BRICS Dinner Menuକୁ ନେଇ Rahul Gandhiଙ୍କ କଟାକ୍ଷ, ‘Indian Non-Veg Food is Delicious’
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ବ୍ରିକ୍ସ ନେତାମାନଙ୍କ ପାଇଁ ଆୟୋଜନ କରିଥିବା ବିଶେଷ ରାତ୍ରିଭୋଜନରେ ବିଭିନ୍ନ ଭାରତୀୟ ଆଞ୍ଚଳିକ ଖାଦ୍ୟ ପରିବେଷଣ କରାଯାଇଥିଲା। ତେବେ ମେନୁରେ କେବଳ ନିରାମିଷ ଖାଦ୍ୟ ଥିବାକୁ ନେଇ ବିରୋଧୀ ଦଳ ପ୍ରଶ୍ନ ଉଠାଇଛି। ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସିଧାସଳଖ ବ୍ରିକ୍ସ ମେନୁକୁ ନେଇ ମନ୍ତବ୍ୟ ନକରି ଏକ ଛବି ସେୟାର କରି ଲେଖିଛନ୍ତି ଯେ, ଭାରତର ୮୦ ପ୍ରତିଶତ ଲୋକ ଆମିଷ ଖାଦ୍ୟ ଖାଆନ୍ତି ଏବଂ ଭାରତୀୟ ଆମିଷ ଖାଦ୍ୟ ସ୍ୱାଦିଷ୍ଟ, ତାଙ୍କ ଭଉଣୀଙ୍କ ଛୋଲେ ଭଟୁରେ ଭଳି।
କଂଗ୍ରେସ ନେତା ପବନ ଖେଡ଼ା ମଧ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଭାରତ ଏକ ସମୃଦ୍ଧ ଓ ବିବିଧ ଖାଦ୍ୟ ପରମ୍ପରାର ଦେଶ। ଏଠାରେ ଅନେକ ଆମିଷ ଖାଦ୍ୟ ରହିଛି, ଯାହାକୁ ବିଶ୍ୱବାସୀ ପସନ୍ଦ କରନ୍ତି। ତେବେ ମୋଦୀ ସରକାର କାହିଁକି ଭାରତୀୟ ସଂସ୍କୃତିର ଏହି ଅଂଶକୁ ଲୁଚାଇଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାକୁ ନେଇ ଭାଜପା ଉପରେ ଖାଦ୍ୟ ପସନ୍ଦ ଥୋପିବାର ଅଭିଯୋଗ ମଧ୍ୟ ଆସିଛି।
ବ୍ରିକ୍ସ ରାତ୍ରିଭୋଜନରେ ଖାଣ୍ଡଭି ମିଲ୍-ଫୁଇଲେ, ଖୁମ୍ବ ଗଲୌଟି, ପନିର ଲବାବଦାର, ଗୁଚ୍ଛି ମାର୍ମିକ, ଗାଜର-ବିନ୍ ପୋରିୟାଲ, ଥକ୍କାଲି ବେଲେ ସାରୁ, ମିଲେଟ୍ ପୁଲାଓ, ବିଟ୍ରୁଟ୍ ରାଇତା ଓ ବିଭିନ୍ନ ଭାରତୀୟ ରୁଟି ପରିବେଷଣ କରାଯାଇଥିଲା। ମିଠାରେ ପୁରୁଣା ଦିଲ୍ଲୀର ଫ୍ରୁଟ୍ କ୍ରିମ୍ ସହ ଜାଲେବି ଓ ଶାହତୁତ୍ ଫିର୍ନି ରହିଥିଲା। ତେବେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏହି ରାତ୍ରିଭୋଜନରେ ଯୋଗ ଦେଇନଥିବା ବେଳେ, ଅନେକ କେନ୍ଦ୍ରମନ୍ତ୍ରୀ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏଥିରେ ଉପସ୍ଥିତ ଥିଲେ।

