Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Disha Salian Case: ଦିଶାଙ୍କ ବାପାଙ୍କ ବଡ଼ ଦାବି, ସୁଶାନ୍ତଙ୍କ ମୃତ୍ୟୁ ସହ କନେକ୍ସନ୍ ନେଇ କହିଲେ ଏମିତି କଥା

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତଙ୍କ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲା ପୁଣିଥରେ ଚର୍ଚ୍ଚାକୁ ଆସିଛି। ୨୦୨୦ ଜୁନ୍ ୮ ତାରିଖରେ ମୁମ୍ବାଇର ଏକ ଆବାସିକ କୋଠାର ୧୪ତମ ମହଲାରୁ ପଡ଼ି ଦିଶାଙ୍କ ମୃତ୍ୟୁ ହୋଇଥିଲା। ପ୍ରାରମ୍ଭିକ ତଦନ୍ତରେ ମୁମ୍ବାଇ ପୁଲିସ ଏହାକୁ ଆତ୍ମହତ୍ୟା ବୋଲି ରେକର୍ଡ କରିଥିଲା। କିନ୍ତୁ ଦିଶାଙ୍କ ବାପା ସତୀଶ ସାଲିଆନ ଏହି ଘଟଣାକୁ ନେଇ ସନ୍ଦେହ ପ୍ରକାଶ କରି ତଦନ୍ତ ଦାବି କରିଥିଲେ। ତାଙ୍କ ଆବେଦନ ପରେ ବମ୍ବେ ହାଇକୋର୍ଟ CBI ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ଏବଂ ଏବେ CBI ମାମଲାରେ FIR ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସତୀଶ ସାଲିଆନ ତଦନ୍ତକାରୀ ଅଧିକାରୀଙ୍କୁ ନିଜ ବୟାନ ଦେଇ ଦିଶାଙ୍କ ମୃତ୍ୟୁ ପଛରେ ଅନେକ ରହସ୍ୟ ଥିବା ଦାବି କରିଛନ୍ତି। ତାଙ୍କ କହିବା ଅନୁସାରେ, ଦିଶାଙ୍କ ମୃତ୍ୟୁ ସମ୍ପର୍କରେ ସୁଶାନ୍ତ ସିଂହ ରାଜପୁତଙ୍କୁ କିଛି ତଥ୍ୟ ଜଣାଥିଲା ଏବଂ ସେ ଏନେଇ ସାମ୍ବାଦିକ ସମ୍ମିଳନୀ କରିବାକୁ ଯୋଜନା କରିଥିଲେ | ଏବଂ ତା ପୂର୍ବରୁ ତାଙ୍କୁ ହତ୍ୟା କରାଯାଇଛି ବୋଲି ସେ ଦାବି କରିଛନ୍ତି | ଅନ୍ୟପଟେ, ସତୀଶ ସାଲିଆନ CBIକୁ ଦିଆ ଯାଇଥିବା ବୟାନରେ ଆଦିତ୍ୟ ଠାକରେ, ଡିନୋ ମୋରିଆ, ସୂରଜ ପାଞ୍ଚୋଲି ଓ କିଛି ବଡିଗାର୍ଡଙ୍କ ନାମ ଦେଇ ତଦନ୍ତ କରିବାକୁ କହିଥିବା ସୂଚନା ମିଳିଛି।

CBIର FIRରେ ଆଦିତ୍ୟ ଠାକରେ, ରିଆ ଚକ୍ରବର୍ତ୍ତୀ, ଡିନୋ ମୋରିଆ, ସୂରଜ ପାଞ୍ଚୋଲି, ରୋହନ ରୟଙ୍କ ସମେତ କିଛି ପୁଲିସ ଅଧିକାରୀ ଓ ଅନ୍ୟ ବ୍ୟକ୍ତିଙ୍କ ନାମ ତଦନ୍ତ ପରିପ୍ରେକ୍ଷିତରେ ଆସିଛି। FIRରେ ହତ୍ୟା, ଗଣଦୁଷ୍କର୍ମ, ଅପରାଧିକ ଷଡଯନ୍ତ୍ର ଓ ପ୍ରମାଣ ନଷ୍ଟ ଭଳି ଗୁରୁତର ଅଭିଯୋଗ ସମ୍ପର୍କିତ ଧାରା ରହିଛି। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କାହାର ନାମ FIRରେ ରହିବା ମାତ୍ରରେ ସେ ବ୍ୟକ୍ତି ଦୋଷୀ ପ୍ରମାଣିତ ହୋଇନାହାନ୍ତି। ବମ୍ବେ ହାଇକୋର୍ଟ ମଧ୍ୟ କହିଥିଲେ ଯେ ଯଥେଷ୍ଟ ପ୍ରମାଣ ମିଳିବା ପର୍ଯ୍ୟନ୍ତ କାହାକୁ ଅଭିଯୁକ୍ତ ଭାବେ ଧରାଯିବ ନାହିଁ। ଏବେ CBI ଦିଶାଙ୍କ ମୃତ୍ୟୁର ପ୍ରକୃତ କାରଣ, ଘଟଣାରେ କାହାର ଭୂମିକା ଥିଲା କି ନାହିଁ ଏବଂ ସୁଶାନ୍ତଙ୍କ ମୃତ୍ୟୁ ସହ ଏହାର କୌଣସି ପ୍ରକୃତ ସମ୍ପର୍କ ଅଛି କି ନାହିଁ, ସେସବୁ ଦିଗରୁ ତଦନ୍ତ କରୁଛି। ବର୍ତ୍ତମାନ ଦିଲ୍ଲୀସ୍ଥିତ ସିବିଆଇ ମୁଖ୍ୟାଳୟର ସ୍ପେଶାଲ୍ କ୍ରାଇମ୍ ୟୁନିଟ୍‌ରେ ଏସ୍‌ପି ଭାବେ କାର୍ଯ୍ୟରତ ସୀମାଙ୍କୁ ଏହି ତଦନ୍ତର ଦାୟିତ୍ୱ ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ