Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡିଶା ସାଂସ୍କୃତିକ ସମାଜ ପକ୍ଷରୁ ପରିବେଶ ଦିବସ ପାଳିତ

ସମ୍ବଲପୁର: ଓଡିଶା ସାଂସ୍କୃତିକ ସମାଜ ପକ୍ଷରୁ ବିଶ୍ବ ପରିବେଶ ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଅଶୋକ କୁମାର ମିଶ୍ରଙ୍କର ଅଧ୍ଯକ୍ଷତାରେ ଆୟୋଜିତ ହୋଇଥିବା ଏହି ସଭାରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ପରିବେଶ ବିଜ୍ଞାନୀ ତଥା ମାନ୍ୟବର ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ ଯୋଗଦେଇ ଚଳିତ ବର୍ଷର ପରିବେଶ ଦିବସର ବିଷୟ ପ୍ଲାଷ୍ଟିକ ପ୍ରଦୁଷଣ ଉପରେ ଆଲୋଚନା କରି କହିଥିଲେ ଯେ, ପ୍ଲାଷ୍ଟିକ ପ୍ରଦୁଷଣ ଓ ଏହାର ନିରାକରଣ ଆଜିର ଆହ୍ଵାନ ଅଟେ। ପ୍ଲାଷ୍ଟିକର ବ୍ୟବହାରକୁ ଆମେ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରି ନପାରିଲେ ମଧ୍ଯ ନିଜ ଜୀବନ ଶୈଳୀରେ ପରିବର୍ତ୍ତନ ଆଣି ଏହାକୁ କମ କରିପାରିବା। ଅଳିଆ ଗଦାରୁ ବର୍ଜ୍ୟବସ୍ତୁ ସଂଗ୍ରହକାରୀଙ୍କ ତାଲିକା ପ୍ରସ୍ତୁତକରି ସରକାରଙ୍କ ତରଫରୁ ସେମାନଙ୍କର ପଞିକରଣ କରିବା ନିହାତି ଜରୁରୀ ହୋଇ ପଡିଲାଣି ବୋଲି ସେ ମତ ଦେଇଥିଲେ। ମୁଖ୍ଯ ବକ୍ତା ଚକ୍ଷୁ ବିଶେଷଜ୍ଞ ଡା. ସୁରେଶ ଚନ୍ଦ୍ର ଦାନୀ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ,କକ୍ଷ ପ୍ରଦୁଷଣ ବା ଇନଡୋର ପଲ୍ୟୁସନ ଆଜି ଏକ ବଡ ସମସ୍ୟା ଭାବରେ ମୁଣ୍ଡ ଟେକିଲାଣି। ଆମେ ଜାଣି ରଖିବା ଉଚିତ ଯେ,ରୁଦ୍ଧ କୋଠରୀ ବା ଗୃହରେ ବାୟୁ ପ୍ରଦୁଷଣର ସମ୍ଭାବନା ଅଧିକ ରହୁଛି। ଆମେ ପୂଜା ପାଇଁ ଧୂପକାଠି ଜଳାଇବା କିମ୍ବା ହୋମାଦି କରିବା ଦ୍ୱାରା ଧୂଆଁ ଘର ଭିତରେ ରହିବା ଘରକୁ ସଫା କରିବା ପାଇଁ ରସାୟନିକ ପଦାର୍ଥର ବହୁଳ ବ୍ୟବହାର କରିବା ଇତ୍ୟାଦି ପରୋକ୍ଷରେ ଆମର କ୍ଷତି କରୁଛି। ଆଧୁନିକ ମଣିଷ ଆଜି ବିଷର ବଳୟ ଭିତରେ ରହୁଛି। ନିଜ ଜୀବନ ଶୈଳୀରେ ପରିବର୍ତ୍ତନ କରି ଆମେ ଏଭଳି ପ୍ରଦୁଷଣକୁ କମାଇ ପାରିବା ବୋଲି କହି ସେ ଆମର ଧର୍ମ ଶାସ୍ତ୍ର ଓ ବାସ୍ତୁଶାସ୍ତ୍ରରୁ କେତେକ ଦୃଷ୍ଟାନ୍ତ ଦେଇ ବୁଝାଇଥିଲେ। ସମ୍ପାଦକ ଡ. ସିଦ୍ଧାର୍ଥ ପଣ୍ଡା ଅତିଥିମାନଙ୍କୁ ମଂଚକୁ ଆମନ୍ତ୍ରଣ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ପରିବେଶ ଆବାହକ ଦିଲୀପ କୁମାର ବଘାର ପ୍ରାରମ୍ଭିକ ସୂଚନା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ସହସମ୍ପାଦକ ସୁରେଖା ସାହୁ ସମ୍ବର୍ଦ୍ଧନା ଜ୍ଞାପନ କାର୍ଯ୍ଯକ୍ରମକୁ ପରିଚାଳନା କରିଥିବା ବେଳେ ସାଂସ୍କୃତିକ ସମାଜ ପକ୍ଷରୁ ପରିବେଶ ଦିବସ ଉପଲକ୍ଷେ ଆୟୋଜିତ ହୋଇଥିବା ବକୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କାର୍ଯ୍ଯକ୍ରମକୁ କୋଷାଧ୍ୟକ୍ଷ ଦୀନବନ୍ଧୁ ପଣ୍ଡା ସଂଯୋଜନା କରିଥିଲେ। ସଭା ପୂର୍ବରୁ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀମାନଙ୍କ ଆତ୍ମାର ସଦ୍‌ଗତି କାମନା କରି ନିରବ ପ୍ରାର୍ଥନା କରାଯାଇଥିଲା।ପ୍ରଫୁଲ୍ଲ କୁମାର ହୋତା,ଗୋପାଳ ଗୁପ୍ତା,ଲଲିତ ମୋହନ ବେବର୍ତ୍ତା ପ୍ରମୁଖ ସଦସ୍ୟମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ