ଜମନକିରା ଡିଗ୍ରୀ ମହାବିଦ୍ୟାଳୟରେ ‘ଶକ୍ତିଶ୍ରୀ’ କାର୍ଯ୍ୟକ୍ରମର ଉଦ୍ଯାପନ: ଛାତ୍ରୀମାନେ ହେବେ ସଶକ୍ତ ଓ ଆତ୍ମନିର୍ଭର
ଜମନକିରା : ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଜମନକିରା ଡିଗ୍ରୀ ମହାବିଦ୍ୟାଳୟରେ ଅନୁଷ୍ଠିତ ହେଉଥିବା ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ‘ଶକ୍ତିଶ୍ରୀ’ ଆଜି ସଫଳତାର ସହ ଉଦ୍ଯାପିତ ହୋଇଯାଇଛି। ଛାତ୍ରୀମାନଙ୍କୁ ଶାରୀରିକ ଓ ମାନସିକ ସ୍ତରରେ ସଶକ୍ତ କରିବା ଏବଂ ସେମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଥିଲା। ଗତ ୭ ତାରିଖରୁ ଆରମ୍ଭ ହୋଇଥିବା ଏହି ଛଅ ଦିନିଆ କାର୍ଯ୍ୟକ୍ରମରେ ବିଶେଷଜ୍ଞ ଟ୍ରେନର୍ ରିତିକା ଲୁହା ଏବଂ ସୀମା ମାଟିଆରି ମହାବିଦ୍ୟାଳୟର ଛାତ୍ରୀମାନଙ୍କୁ ଆତ୍ମସୁରକ୍ଷା କୌଶଳ ଶିଖାଇଥିଲେ। ପ୍ରତିକୂଳ ପରିସ୍ଥିତିରେ ନିଜକୁ କିପରି ସୁରକ୍ଷିତ ରଖାଯାଇପାରିବ ଏବଂ ଶାରୀରିକ ଆକ୍ରମଣର କିପରି ସାମନା କରାଯାଇପାରିବ, ସେ ନେଇ ପ୍ରାୟୋଗିକ ତାଲିମ ପ୍ରଦାନ କରାଯାଇଥିଲା। ଏହି ତାଲିମ ଶିବିରରେ ଛାତ୍ରୀମାନଙ୍କ ଉତ୍ସାହଜନକ ଭାଗୀଦାରୀ ଦେଖିବାକୁ ମିଳିଥିଲା। ଶନିବାର ଅପରାହ୍ନରେ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ଅରୁଣ କୁମାର ପଟେଲଙ୍କ ପୌରହିତ୍ୟରେ “ନାରୀ ସଶକ୍ତିକରଣ ପାଇଁ ଆଇନଗତ ସଚେତନତା ଓ ଅଧିକାର” ଶୀର୍ଷକ ଏକ ଆଲୋଚନାଚକ୍ର ଓ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଶିଷ୍ଟ ଆଇନଜୀବୀ ପ୍ରଶାନ୍ତ କୁମାର ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ନିଜ ଅଭିଭାଷଣରେ ଶ୍ରୀ ପଣ୍ଡା ସମାଜରେ ନାରୀର ସ୍ଥାନ ଓ ମହତ୍ଵ ବିଷୟରେ ଆଲୋକପାତ କରିବା ସହ ଛାତ୍ରୀମାନଙ୍କୁ ସେମାନଙ୍କ ସାମ୍ବିଧାନିକ ଓ ଆଇନଗତ ଅଧିକାର ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ମହିଳାମାନଙ୍କ ସୁରକ୍ଷା ପାଇଁ ପ୍ରଚଳିତ ବିଭିନ୍ନ ଆଇନ ଏବଂ ସରକାରୀ ଯୋଜନା ବିଷୟରେ ବୁଝାଇବା ସହ ସେ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଛାତ୍ରୀମାନଙ୍କର ବିଭିନ୍ନ ଶଙ୍କା ଦୂର କରିଥିଲେ।
ଏହି ସଭାରେ ଶକ୍ତିଶ୍ରୀ ସଂଯୋଜିକା ତଥା ଅଧ୍ୟାପିକା ଅରୁଣା ମିଶ୍ର ନିଜ ସୁଚିନ୍ତିତ ମତାମତ ରଖି “ସଶକ୍ତ ନାରୀ, ସଶକ୍ତ ସମାଜ”ର ପରିକଳ୍ପନାକୁ ଦୋହରାଇଥିଲେ। ସେ କହିଥିଲେ ଯେ ଯେତେବେଳେ ନାରୀମାନେ ନିଜ ଅଧିକାର ଓ ଶକ୍ତି ବିଷୟରେ ସଚେତନ ହେବେ, ସେତେବେଳେ ଏକ ସୁସ୍ଥ ଓ ପ୍ରଗତିଶୀଳ ସମାଜ ଗଠନ ସମ୍ଭବ ହେବ। କାର୍ଯ୍ୟକ୍ରମର ଶେଷରେ ଶକ୍ତିଶ୍ରୀ ସାଥୀ ରଞ୍ଜିତା ନାୟକ ସମସ୍ତ ଅତିଥି, ତାଲିମଦାତା ଏବଂ ସହଯୋଗ କରିଥିବା ଅଧ୍ୟାପକ- ଅଧ୍ୟାପିକାମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀମାନଙ୍କ ସକ୍ରିୟ ସହଯୋଗ ଓ ଛାତ୍ରୀମାନଙ୍କର ଉଲ୍ଲେଖନୀୟ ଅଂଶଗ୍ରହଣ ‘ଶକ୍ତିଶ୍ରୀ’ କାର୍ଯ୍ୟକ୍ରମକୁ ଏକ ବଡ଼ ସଫଳତା ପ୍ରଦାନ କରିଛି। ଏହି ଅଭିନବ ପ୍ରୟାସ ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରୁ ପ୍ରଶଂସା କରାଯାଇଛି।

