Howrah Ganesh Puja: ଗଣେଶ ପୂଜା ଥିମ୍କୁ ନେଇ ବିବାଦ, ମୋଦୀଙ୍କ ପ୍ରତିମୂର୍ତ୍ତି ସହ ‘ହିନ୍ଦୁ ରାଷ୍ଟ୍ର’ ଲେଖାକୁ ନେଇ ଚର୍ଚ୍ଚା
ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ହାୱଡ଼ାରେ ଗଣେଶ ପୂଜା ପାଇଁ ପ୍ରସ୍ତୁତ ହୋଇଥିବା ଏକ ଥିମ୍କୁ ନେଇ ରାଜନୈତିକ ବିବାଦ ଦେଖାଦେଇଛି। ଚା’ କପ୍, ଭଗବାନ ଗଣେଶଙ୍କ ପ୍ରତିମୂର୍ତ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିମୂର୍ତ୍ତି ଏବଂ ଭଗବା ରଙ୍ଗରେ ଭାରତର ମାନଚିତ୍ରକୁ ନେଇ ଥିମ୍ ପ୍ରସ୍ତୁତ କରାଯାଇଛି। ଏହା ପଛପଟେ ‘ହିନ୍ଦୁ ରାଷ୍ଟ୍ର’ ଲେଖା ଥିବାରୁ ଥିମ୍ଟିକୁ ନେଇ ରାଜନୈତିକ ଚର୍ଚ୍ଚା ତୀବ୍ର ହୋଇଛି।
ଏହି ପୂଜାର ଆୟୋଜକ ଖୋକନ କନରା କହିଛନ୍ତି ଯେ, ଏହା ତାଙ୍କର ବ୍ୟକ୍ତିଗତ ପୂଜା ଏବଂ ପ୍ରତିବର୍ଷ ଭଳି ଏଥର ମଧ୍ୟ ଥିମ୍ ତାଙ୍କ ନିଜସ୍ୱ ଚିନ୍ତାଧାରା ଉପରେ ଆଧାରିତ। କୌଣସି ଧର୍ମର ଭାବନାକୁ ଆଘାତ ଦେବା ତାଙ୍କର ଉଦ୍ଦେଶ୍ୟ ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ତାଙ୍କ ମତରେ, ପୂଜା ଥିମ୍ ମାଧ୍ୟମରେ ସେ ନିଜର ଚିନ୍ତାଧାରାକୁ ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷରେ, ତୃଣମୂଳ କଂଗ୍ରେସ (TMC) ପକ୍ଷରୁ ଏହି ଥିମ୍କୁ ନେଇ ପ୍ରତିକ୍ରିୟା ଆସିଛି। ନିକଟରେ BJPରେ ଯୋଗ ଦେଇଥିବା କିଛି ଲୋକ ଦଳକୁ ‘ଖୁସି କରିବା’ ପାଇଁ ଏଭଳି ଥିମ୍ ପ୍ରସ୍ତୁତ କରିଥିବା ଟିଏମ୍ସି ଅଭିଯୋଗ କରିଛି। ତେବେ ଆୟୋଜକ ଏହି ଅଭିଯୋଗକୁ ନେଇ ନିଜ ପକ୍ଷ ସ୍ପଷ୍ଟ କରିଛନ୍ତି ଏବଂ ଥିମ୍କୁ ବ୍ୟକ୍ତିଗତ ପୂଜାର ଅଂଶ ବୋଲି କହିଛନ୍ତି।

