Coal Train Fire: ସୋର ଷ୍ଟେସନରେ କୋଇଲା ବୋଝେଇ ଟ୍ରେନ୍ର ୭ ବଗିରେ ନିଆଁ, ୪ ଘଣ୍ଟାର ପରିଶ୍ରମ ପରେ ଅଗ୍ନିଶମ ବାହିନୀ ହେଲେ ସଫଳ
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସୋର ରେଳ ଷ୍ଟେସନରେ କୋଇଲା ବୋଝେଇ ଟ୍ରେନ୍ରେ ଅଗ୍ନିକାଣ୍ଡ ଘଟିଛି। ଧାମରାରୁ ଖଡ଼ଗପୁର ଅଭିମୁଖେ କୋଇଲା ନେଇ ଯାଉଥିବା ଟ୍ରେନ୍ରେ ରାଣୀତାଲ ନିକଟରେ ନିଆଁ ଲାଗିଥିବା ଗାର୍ଡ ଜାଣିବାକୁ ପାଇଥିଲେ। ଏନେଇ ସେ ତୁରନ୍ତ ସୋର ଷ୍ଟେସନ ମାଷ୍ଟରଙ୍କୁ ସୂଚନା ଦେଇଥିଲେ।
ସୂଚନା ପାଇବା ପରେ ଟ୍ରେନ୍ଟିକୁ ସୋର ଷ୍ଟେସନର ୧ ନମ୍ବର ପ୍ଲାଟଫର୍ମରେ ଅଟକାଯାଇଥିଲା। ଏହାପରେ ସୋର ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାମ ଆରମ୍ଭ କରିଥିଲେ। ଟ୍ରେନ୍ର ପ୍ରାୟ ୭ଟି ବଗିରେ ନିଆଁ ଲାଗିଥିବା ବେଳେ ଦୀର୍ଘ ସମୟ ଧରି ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ନିୟନ୍ତ୍ରଣ କରିଥିଲେ।
ପ୍ରାୟ ୪ ଘଣ୍ଟାର ଅପରେସନ୍ ପରେ ନିଆଁକୁ ସମ୍ପୂର୍ଣ୍ଣ ଭାବେ ଆୟତ୍ତ କରାଯାଇଥିଲା। ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ତୁରନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ। ନିଆଁ ଲିଭାଇବା ପରେ ଟ୍ରେନ୍ଟି ପୁଣି ନିଜ ଗନ୍ତବ୍ୟସ୍ଥଳ ଖଡ଼ଗପୁର ଅଭିମୁଖେ ଯାତ୍ରା କରିଥିବା ଜଣାପଡ଼ିଛି।

