Sankh River Accident: ଶଙ୍ଖ ନଦୀରେ ବୁଡ଼ି ୩ ନାବାଳିକାଙ୍କ ମୃତ୍ୟୁ, ୩ ଜଣ ଉଦ୍ଧାର
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ରାଇବଗା ଥାନା ଅନ୍ତର୍ଗତ ଦଲକି ଗାଁ ନିକଟରେ ଶଙ୍ଖ ନଦୀରେ ବୁଡ଼ି ୩ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୩ ଜଣ ନାବାଳିକାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି। ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ସୂଚନା ଅନୁସାରେ, କରମା ପୂଜା ପାଇଁ କିଛି ନାବାଳିକା ଶଙ୍ଖ ନଦୀକୁ ବାଲି ଓ ପାଣି ଆଣିବାକୁ ଯାଇଥିଲେ। ଏହି ସମୟରେ ନଦୀରେ ପ୍ରଖର ସ୍ରୋତ ଥିବାରୁ ଜଣଙ୍କ ପରେ ଜଣେ ହୋଇ ୬ ଜଣ ନାବାଳିକା ପାଣିରେ ବୁଡ଼ି ଯାଇଥିଲେ। ସେମାନେ ବୁଡ଼ିଯାଉଥିବା ଦେଖି ନିକଟରେ ଥିବା ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳକୁ ଯାଇ ସମସ୍ତ ୬ ଜଣଙ୍କୁ ଉଦ୍ଧାର କରିଥିଲେ।
ଉଦ୍ଧାର ପରେ ସମସ୍ତଙ୍କୁ ତୁରନ୍ତ ବୀରମିତ୍ରପୁର ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ୩ ଜଣ ନାବାଳିକାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ୩ ଜଣଙ୍କ ଚିକିତ୍ସା ଜାରି ରହିଛି। ଘଟଣା ପରେ ମୃତ ନାବାଳିକାଙ୍କ ପରିବାର ଲୋକେ ଭାଙ୍ଗି ପଡ଼ିଥିବା ବେଳେ ଦଲକି ଗାଁ ସମେତ ଆଖପାଖ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

