ପାରଳାଖେମୁଣ୍ଡି ଠାରେ ଭାଷା ଆନ୍ଦୋଳନ ଓଡ଼ିଶା ପକ୍ଷରୁ“ଓଡ଼ିଆ ଭାଷା ଭିତ୍ତିକ ଓଡ଼ିଶା ପ୍ରଦେଶ ଗଠନ” ଏବଂ “ଓଡ଼ିଆ ଭାଷା, ସାହିତ୍ୟ ଓ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ
ପାରଳାଖେମୁଣ୍ଡି:୧୩/୯(ଗରୁଡ଼ ଧ୍ଵଜ ଚୌଧୁରୀ)
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ରାଜଦଣ୍ଡ ସାହି ସ୍ଥିତ ବିଶ୍ୱନାଥ କଲ୍ଯାଣ ମଣ୍ଡପ ଠାରେ ଭାଷା ଆନ୍ଦୋଳନ ଓଡ଼ିଶା ଆନୁକୂଲ୍ୟରେ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଭାଷା ଆନ୍ଦୋଳନ ଓଡ଼ିଶା ଟ୍ରଷ୍ଟ ଶବ୍ଦସ୍ପର୍ଶ ସୌଜନ୍ୟତାରେ “ଓଡ଼ିଆ ଭାଷା ଭିତ୍ତିକ ଓଡ଼ିଶା ପ୍ରଦେଶ ଗଠନ” ଏବଂ “ଓଡ଼ିଆ ଭାଷା, ସାହିତ୍ୟ ଓ ସଙ୍ଗୀତକୁ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ କୃତି ଓ କୃତିତ୍ୱ” ସମ୍ପର୍କରେ ରାଜ୍ୟସ୍ତରୀୟ ଏକ ବିରାଟ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି
ଓଡ଼ିଶା ରାଜ୍ୟ ଉତ୍କଳ ସାମ୍ବାଦିକ ସଂଘର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଶ୍ରୀ ବିଭୂତି ଭୂଷଣ କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ର କାର୍ଯ୍ୟକ୍ରମରେ ବିଶିଷ୍ଠ ଶିକ୍ଷାବିତ୍ ପ୍ରଫେସର ଦାସ ବେନହୁର ଉଦଘାଟକ ଭାବେ ଯୋଗଦେଇ ଭାଷା ଭିତ୍ତିରେ ସ୍ୱତନ୍ତ ଓଡ଼ିଶା ପ୍ରଦେଶ ଗଠନରେ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରି ଆମ ଭାଷା, ସାହିତ୍ୟ, ଅସ୍ମିତା ଓ ସଂସ୍କୃତିର ସୁରକ୍ଷା ରଖିବା ସହ ଏହାର ପ୍ରଚାର ପ୍ରସାର ପାଇଁ ଆମେ ସମସ୍ତେ ସବୁ ସ୍ତରରେ ଉଦ୍ୟମ ଜାରି ରଖିବା ଉପରେ ବିଶେଷ ଗୁରୁତ୍ୱାରୋପ କରି ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ସମର୍ପିତ ବ୍ୟକ୍ତିତ୍ୱ ଆଜି ପର୍ଯ୍ୟନ୍ତ ଓଡ଼ିଆ ଜାତି ଓ ଭାଷାକୁ ବଞ୍ଚାଇ ରଖିପାରିଛି ବୋଲି କହିଥିଲେ।ସେହିଭଳି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ଗବେଷକ ତଥା ସାହିତ୍ୟିକ ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ଅବଦାନର ବିଭିନ୍ନ ଦିଗ ଉପରେ ଆଲୋଚନା କରି ଯୁବପିଢୀଙ୍କୁ ଓଡ଼ିଆ ଭାଷା ଓ ସଂସ୍କୃତି ବିଷୟରେ ଅବଗତି କରାଇବା ସହ ଓଡ଼ିଆ ଭାଷା ଓ ସାହିତ୍ୟର ଉନ୍ନତି ଦିଗରେ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ସେମାନଙ୍କୁ ସଂଶ୍ଳିଷ୍ଠ କରିବା ଉପରେ ଗୁରୁତ୍ୱାରୋପ କରି ମହାରାଜାଙ୍କ ସମ୍ପର୍କରେ ଅନେକ ବିଭ୍ରାନ୍ତିକର ତଥ୍ୟ ଗୁଡ଼ାକ ଯେଉଁ ଅପପ୍ରଚାର କରାଯାଉଛି ସେଥିରେ ବିଶେଷ କ୍ଷୋଭ ପ୍ରକାଶ କରି, ସେ ସବୁକୁ ତୁରନ୍ତ ବନ୍ଦ କରାଯାଉ ବୋଲି କହିଥିଲେ ।ଓଡ଼ିଶା ଭାଷା ଆନ୍ଦୋଳନର ଆବାହକ ଶ୍ରୀ ପବିତ୍ର ମହାରଥା କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେବା ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରି କହିଥିଲେ ଯେ, ଗଜପତି ମହାରାଜାଙ୍କ କୀର୍ତ୍ତି ଓ କୃତିତ୍ୱକୁ ନେଇ ଆଗାମୀ ଦିନରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଅନୁରୂପ କର୍ମଶାଳା ଓ ଆଲୋଚନା ଚକ୍ର ଆୟୋଜନ କରାଯିବା ସହ ଏହା ମାଧ୍ୟମରେ ଗଜପତି ମହାରାଜାଙ୍କ ଅବଦାନ ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରାଯିବ ।ମୁଖ୍ୟବକ୍ତା ଭାବେ ଦିଲ୍ଲୀ ସ୍ଥିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ସାରଳା ଚେୟାର ଶିକ୍ଷାବିତ୍ ପ୍ରଫେସର ଉଦୟନାଥ ସାହୁ ଯୋଗଦେଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଇତିହାସ ଏବଂ ଆଧୁନିକ ଓଡ଼ିଶା ନିର୍ମାଣରେ ଗଜପତି ମହାରାଜାଙ୍କ ଅବଦାନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ସ୍ତମ୍ଭକାର ନଟବର ଖୁଣ୍ଟିଆ, ଗବେଷକ ସତ୍ୟନାରାୟଣ ମହାପାତ୍ର, ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଓଡ଼ିଆ ବିଭାଗ ମୁଖ୍ୟ ଭାଷାବିତ୍ ଡ଼ଃ ଦେବାଶିଷ ମହାପାତ୍ର, ରେଭେନ୍ସା ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ପ୍ରାଧ୍ୟାପିକା ପ୍ରଫେସର ଡଃ ବିଜୟଲକ୍ଷ୍ମୀ ଦାସ, ପୁରୀ ସତ୍ୟବାଦୀ ସ୍ଥିତ ଓଡ଼ିଆ5 ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପିକା ଡ଼ଃ ଶର୍ମିଷ୍ଠା ମହାପାତ୍ର, ସୋନପୁର କଲେଜର ବରିଷ୍ଠ ଅଧ୍ୟାପକ ଡଃ କଳ୍ପତରୁ ନାୟକ ପ୍ରମୁଖ ମଞ୍ଚାସିନ ଭାବେ ଯୋଗଦେଇ ଗଜପତି ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କର ଓଡ଼ିଶା ଗଠନରେ ଅବଦାନର ବିଭିନ୍ନ ଦିଗ ଉପରେ ଆଲୋକପାତ କରି ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନବ ଉତ୍କଳର ନିର୍ମାତା ତଥା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ମୁଖ୍ୟ କର୍ଣ୍ଢାର ବୋଲି ସମସ୍ତ ଅତିଥି ଗଣ ସ୍ୱୀକାର କରିଥିଲେ ।ଏହି ଅବସରରେ ଓଡ଼ିଶା ଗଠନ ପରବର୍ତ୍ତୀ ପୃଷ୍ଠଭୂମିରେ ଗଜପତିଙ୍କ ଭୂମିକା ପ୍ରତିପାଦନ ପୂର୍ବକ ସଚିତ୍ର ପୁସ୍ତକ ପ୍ରକାଶନ, ଶିକ୍ଷାନୁଷ୍ଠାନରେ ଆବଶ୍ୟକୀୟ ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତି, ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ବ୍ୟାପକ ପ୍ରଚାର ଓ ପ୍ରସାର , ବିକୃତ ବା ଅତିରଞ୍ଜିତ ଇତିହାସର ପୁନଃଲିଖନ ଇତ୍ୟାଦି ପ୍ରସ୍ତାବ ପାରିତ ହୋଇଥିଲା ।
ଏହି ସଭା କାର୍ଯ୍ୟକ୍ରମରେ ମୁଖ୍ୟତଃ ଓଡ଼ିଆରେ ଓଡ଼ିଶାର ଶାସନ ପାଇଁ ଚାଲିଥିବା ୮୭୮ ଦିନର କଳାପତାକା ଅଭିଯାନରେ ପାରଳାଖେମୁଣ୍ଡିରେ ମଧ୍ୟ ସାମିଲ ହୋଇଥିବା ପ୍ରାୟ ପ୍ରାୟ ୫୦ ଜଣ ଭାଷା ଯୋଦ୍ଧା , ସମେତ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ମାତୃଭୂମିର ସୁରକ୍ଷା ସହିତ ଓଡ଼ିଶା ତଥା ପାରଳାଖେମୁଣ୍ଡି ର ବିକାଶ ପାଇଁ କାର୍ଯ୍ୟରତ ଅନୁଷ୍ଠାନ ତଥା ବ୍ୟକ୍ତି ବିଶେଷଙ୍କୁ ଉପଢୌକନ ଓ ସମ୍ଭର୍ଦ୍ଧନା ସାନନ୍ଦ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।କାର୍ଯ୍ୟକ୍ରମ ଶେଷରେ ବ୍ରହ୍ମପୁର ଭାଷା ଆନ୍ଦୋଳନ ଓଡ଼ିଶାର ସଭାପତି ଶ୍ରୀ ସାଗର ରଞ୍ଜନ ତ୍ରିପାଠୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

