Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଶାସନିକ ଉଦାସୀନତା: ୨ ଜଣ ଶିକ୍ଷକଙ୍କ କାନ୍ଧରେ ହାଇସ୍କୁଲ ଓ ୧୦୦ ପିଲାଙ୍କ ହଷ୍ଟେଲ ଭାର; ନେତା-ମନ୍ତ୍ରୀଙ୍କୁ ଜଣାଇ ମଧ୍ୟ ଫଳ ଶୂନ

ଜମନକିରା : ଗୋଟିଏ ପଟେ ସରକାର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଓ ରୂପାନ୍ତରଣର ଦିଗ୍‌ଦର୍ଶନ ଦେଉଛନ୍ତି, ଅନ୍ୟପଟେ ଗ୍ରାଉଣ୍ଡ ଜିରୋରେ ସରକାରୀ ହାଇସ୍କୁଲ ଗୁଡ଼ିକ କର୍ମଚାରୀ ଓ ଶିକ୍ଷକ ଅଭାବରୁ ଧୁକୁଧୁକୁ ହୋଇ ଚାଲିଛି। ଏହାର ଏକ ଚରମ ଅବ୍ୟବସ୍ଥାର ଚିତ୍ର ସାମ୍ନାକୁ ଆସିଛି ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ଟିକିଲିପଡ଼ା ଉଚ୍ଚ ବିଦ୍ୟାଳୟରୁ। ଏଠାରେ ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ଏବଂ ୧୦୦ ଜଣିଆ ଛାତ୍ରାବାସର ସମସ୍ତ ଭାର ମାତ୍ର ୨ ଜଣ ଶିକ୍ଷକ ଓ ଜଣେ ପିଇଟି ଙ୍କ ଉପରେ ଲଦି ଦିଆଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, କିଛି ମାସ ପୂର୍ବରୁ ଏହି ବିଦ୍ୟାଳୟରୁ ପ୍ରଧାନ ଶିକ୍ଷକ, କେତେକ ସହକାରୀ ଶିକ୍ଷକ ଏବଂ କିରାଣୀ କିଛି ମାସ ବ୍ୟବଧାନରେ ଅବସର ଗ୍ରହଣ କରିଛନ୍ତି। କିନ୍ତୁ ବିଡ଼ମ୍ବନାର ବିଷୟ, ସେମାନଙ୍କ ସ୍ଥାନରେ ନୂତନ ଶିକ୍ଷକ କିମ୍ବା କର୍ମଚାରୀ ନିଯୁକ୍ତି ଦିଆଗଲା ନାହିଁ। ବର୍ତ୍ତମାନ ମାତ୍ର ଦୁଇ ଜଣ ଶିକ୍ଷକଙ୍କୁ ବିଦ୍ୟାଳୟର ସମସ୍ତ ବିଷୟ ପଢ଼ାଇବା ସହ ଅଫିସ୍ କାମ, ଡାଟା ଏଣ୍ଟ୍ରି, ରେକର୍ଡ ପରିଚାଳନା ଓ ମଧ୍ୟାହ୍ନ ଭୋଜନ ଭଳି ପ୍ରଶାସନିକ ବୋଝ ମଧ୍ୟ ତୁଲାଇବାକୁ ପଡ଼ୁଛି। ସମସ୍ୟା ଏତିକିରେ ସରିନାହିଁ। ବିଦ୍ୟାଳୟ ପରିସରରେ ଥିବା ଛାତ୍ରାବାସରେ ପ୍ରାୟ ୧୦୦ ଜଣ ପାଖାପାଖି ଛାତ୍ର ରହି ପାଠ ପଢ଼ୁଛନ୍ତି। ସେମାନଙ୍କ ସୁରକ୍ଷା, ଖାଦ୍ୟପେୟ, ଶୃଙ୍ଖଳା, ସ୍ୱାସ୍ଥ୍ୟ ଏବଂ ୨୪ ଘଣ୍ଟିଆ ତଦାରଖ ଭଳି ଅତି ସମ୍ବେଦନଶୀଳ ଦାୟିତ୍ୱ ମଧ୍ୟ ଏହି ଦୁଇ ଜଣ ଶିକ୍ଷକ ଓ ପିଇଟି ଙ୍କୁ ହିଁ ବହନ କରିବାକୁ ପଡ଼ୁଛି। ଦିନରେ ଶିକ୍ଷାଦାନ ଓ କାର୍ଯ୍ୟାଳୟ କାମ, ଏବଂ ରାତିରେ ହଷ୍ଟେଲ ତଦାରଖ କରିବା ଦ୍ୱାରା ଶିକ୍ଷକମାନେ ଚରମ ମାନସିକ ଓ ଶାରୀରିକ ଚାପରେ ଗତି କରୁଛନ୍ତି। ଫଳରେ ଗୋଟିଏ ଶ୍ରେଣୀରେ ପାଠପଢ଼ା ଚାଲିଥିବା ବେଳେ ଅନ୍ୟ ଶ୍ରେଣୀର ପିଲାମାନେ କେବଳ ବସି ରହି ସମୟ ବିତାଉଛନ୍ତି। ଏହି ଜଟିଳ ସମସ୍ୟାର ଗୁରୁତ୍ୱକୁ ଉପଲବ୍ଧି କରି ବିଦ୍ୟାଳୟ ପରିଚାଳନା କମିଟି (SMC) ପକ୍ଷରୁ ବାରମ୍ବାର ସ୍ଥାନୀୟ ଜନପ୍ରତିନିଧି, ନେତା, ମନ୍ତ୍ରୀ ଏବଂ ଜିଲ୍ଲାର ଉଚ୍ଚ ପ୍ରଶାସନିକ ଅଧିକାରୀଙ୍କୁ ଲିଖିତ ଭାବେ ଅବଗତ କରେଇଛନ୍ତି। କିନ୍ତୁ ଅତ୍ୟନ୍ତ ଦୁଃଖର ବିଷୟ, ବାରମ୍ବାର ଦାବି ସତ୍ତ୍ୱେ ଅଦ୍ୟାବଧି ପ୍ରଶାସନ କିମ୍ବା ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ପ୍ରଶାସନର ଏଭଳି ନୀରବତା ଯୋଗୁଁ ଆଗକୁ ଆସୁଥିବା ମାଟ୍ରିକ ବୋର୍ଡ ପରୀକ୍ଷାର୍ଥୀଙ୍କ ସମେତ ଶତାଧିକ ଗରିବ ଓ ଗ୍ରାମୀଣ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଉଛି।ବିଦ୍ୟାଳୟର ସୁଦୃଶ୍ୟ ଫାଟକ ଓ ସବୁଜ ପରିବେଶ ଭିତରେ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ଦେଖି ଅଭିଭାବକ ଓ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଜିଲ୍ଲା ଶିକ୍ଷା ବିଭାଗ ଏବଂ ଜିଲ୍ଲା ପ୍ରଶାସନ ତୁରନ୍ତ ଟିକିଲିପଡ଼ା ଉଚ୍ଚ ବିଦ୍ୟାଳୟରେ ଆବଶ୍ୟକୀୟ ବିଷୟଭିତ୍ତିକ ଶିକ୍ଷକ, ପ୍ରଧାନ ଶିକ୍ଷକ ଓ କର୍ମଚାରୀ ନିଯୁକ୍ତି ନକଲେ ଆଗାମୀ ଦିନରେ ବିଦ୍ୟାଳୟରେ ତାଲା ବନ୍ଦ କରି ରାଜରାସ୍ତାକୁ ଓହ୍ଲାଇବା ପାଇଁ ପରିଚାଳନା କମିଟି ଓ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories