Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ୱୟଂ ସରପଞ୍ଚଙ୍କ ଗାଁରେ ‘କାଦୁଅର ରାଜୁତି’: ବିଡିଓଙ୍କ ଦ୍ୱାରସ୍ଥ ହେଲେ ପାଟବନ୍ଧା ଗ୍ରାମବାସୀ

ଜମନକିରା : ଜମନକିରା ବ୍ଲକ୍ ସଦର ମହକୁମା ପଞ୍ଚାୟତ ସ୍ଥିତ ପାଟବନ୍ଧା ଗ୍ରାମବାସୀଙ୍କ ଦୀର୍ଘ ଦିନର ରାସ୍ତା ସମସ୍ୟା ଆଜି ଏକ ଭିନ୍ନ ରୂପ ନେଇଛି। ଏହି ଗ୍ରାମର ଜଣେ ମହିଳା ସରପଞ୍ଚ ଭାବେ ନିର୍ବାଚିତ ହୋଇ ସମଗ୍ର ପଞ୍ଚାୟତର ବିକାଶ ଦାୟିତ୍ୱ ତୁଲାଉଥିବା ବେଳେ, ତାଙ୍କ ନିଜ ଗାଁକୁ ହିଁ ଏକ ଭଲ ରାସ୍ତା ନଥିବା ଘଟଣା ଅଞ୍ଚଳରେ ତୀବ୍ର ଚର୍ଚ୍ଚାର ବିଷୟ ପାଲଟିଛି। କ୍ଷୋଭିତ ଗ୍ରାମବାସୀ ଶେଷରେ ଏହି ଦୁର୍ଦ୍ଦଶାର ସ୍ଥାୟୀ ସମାଧାନ ଦାବି କରି ଜମନକିରା ବିଡିଓ ରବୀନ୍ଦ୍ର ସେଠୀଙ୍କ ଦ୍ୱାରସ୍ଥ ହୋଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଯାତାୟାତରେ ଚରମ ଅସୁବିଧା ପାଟବନ୍ଧା ଗ୍ରାମର ମୁଖ୍ୟ ରାସ୍ତାଟି ବର୍ତ୍ତମାନ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପଡ଼ିରହିଛି। ସାମାନ୍ୟ ବର୍ଷା ହେଲେ ରାସ୍ତା ସାରା କାଦୁଅ ଓ ଖାଲଖମାରେ ପରିପୂର୍ଣ୍ଣ ହୋଇ ପାଦଚଲା ଯାତାୟାତ ମଧ୍ୟ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହେଉଛି। ଦୁଇଚକିଆ ଯାନ ଚଳାଚଳ ବିପଦସଙ୍କୁଳ ହୋଇପଡ଼ିଥିବା ବେଳେ ଜରୁରୀ ସମୟରେ ରୋଗୀଙ୍କୁ ଡାକ୍ତରଖାନା ନେବା ଓ ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟ ଯିବା ଦୁର୍ବିସହ ହୋଇପଡ଼ିଛି। ତେଣୁ ରାସ୍ତାଟିକୁ ତୁରନ୍ତ ମରାମତି କରି କଂକ୍ରିଟ୍‌ ରାସ୍ତାରେ ପରିଣତ କରିବା ପାଇଁ ଗ୍ରାମବାସୀ ଦୃଢ଼ ଦାବି କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ପାଇବା ପରେ ବିଡିଓ ରବୀନ୍ଦ୍ର ସେଠୀ ଘଟଣାର ଗୁରୁତ୍ୱ ଉପଲବ୍ଧି କରି ତୁରନ୍ତ ଆରଡି ଏସଡିଓ କୁନାଲ ରୁଙ୍ଗଟାଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଥିଲେ। ଖୁବ୍ ଶୀଘ୍ର ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି। ଅନ୍ୟପକ୍ଷରେ, ଏ ସଂକ୍ରାନ୍ତରେ ସରପଞ୍ଚ ଜାଗ୍ୟସେନୀ ନାୟକଙ୍କୁ ପଚାରିବାରୁ ସେ ମଧ୍ୟ ଗ୍ରାମର ରାସ୍ତା ମରାମତି କାର୍ଯ୍ୟ ଖୁବ୍ ଶୀଘ୍ର ସମ୍ପାଦନ କରାଯିବ ବୋଲି ଆଶ୍ୱାସନା ଦେଇଛନ୍ତି। ନିଜ ଗ୍ରାମର ମୌଳିକ ସମସ୍ୟା ଦୀର୍ଘ ଦିନ ଧରି ସମାଧାନ ନହେବା ସ୍ଥାନୀୟ ପ୍ରଶାସନ ଓ ଜନପ୍ରତିନିଧିଙ୍କ ମଧ୍ୟରେ ସମନ୍ୱୟର ଅଭାବକୁ ଦର୍ଶାଉଥିବା ବେଳେ, ପ୍ରଶାସନର ଏହି ପ୍ରତିଶ୍ରୁତି ପରେ କାର୍ଯ୍ୟ କେବେ ଆରମ୍ଭ ହେଉଛି ତାହା ଉପରେ ଏବେ ଗ୍ରାମବାସୀଙ୍କ ନଜର ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories