Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋଆଗୋଲା ସରକାରୀ ବିଦ୍ୟାଳୟ: ଜରାଜୀର୍ଣ୍ଣ ଗୃହରେ ୧୫୫ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ବିପନ୍ନ, ମାସକ ମଧ୍ୟରେ ସମାଧାନ ନହେଲେ ଆନ୍ଦୋଳନ ଚେତାବନୀ

ଜମନକିରା : ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାର ସୁଦୃଢ଼ୀକରଣ ତଥା ବିଦ୍ୟାଳୟଗୁଡ଼ିକର ରୂପାନ୍ତରଣ ପାଇଁ ଡିଣ୍ଡିମ ପିଟୁଥିବା ବେଳେ, ତୃଣମୂଳ ସ୍ତରରେ ଏହାର ବାସ୍ତବ ଚିତ୍ର ଅତ୍ୟନ୍ତ ନୈରାଶ୍ୟଜନକ। ଏହାର ଏକ ଜ୍ୱଳନ୍ତ ଉଦାହରଣ ସାମ୍ନାକୁ ଆସିଛି ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ କଷଡ଼ା ପଞ୍ଚାୟତର କୋଆଗୋଲା ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ। ୧୯୯୫ ମସିହାରେ ସ୍ଥାପିତ ହୋଇଥିବା ଏହି ଐତିହ୍ୟବାହୀ ବିଦ୍ୟାଳୟଟି ଦୀର୍ଘ ବର୍ଷର ପ୍ରଶାସନିକ ଅବହେଳା ଯୋଗୁଁ ଆଜି ଭଗ୍ନପ୍ରାୟ ଓ ବିପଦସଙ୍କୁଳ ଅବସ୍ଥାରେ ପହଞ୍ଚିଛି। ସ୍କୁଲରେ ମୋଟ ୭ ଟି ଶ୍ରେଣୀ କୋଠରୀ ଥିବା ବେଳେ ଗୋଟିଏ କୋଠରୀ ସମ୍ପୂର୍ଣ୍ଣ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ୫ ଟି କୋଠରୀ ରୁ ଗୋଟିଏ କୋଠରୀରେ ପାଣି ଗଳୁଛି। ପ୍ରଧାନ ଶିକ୍ଷକ ଙ୍କୁ ମିଶେଇ ମୋଟ ୭ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି। ଗତ ୫ ବର୍ଷ ମଧ୍ୟରେ ୨ ଲକ୍ଷ ୮୦ ହଜାର ଟଙ୍କା ଅନୁଦାନ ଆସିଥିଲା। ସେହି ଟଙ୍କାରେ ମାଟି ଖପର କୁ ବଦଳେଇ ଆସବେଷ୍ଟସ ଛାଉଣୀ କରାଯାଇଥିଲା। ତେବେ କେତେକ ଆଜବେଷ୍ଟସ ଭାଙ୍ଗି ଯାଇଥିବା ଯୋଗୁଁ ଗୋଟିଏ ଶ୍ରେଣୀ କୋଠରୀରେ ପାଣି ଗଳୁଛି। ବିଦ୍ୟାଳୟରେ ଶିଶୁ ବାଟିକାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୧୫ ଜଣ ଛାତ୍ରଛାତ୍ରୀ ଅଧ୍ୟୟନରତ। ମାତ୍ର ସେମାନଙ୍କ ଶିକ୍ଷାଦାନ ନିମନ୍ତେ ଆବଶ୍ୟକୀୟ ଶ୍ରେଣୀ କୋଠରୀର ଘୋର ଅଭାବ ପରିଲକ୍ଷିତ ହୋଇଛି। ପୁରୁଣା ଶ୍ରେଣୀ ଗୃହଗୁଡ଼ିକ ଅତିମାତ୍ରାରେ ଜରାଜୀର୍ଣ୍ଣ ହୋଇପଡ଼ିଥିବା ବେଳେ ବର୍ଷା ଦିନେ ଛାତରୁ ନିରନ୍ତର ପାଣି ଗଳୁଛି। ଏହା ବ୍ୟତୀତ ବିଦ୍ୟାଳୟର ରୋଷେଇ ଘରଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଅବ୍ୟବହୃତ ଅବସ୍ଥାରେ ପଡ଼ିରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବିଦ୍ୟାଳୟ ପରିସରରେ କୌଣସି ସୁରକ୍ଷା ପାଚେରୀ ନାହିଁ ଏବଂ ପର୍ଯ୍ୟାପ୍ତ ସ୍ଥାନର ଅଭାବ ଥିବାରୁ କୋମଳମତି ଶିଶୁମାନେ ସର୍ବଦା ଅସୁରକ୍ଷିତ ଅବସ୍ଥାରେ ରହିବାକୁ ବାଧ୍ୟ ହେଉଛନ୍ତି।
ଏହି ଗୁରୁତର ସମସ୍ୟା ସମ୍ପର୍କରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବିଜୟକୁମାର ପ୍ରଧାନ, ଅଭିଭାବକ ସଭ୍ୟ ଭୋଜରାଜ ବେହେରା, ସନ୍ଧ୍ୟାରାଣୀ ସାହୁ ଏବଂ ସଦାନନ୍ଦ ପ୍ରଧାନ ପ୍ରମୁଖ ପ୍ରଶାସନ ନିକଟରେ ବହୁବାର ଲିଖିତ ତଥା ମୌଖିକ ଭାବେ ଗୁହାରି ଜଣାଇଛନ୍ତି। ତଥାପି ଅଦ୍ୟାବଧି କୌଣସି ସୁଫଳ ମିଳିନାହିଁ। ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ଅର୍କ କହିଛନ୍ତି ଯେ କମିଟି ସହ ବାରମ୍ବାର ବୈଠକ କରି ସମସ୍ୟା ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ଯଦି ଆଗାମୀ ଏକ ମାସ ମଧ୍ୟରେ ଏହି ସମସ୍ୟାର ସ୍ଥାୟୀ ସମାଧାନ ନହୁଏ, ତେବେ କମିଟି ଓ ଅଭିଭାବକଙ୍କ ପକ୍ଷରୁ ବ୍ୟାପକ ଜନ ଆନ୍ଦୋଳନ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
ଏ ସଂକ୍ରାନ୍ତରେ ଜମନକିରା ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ (ଏବିଇଓ) ଦେବକୀ ନାୟକଙ୍କୁ ଯୋଗାଯୋଗ କରି ପଚାରିବାରୁ ସେ କହିଛନ୍ତି ଯେ, ଖୁବ୍ ଶୀଘ୍ର ବିଦ୍ୟାଳୟ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରାଯିବ। ପରିଦର୍ଶନ ପରେ ଯାହା କିଛି ସମ୍ଭବ ହେବ, ତାର ଉଚିତ ପ୍ରତିକାର ତଥା ସମାଧାନ ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ।
ଛାତ୍ରଛାତ୍ରୀଙ୍କ ଜୀବନ ଓ ଭବିଷ୍ୟତ ସହ ଜଡ଼ିତ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ପ୍ରଶାସନ କେତେ ଶୀଘ୍ର ପଦକ୍ଷେପ ନେଉଛି, ତାହା ଉପରେ ଏବେ ସମଗ୍ର ଅଞ୍ଚଳବାସୀଙ୍କ ନଜର ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories