Vijay UK Event: ଲଣ୍ଡନରେ ବିଜୟଙ୍କୁ ଦେଖିବାକୁ ଅସମ୍ଭାଳ ଭିଡ଼! ସୁରକ୍ଷା ଦୃଷ୍ଟିରୁ ବାତିଲ ହେଲା ଇଭେଣ୍ଟ
ତାମିଲନାଡୁ: ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ଲଣ୍ଡନ ଗସ୍ତ ସମୟରେ ଏକ କାର୍ଯ୍ୟକ୍ରମକୁ ସୁରକ୍ଷା କାରଣରୁ ବାତିଲ କରାଯାଇଛି। ଲଣ୍ଡନର ପ୍ରସିଦ୍ଧ ଅଟ୍ଟାଳିକା ‘ଦ ଶାର୍ଡ’ ବାହାରେ ମଙ୍ଗଳବାର ଏହି କାର୍ଯ୍ୟକ୍ରମ ହେବାର ଥିଲା। ବିଜୟଙ୍କୁ ଦେଖିବା ପାଇଁ ବହୁ ସଂଖ୍ୟାରେ ପ୍ରଶଂସକ ସେଠାରେ ଏକାଠି ହୋଇଥିଲେ।
ପ୍ରଶଂସକଙ୍କ ଭିଡ଼ ବଢ଼ିବା ପରେ ମେଟ୍ରୋପଲିଟନ୍ ପୁଲିସ ଘଟଣାସ୍ଥଳରେ ହସ୍ତକ୍ଷେପ କରିଥିଲା। ଏହାପରେ ସୁରକ୍ଷା ବ୍ୟବସ୍ଥାକୁ ନଜରରେ ରଖି କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିଲା। ଅନେକ ଘଣ୍ଟା ଧରି ଧାଡ଼ିରେ ଅପେକ୍ଷା କରିଥିବା ପ୍ରଶଂସକମାନେ କାର୍ଯ୍ୟକ୍ରମ ବାତିଲ ହେବାରୁ ନିରାଶ ହୋଇଥିଲେ।
ବିଜୟଙ୍କ ଟିମ୍ର ଜଣେ ସଦସ୍ୟ ଲାଉଡସ୍ପିକର ମାଧ୍ୟମରେ କାର୍ଯ୍ୟକ୍ରମ ବାତିଲ ହେବା ନେଇ ଘୋଷଣା କରିଥିଲେ। ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କାର୍ଯ୍ୟକ୍ରମ ବାତିଲ କରାଯାଉଥିବା ଏବଂ ସୁରକ୍ଷା କାରଣରୁ ଏଥିପାଇଁ ଅନୁମତି ମିଳିନଥିବା ସେ କହିଥିଲେ। ବିଜୟ ବୁଧବାର ନିଜର ୟୁକେ ଗସ୍ତ ଶେଷ କରି ଭାରତ ଫେରିବାର କାର୍ଯ୍ୟକ୍ରମ ରହିଥିଲା।

