Idol Immersion: ଘୋଡ଼ାହାଡ଼ ନଦୀରେ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ, ନଦୀରେ ବୁଡ଼ି ୨ ନାବାଳକଙ୍କ ମୃତ୍ୟୁ
ହିଞ୍ଜିଳି: ଗଣେଶ ପୂଜା ପରେ ମୂର୍ତ୍ତି ବିସର୍ଜନ ବେଳେ ଘୋଡ଼ାହାଡ଼ ନଦୀରେ ଅଘଟଣ ଘଟିଛି। ନଦୀରେ ବୁଡ଼ି ଦୁଇ ନାବାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ନାବାଳକ ଗୁରୁତର ହୋଇଛନ୍ତି। ଗୁରୁତର ଦୁଇ ନାବାଳକଙ୍କୁ ଉଦ୍ଧାର କରାଯାଇ ହିଞ୍ଜିଳି ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ଗଣେଶ ପୂଜା ପରେ ଧୁମଧାମରେ ମୂର୍ତ୍ତି ବିସର୍ଜନ ପାଇଁ ଲୋକମାନେ ଘୋଡ଼ାହାଡ଼ ନଦୀ ନିକଟକୁ ଯାଇଥିଲେ। ବିସର୍ଜନ ସମୟରେ ହଠାତ୍ ଦୁଇ ନାବାଳକ ନଦୀରେ ବୁଡ଼ି ଯାଇଥିଲେ। ଘଟଣା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ତେବେ ଦୁଇ ନାବାଳକଙ୍କୁ ଉଦ୍ଧାର କରିବା ବେଳକୁ ସେମାନଙ୍କ ମୃତ୍ୟୁ ହୋଇସାରିଥିଲା। ଅନ୍ୟ ଦୁଇ ନାବାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲ ନିଆଯାଇଥିଲା।
ମୃତ ନାବାଳକ ଦୁଇଜଣ ହେଲେ ହିଞ୍ଜିଳି ଗଜପତି ମାର୍ଗ ଅଞ୍ଚଳର ୧୪ ବର୍ଷୀୟ ଆଦର୍ଶ ସାହୁ ଏବଂ ହିଞ୍ଜିଳି ଗାୟତ୍ରୀ ନଗରର ପ୍ରୀତମ ସାମେଲି। ଅନ୍ୟ ଦୁଇ ଗୁରୁତର ନାବାଳକଙ୍କୁ ହିଞ୍ଜିଳି ମେଡିକାଲରେ ଚିକିତ୍ସା କରାଯାଉଛି। ଘଟଣାକୁ ନେଇ ହିଞ୍ଜିଳି ପୁଲିସ ତଦନ୍ତ ଆରମ୍ଭ କରିଛି।

