ନୂଆଦିଲ୍ଲୀ: ରାଜସ୍ଥାନର ବିଧାନସଭା ନିର୍ବାଚନକୁ ଆଉ କେଇଟା ମାସ ବାକି ରହିଛି। ହେଲେ ରାଜସ୍ଥାନ କଂଗ୍ରେସରେ ଥିବା ଦଳୀୟ କନ୍ଦଳ ଥମିବା ପରିବର୍ତ୍ତେ ବଢିବାରେ ଲାଗିଛି। ସଚିନ ପାଇଲଟ୍ ଏବଂ ଅଶୋକ ଗେହଲଟଙ୍କ ମଧ୍ୟରେ ଥିବା ମତଭେଦ ଏବଂ ତିକ୍ତତା ଦୂର କରିବାରେ ବିଫଳ ହୋଇଛନ୍ତି ହାଇକମାଣ୍ଡ। ଫଳରେ ଏବେ ପୂର୍ବତ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍ ଅଲଗା ରାସ୍ତା ଧରି ପାରନ୍ତି। ସୂତ୍ର ଅନୁଯାୟୀ ପାଇଲଟ୍ ନୂତନ ପାର୍ଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏପରିକି ଏହାର ନାମ ମଧ୍ୟ ସ୍ଥିର କରି ସାରିଛନ୍ତି। ସଚିନ ପ୍ରଗତଶୀଳ କଂଗ୍ରେସ ନାମରେ ନୂତନ ପାର୍ଟି ଗଠନ କରି ପାରନ୍ତି। ଏହି ନୂତନ ଦଳର ନାମ ଘୋଷଣା ଜୁନ ୧୧ରେ ଜୟପୁରରେ କରାଯିବ। ଏହି ଦିନ ସଚିନ ପାଇଲଟଙ୍କ ପିତା ରାଜେଶ ପାଇଲଟଙ୍କ ମଧ୍ୟ ପୁଣ୍ୟତିଥି ପଡୁଛି।
କଂଗ୍ରେସ ହାଇକମାଣ୍ଡ ନିକଟରେ ଅଶୋକ ଗେହଲଟ ଏବଂ ସଚିନ ପାଇଲଟଙ୍କୁ ଦିଲ୍ଲୀ ଡକାଇ ଆଲୋଚନା କରିଥିଲେ। କଂଗ୍ରେସ ନେତା ଦାବି କରିଥିଲେ ଯେ, ଦୁଇ ନେତା ମିଶିକି କାମ କରିବେ। କୁହାଯାଇଥିଲା ଫର୍ମୁଲା ଆଧାରରେ ସଚିନଙ୍କୁ ପ୍ରଦେଶ ଅଧ୍ୟକ୍ଷ କରାଯିବ। ହେଲେ ସଚିନ ପାଇଲଟଙ୍କ ଗୋଷ୍ଠୀ ପକ୍ଷରୁ ଏମିତି ଖବରକୁ ଖଣ୍ଡନ କରାଯାଇଛି। ସଚିନଙ୍କ ନିକଟତର ନେତା କହିଛନ୍ତି, ଆମେ ନିଜ ପ୍ରସଙ୍ଗରେ ଅଟଳ ଅଛୁ। ଏବେ ପାଇଲଟ୍ ଜୁନ ୧୧ରେ ଜୟପୁରରେ ଏକ ରାଲି କରିବେ ଏବଂ ହଜାର ହଜାର ସମର୍ଥକଙ୍କ ଉପସ୍ଥିତିରେ ନୂତନ ଦଳର ଘୋଷଣା କରିବେ ବୋଲି ଚର୍ଚ୍ଚା ଜୋର ଧରିଛି।
ଯଦି ସଚିନ ପାଇଲଟ୍ ନୂତନ ପାର୍ଟି ଗଠନ କରନ୍ତି ତେବେ ବଡ଼ ପ୍ରଶ୍ନ ଏହା ଯେ ତାଙ୍କ ସହିତ କେତେ ବିଧାୟକ ଯିବେ ? ଏହା ବ୍ୟତୀତ ଏମିତି ହେଲେ ଅଶୋକ ଗେହଲଟ ସରକାର ଉପରେ ସଙ୍କଟ ଆସିବନି ତ ? ଏହା ପୂର୍ବରୁ ୨୦୨୦ରେ ଯେବେ ସଚିନ ପାଇଲଟ୍ ବିଦ୍ରୋହ କରିଥିଲେ, ସେତେବେଳେ ତାଙ୍କ ସହିତ ୧୯ ବିଧାୟକ ଥିଲେ। କୁହାଯାଉଛି ଏଥର ମଧ୍ୟ ଅନେକ ବିଧାୟକ ତାଙ୍କ ସମର୍ଥନରେ ରହି ପାରନ୍ତି।