Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କନକଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିବ ୨୦୨୪ ନିର୍ବାଚନ, ପାଟଣାଗଡ଼ରେ କଣ୍ଟା ସାଜିଛନ୍ତି ସରୋଜ ମେହେର

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ ବିଧାନସଭା ଆସନରେ ଅପ୍ରତିଦ୍ଵନ୍ଦୀ ନେତା ଥିଲେ ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓ। ଯେତେବେଳେ ରାଜ୍ୟରେ ବିଜେପି ନିଜର ଭୋଟ ହାର ବଢାଇବାକୁ ସଂଘର୍ଷ କରୁଥିଲା, ସେଠି କନକଙ୍କ ପରି ଏକମାତ୍ର ନେତା ଯିଏ ପାଟଣାଗଡ଼ରୁ କ୍ରମାଗତ ୫ ଥର ବିଜୟୀ ହୋଇଥିଲେ। ପାଟଣାଗଡ଼କୁ ସେ ବିଜେପିର ଗଡ ଭାବେ ଗଢିଥିଲେ। କିନ୍ତୁ ୨୦୧୯ ନିର୍ବାଚନରେ କନକ ବର୍ଦ୍ଧନ ସିଂ ଦେଓଙ୍କୁ ପରାଜୟର ସ୍ଵାଦ ଚାଖିବାକୁ ପଡ଼ିଥିଲା। ବ୍ୟବସାୟୀରୁ ନେତା ପାଲଟିଥିବା ସରୋଜ ମେହେର କନକଙ୍କୁ ହରାଇ ବିଧାୟକ ହୋଇଛନ୍ତି। ଆସନ୍ତା ବର୍ଷ ହେବାକୁ ଯାଉଛି ୨୦୨୪ ସାଧାରଣ ନିର୍ବାଚନ। ଏହି ନିର୍ବାଚନ ଉପରେ କନକଙ୍କ ରାଜନୈତିକ ଭବିଷ୍ୟତ ବହୁତ ନିର୍ଭର କରୁଛି।

୨୦୨୪ରେ କନକ ବିଜେପି ପକ୍ଷରୁ ପ୍ରାର୍ଥୀ ହେବା ନିଶ୍ଚିତ ଲାଗୁଛି। ତାଙ୍କର ମୁଖ୍ୟ ପ୍ରତିଦ୍ଵନ୍ଦ୍ଵୀ ହୋଇ ପାରନ୍ତି ବର୍ତ୍ତମାନର ବିଜେପି ବିଧାୟକ ସରେଜ ମେହେର। ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଏବଂ ସରୋଜ ମେହେର ଜିଲ୍ଲାରେ ବିଜେଡି ସଂଗଠନ ବୁଝୁଛନ୍ତି। ପାଟଣାଗଡ଼ରେ ବିଜେଡିର ସ୍ଥିତି ଭଲ ରହିଛି । ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ୧୯୯୫ ମସିହାରୁ ଲାଗାତାର ଏହି ଆସନରୁ ବିଜୟୀ ହୋଇଆସୁଥିଲେ । ତେବେ ୨୦୧୯ରେ ପ୍ରାୟ ୧୧ହଜାର ଭୋର ବ୍ୟବଧାନରେ ସେ ପରାଜିତ ହୋଇଥିଲେ। ଏହା ପରେ ସେଠାରେ ବିଜେପିର ସ୍ଥିତି ଦୁର୍ବଳ ହେବାରେ ଲାଗିଛି। ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ମଧ୍ୟ ବିଜେପିକୁ ଶକ୍ତ ଝଟକା ଲାଗିଛି ।

ସୂଚନାଯୋଗ୍ୟ, ପାଟଣାଗଡ଼ ନିର୍ବାଚନମଣ୍ଡଳୀର ୭ଟି ଜିଲ୍ଲା ପରିଷଦ ଆସନରୁ ବିଜେପି ମାତ୍ର ଗୋଟିଏରେ ବିଜୟୀ ହେବାରେ ସକ୍ଷମ ହୋଇଛି । ସେହିପରି ବିଜେପି ପାଖରେ କୌଣସି ପଞ୍ଚାୟତ ସମିତି ବା ବ୍ଲକ ଅଧ୍ୟକ୍ଷ ନାହାନ୍ତି । ଏପରିକି ପାଟଣାଗଡ଼ ଏନଏସି ମଧ୍ୟ ବିଜେପି ହାତରୁ ଖସି ଯାଇଛି। କେବଳ ଲୋକସଭା ସାଂସଦ କ୍ଷମତା ହିଁ ପାଟଣାଗଡ଼ରେ ବିଜେପି ପାଇଁ ଅକ୍ସିଜେନ ସଦୃଶ ରହିଛି । ବିଜେଡିର କଳିକେଶ ନାରାୟଣ ସିଂଦେଓଙ୍କୁ ପରାଜିତ କରି କନକଙ୍କ ସ୍ତ୍ରୀ ତଥା ପୂର୍ବତନ ସାଂସଦ ସଙ୍ଗୀତା କୁମାରୀ ସିଂଦେଓ ଏବେ ଲୋକସଭା ସାଂସଦ ରହିଛନ୍ତି ।

ସାମଗ୍ରିକ ଭାବରେ ପାଟଣାଗଡ଼ରେ ବିଜେଡିର ସ୍ଥିତି ଭଲ ରହିଛି । ୭ଟିରୁ ୬ଟି ଜିଲ୍ଲା ପରିଷଦ ଏବଂ ସମସ୍ତ ୩ଟି ପଞ୍ଚାୟତ ସମିତି ସମେତ ପାଟଣାଗଡ଼ ଏନଏସି ମଧ୍ୟ ବିଜେଡି ଦଖଲରେ ରହିଛି । ତେଣୁ ବିଜେଡି ଆସନ୍ତା ନିର୍ବାଚନରେ ଭଲ କରିପାରେ ବୋଲି କୁହାଯାଉଛି । ମାତ୍ର ଦଳ ଭିତରେ ଅସନ୍ତୋଷ ରହିଥିବା କୁହାଯାଏ । ବିଜେପିରୁ ବିଜେଡିରେ ମିଶିଥିବା କିଛି ନେତା ଏବେ ପୂର୍ବସ୍ଥାନକୁ ଫେରିବାକୁ ଚେଷ୍ଟା ଚଳାଇଛନ୍ତି । ଏହାସତ୍ତ୍ୱେ ଆଦିବାସୀ ସଂଗଠକ ତଥା ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ସରୋଜଙ୍କ ସହ ଅଛନ୍ତି । ଯାହା ତାଙ୍କୁ କେତେକାଂଶରେ ଲାଭ ଦେବ ବୋଲି କୁହାଯାଉଛି । ସେପଟେ କଂଗ୍ରେସରୁ ରମେଶ ପୁରୋହିତ ଓ ଅନୀଲ ମେହେରଙ୍କ ନାମ ଆଶାୟୀ ଭାବରେ ଚର୍ଚ୍ଚାରେ ରହିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ