାରିତ କୋଠରୀଟି ଅତ୍ୟନ୍ତ ଛୋଟ ହୋଇଥିବାରୁ ବସିବା ପାଇଁ ପର୍ଯ୍ୟାପ୍ତ ଜାଗା ନ ମିଳି ଅନେକ ଅଧିକାରୀ ଓ ଅଭିଯୋଗକାରୀ କକ୍ଷର ବାହାରେ ଛିଡ଼ା ହୋଇଥିବା ଦେଖାଯାଇଥିଲା। ଘଣ୍ଟା ଘଣ୍ଟା ଧରି ଠିଆ ହୋଇ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ‘ଭିବି-ଜି ରାମ ଜି’ (VB-G RAM G) ଯୋଜନା ହେଉଛି, କେନ୍ଦ୍ର ସରକାର ପୂର୍ବରୁ ଚାଲୁଥିବା ମନରେଗା (MGNREGA – ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା) ବଦଳରେ ‘ଭିବି-ଜି ରାମ ଜି’ (Viksit Bharat – Guarantee for Rozgar and Ajeevika Mission Gramin) ନୂତନ ଭାବେ ଲାଗୁ କରିଛନ୍ତି। ଏହି ଯୋଜନାରେ ଗ୍ରାମାଞ୍ଚଳ ଶ୍ରମିକମାନଙ୍କ ପାଇଁ ବାର୍ଷିକ କାମ କରିବା ଦିବସକୁ ୧୦୦ ଦିନରୁ ବୃଦ୍ଧି କରି ୧୨୫ ଦିନ ସୁନିଶ୍ଚିତ କରାଯାଇଛି। ସମସ୍ତ ସରକାରୀ ବିକାଶମୂଳକ କାର୍ଯ୍ୟର ସ୍ୱଚ୍ଛତା, ଖର୍ଚ୍ଚର ସଠିକତା ଏବଂ ଶ୍ରମିକଙ୍କ ସମସ୍ୟା ସମାଧାନ ପାଇଁ ଏଭଳି ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା (Social Audit) ଓ ଜନ ଶୁଣାଣୀ ବାଧ୍ୟତାମୂଳକ କରାଯାଇଛି। ଆଜି ଶୁଣାଣୀରେ ୩୨ ଟି ସ୍କୁଲରେ ଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇ ତାର ସମାଧାନ କିପରି କରାଯିବ, ସେନେଇ ଯନ୍ତ୍ରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଏଡିଇଓ ମାନଙ୍କୁ ସମାଧାନ ଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ କରାଯାଇଥିଲା।
ଏତେ ଗୁରୁତ୍ୱପୂର୍ଣ୍ଣ ସରକାରୀ ବୈଠକ ପାଇଁ ଉପଯୁକ୍ତ ସ୍ଥାନ ଚୟନ ନ କରିବା ଏବଂ ଦାୟିତ୍ୱବାନ ଉଚ୍ଚପଦସ୍ଥ ଅଧିକାରୀଙ୍କ ଦୀର୍ଘ ସମୟ ବିଳମ୍ବରେ ଆଗମନ ପ୍ରଶାସନିକ ଅବହେଳାକୁ ସ୍ପଷ୍ଟ ପ୍ରମାଣିତ କରୁଛି ବୋଲି ଉପସ୍ଥିତ କର୍ମଚାରୀ ଓ ସାଧାରଣ ଲୋକ ଅଭିଯୋଗ କରିଛନ୍ତି। ଆଜିର ଏହି ଜନ ଶୁଣାଣିରେ ବ୍ଲକ ଏପିଓ ମନୋଜ କୁମାର ଭୋଇ ଯୋଜନା ଉପରେ ବିଶଦ ଭାବରେ ସଚେତନତା ଉପରେ ଆଲୋଚନା କରିଥିବା ବେଳେ ବ୍ଲକ ସୋସିଆଲ ଅଡିଟର୍ ସପନ ଭୋଲ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ। ସମ୍ବଲପୁର ରାଜସ୍ୱ ବିଭାଗ ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇ ଙ୍କ ଅଧକ୍ଷତାରେ ଜନ ଶୁଣାଣୀ ହୋଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଶିକ୍ଷାଧିକାରୀ ରୁକ୍ମଣ ପ୍ରଧାନ ମଞ୍ଚାସିନ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories