Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମିଥ୍ଯା ବିଲରେ ଅବସରପ୍ରାପ୍ତ କର୍ମଚାରୀଙ୍କ ନାଁରେ ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗ, ଜାଲ୍ ବିଲ୍ କରି କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ; କନିଷ୍ଠ ସହାୟକ କୁ ବାନ୍ଧିଲା ଭିଜିଲାନ୍ସ

ଜମନକିରା : ସମ୍ବଲପୁର ଜିଲାର ଦୁଇଟି ସ୍ୱାସ୍ଥ୍ୟକେନ୍ଦ୍ରରେ ହୋଇଥିବା ବଡ଼ ଧରଣର ସରକାରୀ ପାଣ୍ଠି ହେରଫେର ମାମଲାରେ ଶେଷରେ ମଙ୍ଗଳବାର ମୁଖ୍ୟ ଅଭିଯୁକ୍ତ କିରାଣୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ଓଡ଼ିଶା ଭିଜିଲାନ୍ସ। ଜମନକିରା ବ୍ଲକ ଅଧୀନ ଫାଶୀମାଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (ସିଏଚ୍‌ସି) ଏବଂ ବାମରା ବ୍ଲକ ଅଧୀନ ଗୋବିନ୍ଦପୁର ସିଏଚ୍‌ସିର କନିଷ୍ଠ ସହାୟକ ଭାବେ କାର୍ଯ୍ୟରତ ମୀର ଇମତିଆଜ୍ ଅଲୀ ପ୍ରାୟ ୧ କୋଟି ୧୫ ଲକ୍ଷରୁ ଊର୍ଦ୍ଧ୍ୱ ସରକାରୀ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି।
ଭିଜିଲାନ୍ସର ତଦନ୍ତରୁ ଜଣାପଡ଼ିଛି ଯେ, ୨୦୨୧-୨୨ରୁ ୨୦୨୬-୨୭ ଆର୍ଥିକ ବର୍ଷ ମଧ୍ୟରେ ଅଭିଯୁକ୍ତ ଇମତିଆଜ୍ ଅଲୀ ଉଭୟ ଅଫ୍‌ଲାଇନ୍ ଓ ଅନ୍‌ଲାଇନ୍ ମାଧ୍ୟମରେ ବ୍ୟାପକ ଜାଲିଆତି ଚଳାଇଥିଲେ। ସେ ସ୍ୱାସ୍ଥ୍ୟକେନ୍ଦ୍ରର ଅବସରପ୍ରାପ୍ତ କର୍ମଚାରୀମାନଙ୍କ ନାମରେ ବକେୟା ଦରମା (ଏରିୟର), ଅବ୍ୟବହୃତ ଛୁଟି ନଗଦୀକରଣ ଏବଂ ଅସ୍ଥାୟୀ ପେନସନ୍ ଆଦି ବିଭିନ୍ନ ଆଳ ଦେଖାଇ ମିଥ୍ୟା ବିଲ୍ ପ୍ରସ୍ତୁତ କରୁଥିଲେ। ନିୟମ ଅନୁସାରେ ଏହି ସରକାରୀ ଅର୍ଥ ଅବସରପ୍ରାପ୍ତ କର୍ମଚାରୀଙ୍କ ଖାତାକୁ କିମ୍ବା ସରକାରୀ କୋଷାଗାରକୁ ଯିବା କଥା, କିନ୍ତୁ ଅଭିଯୁକ୍ତ ଜଣକ ହିତାଧିକାରୀଙ୍କ ପରିବର୍ତ୍ତେ ବେଆଇନ ଭାବେ ଅର୍ଥ ପ୍ରଦାନ ପ୍ରକ୍ରିୟାକୁ ବଦଳାଇ ସମସ୍ତ ଟଙ୍କା ନିଜ ବ୍ୟାଙ୍କ ଖାତାକୁ ଟ୍ରାନ୍ସଫର କରି ନେଉଥିଲେ।
ଏହିପରି ଭାବେ ସେ ଫାଶୀମାଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ୭୦ ଲକ୍ଷ ୫୭ ହଜାର ୪୫୦ ଟଙ୍କା ଏବଂ ଗୋବିନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ୪୪ ଲକ୍ଷ ୫୭ ହଜାର ୮୯ ଟଙ୍କା, ସର୍ବମୋଟ ୧ କୋଟି ୧୫ ଲକ୍ଷ ୧୪ ହଜାର ୫୩୯ ଟଙ୍କା ନିଜର ସ୍ୱାର୍ଥ ହାସଲ ପାଇଁ ତୋସରପାତ କରିଥିଲେ।
ଏହି ଘଟଣା ସାମ୍ନାକୁ ଆସିବା ପରେ ସିଡିଏମ୍ଓଙ୍କ ସ୍ତରରେ ଯାଞ୍ଚ ଓ ଅଡିଟ୍ ଚାଲିଥିବା ବେଳେ ଅଭିଯୁକ୍ତ ଫେରାର ଥିଲେ। ଏବେ ଭିଜିଲାନ୍ସ ପକ୍ଷରୁ ସମ୍ବଲପୁର ଭିଜିଲାନ୍ସ ଥାନାରେ ଦୁଇଟି ପୃଥକ ମାମଲା (କେସ୍ ନଂ ୧୪ ଓ ୧୫) ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ମୀର ଇମତିଆଜ୍ ଅଲୀଙ୍କୁ ସମ୍ବଲପୁରର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତକୁ ଚାଲାଣ କରାଯାଉଛି। ଅନ୍ୟପଟେ ଏହି ଦୁର୍ନୀତିର ଚେର କେତେ ଦୂର ଲମ୍ବିଛି ଏବଂ ଏଥିରେ ଅନ୍ୟ କୌଣସି ଅଧିକାରୀ ବା କର୍ମଚାରୀ ସାମିଲ ଅଛନ୍ତି କି ନାହିଁ, ତାହା ଉପରେ ଭିଜିଲାନ୍ସ ନିଜର ତଦନ୍ତ ଜାରି ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories