ସମ୍ବଲପୁର ଜିଲ୍ଲା ଫାଶିମାଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଅଧିନ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ ବ୍ୟାପକ ପଦବୀ ଖାଲି: ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ
ଜମନକିରା : ଗ୍ରାମାଞ୍ଚଳରେ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ଦାବି କରୁଥିବା ବେଳେ, ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ଅନ୍ତର୍ଗତ ଫାସିମାଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (ସିଏଚ୍ସି) ଏବଂ ଏହା ଅଧୀନରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ। ଡାକ୍ତର ତଥା ଅନ୍ୟାନ୍ୟ କର୍ମଚାରୀଙ୍କ ଘୋର ଅଭାବ ଯୋଗୁଁ ସ୍ଥାନୀୟ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉପଲବ୍ଧ ସରକାରୀ ତଥ୍ୟ ଅନୁଯାୟୀ, ଅଞ୍ଚଳର ମୋଟ ୧୮୫ଟି ମଞ୍ଜୁରୀପ୍ରାପ୍ତ ପଦବୀ ମଧ୍ୟରୁ ପ୍ରାୟ ଅଧା ଅର୍ଥାତ୍ ୮୯ଟି ପଦବୀ ଦୀର୍ଘ ଦିନ ହେବ ଖାଲି ପଡ଼ିରହିଛି। ବିଶେଷଜ୍ଞ ଡାକ୍ତର ନାହାନ୍ତି କି ଅଧିକାରୀ ଓ କର୍ମଚାରୀ ବି ନାହାନ୍ତି। ଫାଶିମାଲ ସିଏଚ୍ସିରେ ମୋଟ ୫୮ଟି ପଦବୀ ମଧ୍ୟରୁ ୩୪ଟି ଖାଲି ପଡ଼ିଛି। ସୁପରିଣ୍ଟେଣ୍ଡେଣ୍ଟ, ମେଡିସିନ ବିଶେଷଜ୍ଞ, ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ (O&G), ସର୍ଜରୀ ବିଶେଷଜ୍ଞ, ଦନ୍ତ ଚିକିତ୍ସକ ଏବଂ ବିପିଏଚ୍ଓଙ୍କ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ଶୂନ୍ୟ ରହିଛି। ଏହାସହ ୧୫ଟି ଏଲ୍ଟିଆର୍ଏମ୍ଓ (LTRMO) ପଦବୀ ମଧ୍ୟରୁ ମାତ୍ର ୨ ଜଣ କାର୍ଯ୍ୟରତ ଥିବା ବେଳେ ୧୩ଟି ପଦବୀ ଖାଲି ରହିଛି। କେବଳ ଶିଶୁରୋଗ ବିଶେଷଜ୍ଞ ପଦବୀରେ ଜଣେ ଡାକ୍ତର ନିୟୋଜିତ ଅଛନ୍ତି। ନର୍ସିଂ ଅଫିସରଙ୍କ ୯ଟି ପଦବୀରୁ ୩ଟି ଏବଂ ସଫେଇ କର୍ମଚାରୀଙ୍କ ୪ଟି ଯାକ ପଦବୀ ଖାଲି ପଡ଼ିଥିବାରୁ ସ୍ୱାସ୍ଥ୍ୟକେନ୍ଦ୍ରର ସେବା ବ୍ୟବସ୍ଥା ଭୁଶୁଡ଼ି ପଡ଼ିବା ଅବସ୍ଥାରେ ପହଞ୍ଚିଛି। ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକର ଅବସ୍ଥା ଆହୁରି ସଙ୍ଗିନ ଅବସ୍ଥାରେ। ଅଞ୍ଚଳର ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (ପିଏଚ୍ସି) ଗୁଡ଼ିକର ଅବସ୍ଥା ମଧ୍ୟ ଅତି ଦୟନୀୟ ହୋଇପଡିଛି। ଜମନକିରା (ନୂତନ) ପିଏଚ୍ସିରେ ୮ଟି ମଞ୍ଜୁରୀପ୍ରାପ୍ତ ପଦବୀରୁ ୬ଟି ଖାଲି। ଏଠାରେ ମେଡିକାଲ ଅଫିସର, ଫାର୍ମାସି ଅଫିସର, ଆୟୁଷ ଡାକ୍ତର ଏବଂ ସଫେଇ କର୍ମଚାରୀଙ୍କ ପଦବୀ ଶୂନ୍ୟ ରହିଛି। କେବଳ ଜଣେ ନର୍ସିଂ ଅଫିସର ଓ ଜଣେ ଏଏନ୍ଏମ୍ଙ୍କ ଉପରେ ଚାଲିଛି କେନ୍ଦ୍ର। ସେହିପରି ବଞ୍ଜାରି ପିଏଚ୍ସିରେ ୬ଟି ପଦବୀରୁ ୫ଟି ଖାଲି ପଡ଼ିଛି। କେବଳ ଜଣେ ଏଏନ୍ଏମ୍ କାର୍ଯ୍ୟରତ ଥିବା ବେଳେ ଡାକ୍ତର କିମ୍ବା ଫାର୍ମାସିଷ୍ଟ କେହି ନାହାନ୍ତି। ଭୋଜପୁର ପିଏଚ୍ସିରେମଞ୍ଜୁର ଥିବା ୪ଟି ପଦବୀ ମଧ୍ୟରୁ ୩ଟି ଖାଲି, କେବଳ ଜଣେ ମେଡିକାଲ ଅଫିସର ଉପସ୍ଥିତ ଅଛନ୍ତି। କେନାଢିପା ପିଏଚ୍ସିରେ ୬ଟି ପଦବୀରୁ ମେଡିକାଲ ଅଫିସର ଓ ଫାର୍ମାସିଷ୍ଟଙ୍କ ସମେତ ୨ଟି ପଦବୀ ଖାଲି ରହିଛି। କୁଲୁଣ୍ଡି ପିଏଚ୍ସିରେ ୬ଟି ପଦବୀରୁ ୫ ଜଣ କର୍ମଚାରୀ ଥିବା ବେଳେ ଫାର୍ମାସି ଅଫିସର ପଦବୀ ଖାଲି ରହିଛି। କ୍ଷେତ୍ରସ୍ତରୀୟ ସ୍ୱାସ୍ଥ୍ୟସେବା ମଧ୍ୟ ପ୍ରଭାବିତ ହୋଇ ରହିଛି। ଫାଶିମାଲ ଅଧୀନରେ ଥିବା ଫିଲ୍ଡ ଷ୍ଟାଫ୍ ମଧ୍ୟରେ ମଧ୍ୟ ବ୍ୟାପକ ଅଭାବ ଦେଖାଦେଇଛି। ପୁରୁଷ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ (MPHW-Male)ଙ୍କ ୩୯ଟି ପଦବୀରୁ ୨୮ଟି ଖାଲି ପଡ଼ିଛି। ସେହିପରି ପୁରୁଷ ଓ ମହିଳା ସ୍ୱାସ୍ଥ୍ୟ ପରିଦର୍ଶକ (MPHS) ପଦବୀରେ ମଧ୍ୟ ୩ଟି ଲେଖାଏଁ ପଦ ଖାଲି ରହିଛି। ଗ୍ରାମାଞ୍ଚଳରେ ଟିକାକରଣ, ରୋଗ ପ୍ରତିରୋଧକ ସଚେତନତା ଏବଂ ପ୍ରାଥମିକ ସେବା ପ୍ରଦାନ କରୁଥିବା ଏହି କର୍ମଚାରୀଙ୍କ ଅଭାବ ଯୋଗୁଁ ସ୍ୱାସ୍ଥ୍ୟ ସର୍ଭେକ୍ଷଣ ବାଧାପ୍ରାପ୍ତ ହେଉଛି। ଦୀର୍ଘ ଦିନ ଧରି ଏତେ ସଂଖ୍ୟକ ଡାକ୍ତର ଓ କର୍ମଚାରୀ ପଦବୀ ଖାଲି ପଡ଼ିଥିବାରୁ ସାଧାରଣ ଲୋକେ ଉପଯୁକ୍ତ ଚିକିତ୍ସା ନପାଇ ବହୁ ଦୂର ସମ୍ବଲପୁର କିମ୍ବା ବୁର୍ଲା ବଡ଼ ଡାକ୍ତରଖାନାକୁ ଦୌଡ଼ିବାକୁ ବାଧ୍ୟ ହେଉଛନ୍ତି। ଏହି ସମସ୍ୟାର ତୁରନ୍ତ ସମାଧାନ କରି ଖାଲି ଥିବା ସମସ୍ତ ପଦବୀରେ ନିଯୁକ୍ତି ଦେବାକୁ ସ୍ଥାନୀୟ ଜନସାଧାରଣ ଓ ବୁଦ୍ଧିଜୀବୀ ମହଲରୁ ଦାବି ଜୋର୍ ଧରିଛି।
ଏସଂକ୍ରାନ୍ତରେ ଫାଶୀମାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସୁପରିଟେଣ୍ଡେଣ୍ଟ ଡାକ୍ତର ହରିଶ ଚନ୍ଦ୍ର ବାଘଙ୍କୁ ଯୋଗାଯୋଗ କରି ପଚାରିବାରୁ ସେ ସାକ୍ସନ ପଦବୀ ତଥ୍ୟ ଅନୁସାରେ ବର୍ତ୍ତମାନ ଅବସ୍ଥା ଶୋଚନୀୟ ହୋଇ ରହିଛି, ଏନେଇ ମନ୍ତ୍ରୀ, ନେତା ଓ ଉଚ୍ଚ କର୍ତ୍ତୃପକ୍ଷ ଙ୍କୁ ବାରମ୍ବାର ଅଭିଯୋଗ କରି ଆସୁଥିଲେ ସୁଦ୍ଧା କୌଣସି ପ୍ରତିକାର କରାଯାଉନାହିଁ ବୋଲି କହିଥିଲେ।

