ଜମନକିରାରେ ବ୍ଲକ ସ୍ତରୀୟ ଉଲ୍ଲାସ – ନବ ଭାରତ ସାକ୍ଷରତା ଅଭିଯାନ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ
ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ‘ଉଲ୍ଲାସ – ନବ ଭାରତ ସାକ୍ଷରତା ଅଭିଯାନ’ ଅନ୍ତର୍ଗତ ଏକ ବିଶାଳ ସାକ୍ଷରତା ସଚେତନତା ଶୋଭାଯାତ୍ରା ଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାକ୍ଷରତା ହିଁ ସମୃଦ୍ଧ ସମାଜର ମୁଖ୍ୟ ଆଧାର ଭାବେ ଗ୍ରହଣ କରି ସମାଜର ପ୍ରତ୍ୟେକ ବର୍ଗରେ ଶିକ୍ଷାର ଆଲୋକ ବିସ୍ତାର କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ବ୍ଲକ ଶିକ୍ଷା ଅଧିକାରୀ ରୁକ୍ମଣ ପ୍ରଧାନ, ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ ମହିମା ସାହୁ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଦେବକୀ ନାୟକ ଏବଂ ସାଂସଦ ପ୍ରତିନିଧି ପ୍ରମୁଖ ପରିଚାଳନା ଓ ସଂଯୋଜନା କରି ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ। ଏହି ଅବସରରେ ଜମନକିରା ବ୍ଲକ କାର୍ଯ୍ୟାଳୟ ପରିସରରୁ ଏକ ଭବ୍ୟ ସଚେତନତା ଶୋଭାଯାତ୍ରା ବାହାରି ପୁରୁଣା ଥାନା ମଣ୍ଡପରେ ପହଞ୍ଚିଥିଲା। ସଚେତନତା ସଭା ପରେ ସମଗ୍ର ଗ୍ରାମ ପରିକ୍ରମା କରିବା ସହ ପୁନର୍ବାର ବ୍ଲକ କାର୍ଯ୍ୟାଳୟ ପରିସରରେ ପହଞ୍ଚିଥିଲା। ଏହି ରାଲିରେ ଜମନକିରା ପଞ୍ଚାୟତ ହାଇସ୍କୁଲ, କଦଳିମୁଣ୍ଡା ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଜମନକିରା ମଧ୍ୟ ଇଂରାଜୀ ବିଦ୍ୟାଳୟ ଏବଂ ଜମନକିରା ଉନ୍ନୀତ ପ୍ରାଥମିକ ବିଦ୍ୟାଳୟର ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ତଥା ଶିକ୍ଷକ- ଶିକ୍ଷୟିତ୍ରୀମାନେ ହାତରେ ସଚେତନତା ଫଳକ ଧରି ସାମିଲ ହୋଇଥିଲେ। ପରିଶେଷରେ ଉପସ୍ଥିତ ସମସ୍ତ ଅତିଥି, ଶିକ୍ଷା ବିଭାଗର ଅଧିକାରୀ, ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ନିରକ୍ଷରତାମୁକ୍ତ ସମାଜ ଗଠନ ଏବଂ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସାମୂହିକ ଶପଥ ପାଠ କରିଥିଲେ। ସମସ୍ତଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା

