କୁଚିଣ୍ଡା ଓ ମହୁଲପାଲି ଅଞ୍ଚଳରେ ମନ୍ଦିର ଚୋରି ଗ୍ୟାଙ୍ଗ୍ ପର୍ଦ୍ଦାଫାସ: ୪ ଗିରଫ, ୩ ନାବାଳକ ଅଟକ; ବିପୁଳ ସୁନା-ରୂପା ଅଳଙ୍କାର ଜବତ
ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଓ ମହୁଲପାଲି ଥାନା ଅଞ୍ଚଳରେ ଲଗାତାର ବିଭିନ୍ନ ମନ୍ଦିର ଏବଂ ଦୋକାନରୁ ଚୋରି କରୁଥିବା ଏକ ଆନ୍ତଃଜିଲ୍ଲା ଚୋର ଗ୍ୟାଙ୍ଗ୍ର ପର୍ଦ୍ଦାଫାସ କରିଛି ପୋଲିସ। ଏହି ମାମଲାରେ ସମ୍ପୃକ୍ତ ଥିବା ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ୩ ଜଣ ନାବାଳକଙ୍କୁ ଅଟକ ରଖାଯାଇଛି। ଏଥିସହ ଚୋରି ସାମଗ୍ରୀ କିଣିଥିବା ବ୍ୟକ୍ତିଙ୍କ ଠାରୁ ବିପୁଳ ପରିମାଣର ସୁନା ଓ ରୂପା ଅଳଙ୍କାର ସହ ଲ୍ୟାପଟପ୍ ଏବଂ ମୋବାଇଲ୍ ଫୋନ୍ ଜବତ କରାଯାଇଛି।
ସୂଚନା ଅନୁଯାୟୀ, ଗତ ଅଗଷ୍ଟ ମାସରେ ତୁରେଇ ସ୍ଥିତ ମା’ ତାରିଣୀ ମନ୍ଦିରରୁ ସୁନା-ରୂପା ଅଳଙ୍କାର ଓ ହୁଣ୍ଡି ଟଙ୍କା ଚୋରି ହୋଇଥିବା ନେଇ ମହୁଲପାଲି ଥାନାରେ ଅଭିଯୋଗ ହୋଇଥିଲା। ସେହିପରି ଗୋଟିଏ ରାତିରେ କୁଚିଣ୍ଡା ଥାନା ଅନ୍ତର୍ଗତ ପରୁଆଭାଡି ହନୁମାନ ମନ୍ଦିର, କୁଦାପଡ଼ା ଜାଙ୍ଗଡ଼ା ମନ୍ଦିର ଏବଂ କିରାଶାସନ ସ୍ୱପ୍ନେଶ୍ୱର ଶିବ ମନ୍ଦିରର ହୁଣ୍ଡି ଭାଙ୍ଗି ନଗଦ ଟଙ୍କା ଓ ରୂପା ସାମଗ୍ରୀ ଲୁଟି ନେଇଥିଲେ ଦୁର୍ବୃତ୍ତ। ପରେ ସେପ୍ଟେମ୍ବର ୫ ତାରିଖ ବିଳମ୍ବିତ ରାତିରେ ଅଠାଗାଁ ଛକରେ ଥିବା ଏକ କୀଟନାଶକ ଦୋକାନରୁ ସିସିଟିଭି ଭାଙ୍ଗି ଲ୍ୟାପଟପ୍ ଓ ଟଙ୍କା ଚୋରି ହୋଇଥିଲା। ବାରମ୍ବାର ଚୋରି ଘଟଣାକୁ ଗୁରୁତ୍ୱର ସହ ନେଇ ସମ୍ବଲପୁର ଏସପି ମୁକେଶ କୁମାର ଭାମୁଙ୍କ ନିର୍ଦ୍ଦେଶକ୍ରମେ କୁଚିଣ୍ଡା ଏସଡିପିଓଙ୍କ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ କରାଯାଇଥିଲା। ତଦନ୍ତ ବେଳେ ପୋଲିସ କୁସୁମୀ ଅଞ୍ଚଳର ମହେଶ ଓରାମ (୨୧), ରୋହିତ କାତୁରୀ (୨୦), ହୀରାଲାଲ ସବର (୨୩) ଏବଂ ସୁନ୍ଦରଗଡ଼ ଗୁରୁଣ୍ଡିଆ ଅଞ୍ଚଳର ବିକାଶ ପାତ୍ର (୨୧)ଙ୍କୁ କାବୁ କରିଥିଲା। ପଚରାଉଚରା ବେଳେ ଅଭିଯୁକ୍ତମାନେ ୩ ଜଣ ନାବାଳକଙ୍କ ସହାୟତାରେ ଏହି ସମସ୍ତ ମନ୍ଦିରରେ ଚୋରି କରିଥିବା ସ୍ୱୀକାର କରିଥିଲେ। ମୁଖ୍ୟ ଅଭିଯୁକ୍ତ ମହେଶ ଓରାମଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିବା ପରେ ଚୋରି ସାମଗ୍ରୀ କିଣିଥିବା ଶରତ ମହାନା ଏବଂ ସନତ ସାମଲଙ୍କ ନିକଟରୁ ରୂପା ମୁକୁଟ, ଛତ୍ରୀ, ଝୁଣ୍ଟିଆ, ବାଳା, ସୁନା ଟିକିଲି, ନୋଥ ଓ ଭଙ୍ଗା ତ୍ରିଶୂଳ ଆଦି ଜବତ କରାଯାଇଛି। ଗିରଫ ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ୩ ନାବାଳକଙ୍କୁ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ (JJB) ରେ ହାଜର କରାଯାଇଛି। ବାକି ଚୋରି ସାମଗ୍ରୀ ଉଦ୍ଧାର ପାଇଁ ତଦନ୍ତ ଜାରି ରହିଛି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

