Subhadra Yojana: ଦ୍ୱିତୀୟ ବର୍ଷ ପୂର୍ତ୍ତିରେ ଘରେ ଘରେ ଜଳିବ ଦୀପ, ୩୩୮ ସ୍ଥାନରେ ଉତ୍ସବର ଆୟୋଜନ
ଭୁବନେଶ୍ୱର: ‘ସୁଭଦ୍ରା’ ଯୋଜନାର ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତାକାଲି ରାଜ୍ୟବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେବ। ସନ୍ଧ୍ୟା ୬ଟା ୩୦ ମିନିଟ୍ରେ ଘରେ ଘରେ ଦୀପ ଜାଳି ଯୋଜନାର ବାର୍ଷିକୀ ପାଳନ କରିବାକୁ ସୁଭଦ୍ରା ହିତାଧିକାରୀ ମହିଳାମାନଙ୍କୁ ଆହ୍ୱାନ କରାଯାଇଛି। ଏହାସହ ଜିଲ୍ଲା ସ୍ତରରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ, ସେଣ୍ଟ୍ରାଲ ପ୍ରୋଜେକ୍ଟ ଓ ଅଙ୍ଗନବାଡ଼ି କାର୍ଯ୍ୟାଳୟରେ ରଙ୍ଗୋଲି କାର୍ଯ୍ୟକ୍ରମ ହେବ।
ରାଜ୍ୟର ୩୩୮ଟି ସ୍ଥାନରେ ବିଭିନ୍ନ ପ୍ରତିଯୋଗିତା ଓ ଉତ୍ସବ ଆୟୋଜନ କରାଯିବ। ୨୦୨୪ ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ ହୋଇଥିଲା। ସରକାରଙ୍କ ସୂଚନା ଅନୁସାରେ, ଦୁଇ ବର୍ଷ ମଧ୍ୟରେ ଏହି ଯୋଜନାରେ ହିତାଧିକାରୀଙ୍କୁ ୨୫ ହଜାର ୮୦୦ କୋଟି ଟଙ୍କା ଦିଆଯାଇଛି।
ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ‘ସୁଭଦ୍ରା’ ଯୋଜନା ରାଜ୍ୟର ୧ କୋଟିରୁ ଅଧିକ ମହିଳାଙ୍କ ଜୀବନରେ ପ୍ରଭାବ ପକାଇଛି। ଏହାସହ ୨୬ ପ୍ରତିଶତରୁ ଅଧିକ ହିତାଧିକାରୀ ମହିଳା ଉଦ୍ୟୋଗୀ ହୋଇଥିବା ନେଇ ମଧ୍ୟ ସୂଚନା ଦିଆଯାଇଛି। ଯୋଜନାର ଦ୍ୱିତୀୟ ବର୍ଷ ପୂର୍ତ୍ତିକୁ ନେଇ ଆସନ୍ତାକାଲି ରାଜ୍ୟରେ ଉତ୍ସବମୁଖର ପରିବେଶ ଦେଖିବାକୁ ମିଳିବ।

