ବାନ୍ଧବୀଙ୍କୁ ହତ୍ୟା ଅଭିଯୋଗ: ଗୋବିନ୍ଦପୁର ପୋଲିସ ଦ୍ୱାରା ଅଭିଯୁକ୍ତ ପ୍ରେମିକ ଗିରଫ, କୋର୍ଟ ଚାଲାଣ
ଜମନକିରା : ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ଗଡ଼ପୋଷ ଫାଣ୍ଡି ଅଧୀନ ଦେଉରୀପଡ଼ା ଗ୍ରାମର ସ୍ୱର୍ଗତ ରବର୍ଟ ଭେଙ୍ଗରାଙ୍କ ପତ୍ନୀ ଲିଲିମା ଭେଙ୍ଗରାଙ୍କ ଲିଖିତ ଅଭିଯୋଗ କ୍ରମେ ପୋଲିସ ଏକ ହତ୍ୟା ମାମଲାର ପର୍ଦ୍ଦାଫାଶ କରି ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୋଗ ଅନୁସାରେ, ଗତ ୧୫ ଅଗଷ୍ଟ ସନ୍ଧ୍ୟା ପ୍ରାୟ ୭ଟାରେ ଲିଲିମାଙ୍କ ଝିଅ ସୁଜାତା ଭେଙ୍ଗରା ତାଙ୍କ ପ୍ରେମିକ (ବାଗ୍ଦତ୍ତ) ତଥା ବୁନ୍ଦୁକାମାଲ ଗ୍ରାମର ଜନ ଲୁଗୁନଙ୍କ ପୁଅ ଅନୁଜ ଲୁଗୁନ (୩୪)ଙ୍କ ସହ ଚାଲିଚାଲି ତାଙ୍କ ଘରକୁ ଯାଇଥିଲେ। ତେବେ ୧୬ ଅଗଷ୍ଟ ଅପରାହ୍ନ ପ୍ରାୟ ୨ଟା ୩୦ରେ ସୁଜାତା ଆତ୍ମହତ୍ୟା କରିଥିବା ନେଇ ଅନୁଜ ତାଙ୍କ ପରିବାରକୁ ଫୋନ୍ ଯୋଗେ ଜଣାଇଥିଲେ। ମୃତକଙ୍କ ମା’ ଘଟଣାସ୍ଥଳରେ ପହଞ୍ଚି ଝିଅର ମୁହଁରେ ଏକାଧିକ ଆଘାତ ଚିହ୍ନ ଏବଂ ବେକରେ ଦାଗ ଥିବା ଦେଖି ତାଙ୍କୁ ହତ୍ୟା କରାଯାଇଥିବା ନେଇ ଥାନାରେ ଏତଲା ଦେଇଥିଲେ। ଏହି ଅଭିଯୋଗ ଆଧାରରେ ଗୋବିନ୍ଦପୁର ଥାନାରେ କେସ ନଂ ୧୨୪/୨୬, ଧାରା ୧୦୩(୧) BNS ଅନୁଯାୟୀ ମାମଲା ରୁଜୁ କରି ଗଡ଼ପୋଷ ଫାଣ୍ଡି ଅଧିକାରୀ ଏସ.ଆଇ ଫିରୋଜ ଏକ୍କା ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତ ସମୟରେ ଝାରସୁଗୁଡ଼ା DFSL ଟିମ୍ ଘଟଣାସ୍ଥଳରୁ ବୈଜ୍ଞାନିକ ପ୍ରମାଣ ସଂଗ୍ରହ କରିଥିବା ବେଳେ ଶବ ବ୍ୟବଚ୍ଛେଦ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାରେ କରାଯାଇଛି। ଆଜି ୧୭ ଅଗଷ୍ଟ ଦିନ ଅଭିଯୁକ୍ତ ଅନୁଜ ଲୁଗୁନଙ୍କ ଡାକ୍ତରୀ ମାଇନା ପରେ ପୋଲିସ ତାଙ୍କୁ ଗିରଫ କରି କୁଚିଣ୍ଡା SDJM କୋର୍ଟକୁ ଚାଲାଣ କରିଛି ଏବଂ ଘଟଣାର ଅଧିକ ତଦନ୍ତ ଜାରି ରହିଛି।

