ଜମନକିରା ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ: ବଡ଼ରମା, କୁଲୁଣ୍ଡି ଓ ଖର୍ସାନମାଲରେ ଏକର ଏକର ଧାନ କ୍ଷେତ ଉଜୁଡ଼ିଲା, ଚିନ୍ତାରେ ଚାଷୀକୂଳ
ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅଞ୍ଚଳରେ ହାତୀପଲଙ୍କ ଉପଦ୍ରବ ଏବେ ଚରମ ସୀମାରେ ପହଞ୍ଚିଛି। ବିଶେଷ କରି ବଡ଼ରମା ବନ୍ୟପ୍ରାଣୀ ରେଞ୍ଜ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ହାତୀଙ୍କ ଉପଦ୍ରବ ଯୋଗୁଁ ଚାଷୀମାନଙ୍କ ଶ୍ରମ ଓ ସମ୍ବଳ ଧୂଳିସାତ ହେବାକୁ ବସିଛି। କେବଳ ଗୋଟିଏ ଗାଁ ନୁହେଁ, ବରଂ ବଡ଼ରମା, କୁଲୁଣ୍ଡି ଓ ଖର୍ସନମାଲ ଭଳି ଏକାଧିକ ପଞ୍ଚାୟତରେ କିଛି ହାତୀପଲ କ୍ରମାଗତ ଭାବେ ଉତ୍ପାତ ଜାରି ରଖି ଏକର ଏକର ଧାନ ଚାଷ ଫସଲ ନଷ୍ଟ କରୁଛନ୍ତି। ଫଳରେ ସମଗ୍ର ଅଞ୍ଚଳରେ ଏବେ ଘୋର ଆତଙ୍କ ଖେଳିଯାଇଛି। ସନ୍ଧ୍ୟା ହେଲେ ଗାଁ ମୁହାଁ ହେଉଛନ୍ତି ହାତୀ ପଲ। ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ସନ୍ଧ୍ୟା ନଇଁବା ମାତ୍ରେ ନିକଟସ୍ଥ ଜଙ୍ଗଲରୁ ହାତୀପଲ ବାହାରି ଚାଷଜମି ଏବଂ ଜନବସତି ଆଡ଼କୁ ମାଡ଼ି ଆସୁଛନ୍ତି। ରୁଆ ଓ ବୁଣା ଧାନ କିଆରିରେ ପଶି ଧାନ ଖାଇବା ସହିତ ପାଦରେ ଦଳିଚକଟି ସମ୍ପୂର୍ଣ୍ଣ ନଷ୍ଟ କରିଦେଉଛନ୍ତି। ଏଭଳି
କ୍ଷୟକ୍ଷତିର ଏକ ଝଲକ ଦେଖିବାକୁ ମିଳିଛି ବିଶ୍ୱାଲପାଲି ଗାଁରେ। ଗ୍ରାମର ଚାଷୀ ଲିଙ୍ଗରାଜ ସିଂଙ୍କ ପ୍ରାୟ ୧ ଏକର ଜମିର ଧାନ ଫସଲକୁ ହାତୀପଲ ଗତ ରାତିରେ ସମ୍ପୂର୍ଣ୍ଣ ମାଟିରେ ମିଶାଇ ଦେଇଛନ୍ତି। ଏହାସହ ଅଶୋକ ସିଂଙ୍କ ୧ ଏକର, ବିରବଲ ସିଂଙ୍କ ୫୨ ଡିସିମିଲ୍, ସୁନ୍ଦର ସିଂଙ୍କ ଅଧା ଏକର ଏବଂ ଚିତ୍ତରଞ୍ଜନ ସାହୁଙ୍କ ଅଧା ଏକର ଚାଷଜମିର ଫସଲ ଉଜୁଡ଼ି ଯାଇଛି।ବଡ଼ରମା ଗ୍ରାମର ଚାଷୀ ପର୍ଶୁରାମ ପଟେଲଙ୍କ ପ୍ରାୟ ୧ ଏକର ଜମିରେ ଥିବା ଧାନ ଫସଲକୁ ହାତୀପଲ ଦଳି ନଷ୍ଟ କରିଛନ୍ତି। ବଡରମା ବନାଞ୍ଚଳ ପାଖାପାଖି ଥିବା କୁଲୁଣ୍ଡି ଓ ଖର୍ସାନମାଲ ଦୁଇ ପଞ୍ଚାୟତର ବିଭିନ୍ନ ଗ୍ରାମରେ ମଧ୍ୟ ହାତୀପଲ ବ୍ୟାପକ ଉପଦ୍ରବ ଚଳାଇ ଅନେକ ଚାଷୀଙ୍କ ଧାନ କିଆରି ନଷ୍ଟ କରିଦେଇଛନ୍ତି। ଚାଷୀଙ୍କ ମଧ୍ୟରେ ଭୟ ଓ କ୍ଷତିପୂରଣ ଦାବି
କଷ୍ଟାର୍ଜିତ ଫସଲ ଅମଳ ହେବା ପୂର୍ବରୁ ଆଖି ଆଗରେ ନଷ୍ଟ ହୋଇଯାଉଥିବା ଦେଖି ଚାଷୀମାନେ ଭାଙ୍ଗି ପଡ଼ିଛନ୍ତି। ହାତୀ ଆକ୍ରମଣ ଭୟରେ ରାତିରେ କ୍ଷେତକୁ ଯାଇ ପହରା ଦେବା କିମ୍ବା ଫସଲ ଜଗିବା ମଧ୍ୟ ଅସମ୍ଭବ ହୋଇପଡ଼ିଛି।ବନ ବିଭାଗ ତୁରନ୍ତ ସ୍ୱତନ୍ତ୍ର ସ୍କ୍ୱାଡ୍ ନିୟୋଜିତ କରି ହାତୀପଲଙ୍କ ଗତିବିଧି ଉପରେ କଡ଼ା ନଜର ରଖିବା ସହ ସେମାନଙ୍କୁ ଜଙ୍ଗଲକୁ ଘଉଡ଼ାଇବା ପାଇଁ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏଥିସହିତ ନଷ୍ଟ ହୋଇଥିବା ଫସଲର କ୍ଷୟକ୍ଷତି ତୁରନ୍ତ ଆକଳନ କରି ପ୍ରଭାବିତ ଚାଷୀଙ୍କୁ ସରକାରୀ ନିୟମ ଅନୁଯାୟୀ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ଜୋରଦାର ଦାବି ହେଉଛି।

